ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ (ଏଚଏସଆରପି) ନଲାଗିଥିବା ମୋଟର ଗାଡ଼ିଗୁଡ଼ିକରେ ଶୁକ୍ରବାରଠାରୁ ଫାଇନ ଲାଗିବା ଆରମ୍ଭ ହୋଇଛି। ଏଚଏସଆରପି ନଥିବା ଗାଡ଼ିର ଚାଳକଙ୍କଠୁ ଇ-ଚାଳାଣ କରାଯାଇ ୫ ହଜାରରୁ ୧୦ ହଜାର ଟଙ୍କା ଯାଏଁ ଜୋରିମାନା ଆଦାୟ କରାଯାଉଛି। ଏଥିପାଇଁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି। ରାଜ୍ୟରେ ଏବେ ସୁଦ୍ଧା ୩୭ଲକ୍ଷ ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲାଗିଛି। ଏବେବି ପ୍ରାୟ ୩ ଲକ୍ଷରୁ ଅଧିକ ଗାଡ଼ିରେ ଏହି ନୂଆ ନମ୍ବର ପ୍ଲେଟ ଲଗିନାହିଁ। ଏନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ଗାଡ଼ି ସଂଖ୍ୟା ଓ ଲଗାଯାଇଥିବା ନମ୍ବର ପ୍ଲେଟ୍‌ ସଂଖ୍ୟା ମଧ୍ୟରେ ଆକାଶପାତାଳ ଫରକ ରହିଛି। ରାଜ୍ୟରେ ମୋଟ ପଞ୍ଜୀକୃତ ଗାଡ଼ି ସଂଖ୍ୟା ଏବେ ୧ କୋଟି ୫୯ ହଜାର ୮୪୪ ରହିଛି। ସେଥିରୁ ମାତ୍ର ପ୍ରାୟ ୮୦ଲକ୍ଷ ଗାଡ଼ି ରାସ୍ତାରେ ଚାଲିବାଯୋଗ୍ୟ ରହିଛି। ଅବଶିଷ୍ଟ ଗାଡ଼ିଗୁଡ଼ିକର ପଞ୍ଜୀକରଣର ସମୟସୀମା ଶେଷ ହୋଇଗଲାଣି। ଏଗୁଡ଼ିକର ଏବେ ଆଉ ପଞ୍ଜୀକୃତ ହୋଇପାରିବ ନାହିଁ। ତଥାପି ଏଥିରୁ ଅଧିକାଂଶ ଗାଡ଼ି ରାସ୍ତାରେ ଗଡ଼ୁଥିବାର ଦେଖିବାକୁ ମିଳୁଛି।

ଓଡ଼ିଶା ସରକାର ୨୦୧୯ ମସିହା ପୂର୍ବରୁ କିଣାଯାଇଥିବା ଗାଡ଼ିଗୁଡ଼ିକରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ୨୦୨୩ ଫେବ୍ରୁଆରି ୨୮ ତାରିଖ ଯାଏଁ ସମୟ ଦେଇଥିଲେ। ଏବେ ଏହି ଅବଧି ଶେଷ ହୋଇଥିଲେ ମଧ୍ୟ ଅନେକ ଗାଡ଼ି ନୂଆ ନମ୍ବର ପ୍ଲେଟ ବିନା ରାସ୍ତାରେ ଚାଲୁଛି।

ଅନ୍ୟପଟେ ରାଜ୍ୟରେ ମୋଟ ପଞ୍ଜୀକୃତ ଗାଡ଼ି ମଧ୍ୟରୁ ୭୦ ପ୍ରତିଶତ ଗାଡ଼ି ବିନା ମୋଟର ବୀମାରେ ଚାଲିଛି। ରାଜ୍ୟର ମୋଟ ପଞ୍ଜୀକୃତ ଗାଡ଼ି ମଧ୍ୟରୁ ୬୩ ଲକ୍ଷ ଦୁଇ ଚକିଆ (ବାଇକ୍) ରହିଛି। ଏଗୁଡ଼ିକ ମଧ୍ୟରୁ ୬୮ ପ୍ରତିଶତ ବାଇକର ବୀମା ନାହିଁ। ସେହିପରି ରାଜ୍ୟରେ ଥିବା ୭୦ ପ୍ରତିଶତ କାର (ଏଲଏମଭି)ର ବୀମା ରିନ୍ୟୁ ହୋଇନାହିଁ। ରାଜ୍ୟରେ ଚାଲୁଥିବା କମର୍ସିଆଲ ଗାଡ଼ି ମଧ୍ୟରୁ ୬୧ ପ୍ରତିଶତ ଗାଡିର ବୀମା ଥିବା ବେଳେ ୩୯ ପ୍ରତିଶତ ପରିବହନ ଗାଡ଼ିର ମଧ୍ୟ ବୀମା ନାହିଁ।

ଏବେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଯାଞ୍ଚବେଳେ ଗାଡ଼ିର ବୀମା ଓ ପଲ୍ୟୁସନ ସାର୍ଟିଫିକେଟ ନଥିଲେ ଜୋରିମାନାର ପରିମାଣ ଅଧିକ ବଢ଼ିଯିବ। ମୋଟର ଯାନ ନିୟମ ୧୯୮୮ର ଧାରା ୧୯୨ ଅନୁସାରେ ଏହି ଜୋରିମାନା ଆଦାୟ ହେବ। ଏଥିପାଇଁ ଗାଡ଼ିରେ ଏବେ ଶୀଘ୍ର ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ପାଇଁ ଗାଡ଼ି ମାଲିକଙ୍କୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି।

Tags: #HighSecurityNumberPlate #HSRP #MoterVehicles #SateTransportAuthority

 

Comment