ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ଚାଲିଛି ହାଇଡ୍ରାମ। ସ୍ଲଟ ବୁକିଂ ପାଇଁ ସମୟ ସରିଥିବାବେଳେ ନମ୍ବର ପ୍ଲେଟ ନଥିଲେ ଫାଇନ ଆଦାୟ କରିବାକୁ ଘୋଷଣା କରିଛି ପରିବହନ ବିଭାଗ। ଏହାକୁ ନେଇ ଏବେ ଗାଡ଼ି ମାଲିକ ଏବଂ ଚାଳକଙ୍କର ସମସ୍ୟା ବଢ଼ିଛି। ଏହି ମାମଲାରେ ପରିବହନ ବିଭାଗକୁ ଜବାବ ମାଗିଛନ୍ତି ହାଇକୋର୍ଟ।

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ପାଇଁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦୁଇ ଚକିଆ ଗାଡ଼ିର ସ୍ଲଟ୍ ବୁକିଂ ଶେଷ ହୋଇଛି। ରାଜ୍ୟରେ ପ୍ରାୟ ୮୦ ଲକ୍ଷ ଗାଡ଼ି ରହିଥିବାବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୭ ଲକ୍ଷ ୩୦ ହଜାର ୩୦୩ଟି ଗାଡ଼ିରେ ନମ୍ବର ପ୍ଲେଟ୍ ଲାଗି ପାରିଛି। କେବେ ସୁଦ୍ଧା ବାକିଥିବା ଗାଡ଼ିଗୁଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗି ପାରିବ ତାକୁ ନେଇ ପ୍ରଶ୍ନ ଉଠିଛି। ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ମାତ୍ର ୧୬ ଲକ୍ଷ ୭୮ ହଜାର ୧୬୩ ଗାଡ଼ିର ସ୍ଲଟ୍ ବୁକିଂ ହୋଇଛି।

ସମସ୍ତ ଗାଡ଼ି ପାଇଁ ଚୂଡ଼ାନ୍ତ ସମୟସୀମା ଡିସେମ୍ବର ୩୧ ତାରିଖ ରହିଛି। ଏହାରି ମଧ୍ୟରେ ଏବେ ସ୍ଲଟ୍ ବୁକିଂ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ନିର୍ଦ୍ଧାରିତ ତାରିଖ ପୂର୍ବରୁ ନମ୍ବର ପ୍ଲେଟ୍ ନଲଗାଇଲେ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ ବୋଲି କହିଛି ପରିବହନ ବିଭାଗ। ଯାହାକୁ ନେଇ ସାଧାରଣ ଚାଳକ ଏବଂ ଗାଡ଼ିମାଲିମାନେ ଚିନ୍ତାରେ ପଡ଼ିଛନ୍ତି।

ପରିବହନ ବିଭାଗର ଚିଠି

ରାଜ୍ୟ ପରିବହନ ବିଭାଗର ଘୋଷଣା ପରେ ଏବେ ଗାଡ଼ି ଚାଳକଙ୍କ ସମସ୍ୟା ବଢ଼ିଛି। ଅନଲାଇନରେ ଠିକ୍ ତାରିଖରେ ଠିକ୍ ସ୍ଲଟ୍ ମିଳୁନଥିବା ଅଭିଯୋଗ ଆସୁଛି। ଯେଉଁମାନେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନମ୍ବର ପ୍ଲେଟ ଲଗାଇ ନାହାନ୍ତି, କିନ୍ତୁ ସ୍ଲଟ ବୁକ୍ କରିଛନ୍ତି ସେମାନେ ଫାଇନ ଦେବାରୁ ବର୍ତ୍ତିପାରିବେ ବୋଲି ଗତ ୨୬ ତାରିଖରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠିରେ ଉଲ୍ଲେଖ କରାଯାଇଛି।

ସ୍ଲଟ ବୁକିଂ ରସିଦ ଦେଖାଇଲେ କଟିବନି ଫାଇନ

ଯେଉଁ ଗାଡ଼ିର ନମ୍ବର ୧,୨,୩ ଏବଂ ୪ରେ ଶେଷ ହେଉଥିବ ସେହି ଗାଡ଼ିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ନିମନ୍ତେ ଶେଷ ସମୟ ସୀମା ରହିଥିଲା ସେପ୍ଟେମ୍ବର ୩୦ ତାରିଖ। ଯେଉଁମାନେ ଏହି ସମୟ ସୀମା ମଧ୍ୟରେ ସ୍ଲଟ ବୁକ କରିଛନ୍ତି, କିନ୍ତୁ ନମ୍ବର ପ୍ଲେଟ ଲଗାଇ ନାହାନ୍ତି ସେମାନଙ୍କଠାରୁ ଟ୍ରାଫିକ ଯାଞ୍ଚ ବେଳେ କୌଣସି ଫାଇନ ଲାଗୁ ହେବ ନାହିଁ। ସ୍ଲଟ ବୁକର ରସିଦ ଦେଖାଇ ସେମାନେ ଏଥିରୁ ମୁକ୍ତି ପାଇପାରିବେ।

ସେହିପରି ଯେଉଁ ଗାଡ଼ିଗୁଡ଼ିକର ନମ୍ବର ୫ ଓ ୬ରେ ଶେଷ ହେଉଛି, ସେହି ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ଆସନ୍ତା ଅକ୍ଟୋବର ୩୧ ତାରିଖ। ଏହା ସହିତ ୭ ଏବଂ ୮ରେ ଶେଷ ହେଉଥିବା ଗାଡ଼ିକରେ ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିପାରିବ। ସେହିପରି ଯେଉଁ ଗାଡ଼ିଗୁଡ଼ିକର ନମ୍ବର ୯ ଓ ୦ରେ ଶେଷ ହେଉଥିବ ସେମାନେ ଆସନ୍ତା ଡିସେମ୍ବର ୩୧ ତାରିଖ ସୁଦ୍ଧା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ପରିବହନ ବିଭାଗ ପକ୍ଷରୁ ତାରିଖ ଧାର୍ଯ୍ୟ କରାଯାଇଛି।

ପରିବହନ ବିଭାଗକୁ ଜବାବ ମାଗିଲେ ହାଇକୋର୍ଟ

ହାଇ ସିକ୍ୟୁରିଟି ନମ୍ବରକୁ ନେଇ ଅଡ଼ୁଆ ବଢ଼ୁଥିବାବେଳେ ଏହି ମାମଲାରେ ହସ୍ତକ୍ଷେପ କରି ରାଜ୍ୟ ପରିବହନ ବିଭାଗକୁ ଜବାବ ମାଗିଛନ୍ତି ହାଇକୋର୍ଟ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସମୟ ଅବଧି ବୃଦ୍ଧି ହେବ କି ନାହିଁ ସେ ବିଷୟରେ ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିମୂମି ନଥାଇ କିଭଳି ଡେଡଲାଇନ ଦିଆଗଲା ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ।

ହାଇ ସିକ୍ୟୁରିଟି ନମ୍ବର ରେଜିଷ୍ଟ୍ରେସନ ଏବଂ ଏହି ନମ୍ବର ପ୍ଲେଟ ନଥିଲେ ଜୋରିମାନା ଆଦାୟ ପାଇଁ ପରିବହନ ବିଭାଗର ପକ୍ଷରୁ ଘୋଷଣା କରାଯିବା ପରେ ଏହି ମାମଲାକୁ ନେଇ ଦୁଇ ଜଣ ବସ ମାଲିକ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ସରକାର ଭିତ୍ତିଭୂମି ନକରି ଡେଡ ଲାଇନ ଦେଇଥିବା ଅଭିଯୋଗ କରିଥିଲେ। ଏହି ମାମଲାର ବିଚାର କରି ପରିବହନ ବିଭାଗଠାରୁ ଜବାବ ମାଗିଛନ୍ତି ହାଇକୋର୍ଟ।

ସମୟରେ ହୋଇପାରୁନି ସ୍ଲଟ ବୁକିଂ

ନୂଆ ନମ୍ବର ପ୍ଲେଟ୍ ପାଇଁ ଏବେ ଅନଲାଇନରେ ସ୍ଲଟ୍ ବୁକିଂ ଚାଲିଛି। ବହୁତ ଲୋକ ସ୍ଲଟ୍ ବୁକ କରୁଥିବାରୁ ଠିକ୍ ସମୟରେ ସ୍ଳଟ ବୁକ୍ ହୋଇପାରୁ ନାହିଁ। ହାଇ ସିକ୍ୟୁରିଟି ନମ୍ବର ପ୍ଲେଟକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ହେବା ପରେ ପରିବହନ ବିଭାଗ ନିୟମରେ ସାମାନ୍ୟ କୋହଳ କରିଛି।

Tags: #NumberPlate #HighSecurityNumberPlate #Vehicle #SlotBooking #Registration

Comment