ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମୋଟର ଗାଡ଼ିଗୁଡ଼ିକରେ ଲାଗୁଥିବା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଏସଆରପି)କୁ ନେଇ ରାଜ୍ୟ ସରକାର ବଡ଼ ଘୋଷଣା କରିଛନ୍ତି। ଏବେ ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲାଗିଥିଲେ ଜୁନ ୨୩ ତାରିଖରୁ ଫାଇନ ପଡ଼ିବ। ଏଥିଲାଗି ଇ-ଚାଳାଣ କରାଯାଇ ଚାଳକଙ୍କଠୁ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜୋରିମାନା ଆଦାୟ କରାଯିବ। ଏନେଇ ଗୁରୁବାର ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ପରିବହନ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ ଏହି ଫାଇନ ଅଦାୟ ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯିବ। ରାଜ୍ୟର ବିଭିନ୍ନ ସ୍ଥାନର ଗାଡ଼ିର ଯାଞ୍ଚ କରାଯାଇ ଏଚଏସଆରପି ନଥିବା ଗାଡ଼ି ମାଲିକଙ୍କୁ ଜୋରିମାନା କରାଯିବ। ମୋଟର ଯାନ ନିୟମ ୧୯୮୮ର ଧାରା ୧୯୨ ଅନୁସାରେ ଏହି ଜୋରିମାନା ଆଦାୟ ହେବ।

ଓଡ଼ିଶା ସରକାର ୨୦୧୯ ମସିହା ପୂର୍ବରୁ କିଣାଯାଇଥିବା ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ୨୦୨୩ ଫେବ୍ରୁଆରି ୨୮ ତାରିଖ ଯାଏଁ ସମୟ ଦେଇଥିଲେ। ଏବେ ଏହି ଅବଧି ଶେଷ ହୋଇଥିଲେ ମଧ୍ୟ ଅନେକ ଗାଡ଼ି ନୂଆ ନମ୍ବର ପ୍ଲେଟ ବିନା ରାସ୍ତାରେ ଚାଲୁଛି।

ରାଜ୍ୟରେ ଜୁନ୍ ୭ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ୪୦ ଲକ୍ଷ ୯୩ ହଜାର ୬୦୮ଟି ସ୍ଲଟ ବୁକ୍ ହୋଇଛି। ଏଥିରୁ ୩୫ ଲକ୍ଷ ୮୭ ହଜାର ୫୭୭ ଗାଡ଼ିରେ ଏଚଆରଏସପି ଲାଗି ସାରିଛି। ତେବେ ୫ ଲକ୍ଷରୁ ଅଧିକ ଗାଡ଼ିରେ ଏବେ ବି ନୂଆ ନମ୍ବର ପ୍ଲେଟ ଲାଗି ନାହିଁ।

ଏବେ ଶୀଘ୍ର ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ ଲଗାଇବା ପାଇଁ ଗାଡ଼ି ମାଲିକଙ୍କୁ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Tags: #HighSecurityNumberPlate #HSRP #MoterVehicles #SateTransportAuthority

Comment