ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଅବଧିକୁ ନେଇ ଚିନ୍ତାରେ ରହିଥିବା ଗାଡ଼ି ଚାଳକଙ୍କ ପାଇଁ ଭଲ ଖବର। ଏହି ନମ୍ବର ପ୍ଲେଟ ପାଇଁ ସମୟ ଅବଧି ବୃଦ୍ଧି ହେବା ନିଷ୍ପତ୍ତି ସମ୍ପର୍କରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଏ ନେଇ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ।

ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନିମନ୍ତେ ଏକ ମାସ ସମୟ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ। ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନିମନ୍ତେ ସମୟ ସୀମା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯିବା ସହ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଦୁଇଜଣ ବସ୍ ମାଲିକ।

ଭିତ୍ତିମୂମି ନକରି ହାଇସିକ୍ୟୁରିଟି ନିମନ୍ତେ ରହିଥିବା ସମୟ ଅବଧି ଶେଷ କରିବାକୁ ପରିବହନ ବିଭାଗ ଘୋଷଣା କରିଥିଲା। ଏହା ସହ ଏହି ନମ୍ବର ପ୍ଲେଟ ଲଗାଇନଥିବା କିମ୍ବା ରେଜିଷ୍ଟ୍ରେସନ କରିନଥିବା ଗାଡ଼ିଗୁଡ଼ିକ ପାଇଁ ୫ରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା। ଯାହାକୁ ନେଇ ଗାଡ଼ି ଚାଳକ ଏବଂ ଗାଡ଼ିମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।

ଦୁଇ ବସ୍ ମାଲିକଙ୍କ ମାମଲାର ବିଚାର କରି ଭିତ୍ତିମୂମି ନଥାଇ କିଭଳି ଡେଡଲାଇନ ଘୋଷଣା କରାଗଲା ବୋଲି ପରିବହନ ବିଭାଗକୁ ପ୍ରଶ୍ନ କରିଥିଲେ ହାଇକୋର୍ଟ। ଏହା ସହିତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ସମୟ ଅବଧି ବୃଦ୍ଧି ହେବ କି ନାହିଁ ସ୍ପଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଏଥିପାଇଁ ଆଉ ଏକ ମାସ ସମୟ ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇଥିବା ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ପରିବର୍ତ୍ତୀ ଶୁଣାଣି ଆସନ୍ତା ଅକ୍ଟୋବର ମାସ ୨୬ ତାରିଖ କରାଯିବ।

ଆସନ୍ତା ଅକ୍ଟୋବର ମାସ ପର୍ଯ୍ୟନ୍ତ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ନିମନ୍ତେ ସମୟ ସୀମା ଧାର୍ଯ୍ୟ କରାଯାଇଛି। ଗ୍ରାମାଞ୍ଚଳର ଗାଡ଼ି ଚାଳକ ଏବଂ ମାଲିକମାନଙ୍କ ନିମନ୍ତେ କ୍ୟାମ୍ପ କରି ସୁବିଧା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ରହିଛି। ସ୍ଲଟ ବୁକିଂ ପାଇଁ ପୋଷ୍ଟ ଅଫିସ, ଜନସେବା କେନ୍ଦ୍ରକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି।

Tags: #NumberPlate #HighSecurityNumberPlate #DeadlineExtended #HighCourt

Comment