ଓଡ଼ିଶାଲାଇଭ୍ ବ୍ୟୁରୋ

ଘରେ ପୋଷା କୁକୁର ରଖିବାକୁ ଚାହୁଥିଲେ ପ୍ରଥମେ ବିଏମସି ପାଖରେ କରିବାକୁ ହେବ ପଞ୍ଜିକରଣ। ନଚେତ କୁକୁର ରଖିବାକୁ ମିଳିବନି ଅନୁମତି ଖୁବଶ୍ରୀଘ୍ର ଏନେଇ ଏସଓପି ଆସିବ ବୋଲି କହିଛନ୍ତି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ପୋଷା କୁକୁର ରଖିବାକୁ ନେଇ ଇନଫୋସିଟି ଅଂଚଳରେ ତୁମୁଳକାଣ୍ଡ ହେବା ପରେ ବିଏମସି ନୂଆ ଗାଇଡଲାଇନ ଆଣିବାକୁ ଯାଉଛି

ପୋଷା କୁକୁର ରଖିବା ପାଇଁ ପଞ୍ଜିକରଣଠାରୁ ନେଇ କୁକୁରଙ୍କ ମଳତ୍ୟାଗ, ସେମାନଙ୍କୁ ବାହାରେ ବୁଲାଇବା ପାଇଁ ଆବଶ୍ୟକ ନିୟମ ଧାର୍ଯ୍ୟ କରାଯିବ କୁକୁରଙ୍କୁ ନିୟମିତ ଟିକାକରଣ ସହ ସେମାନଙ୍କ ଖାଦ୍ୟପେୟ ସ୍ୱାସ୍ଥ୍ୟଗତଦିଗକୁ ମଧ୍ୟ ବିଚାରକୁ ନେଇ ଗାଇଡଲାଇନରେ ବ୍ୟବସ୍ଥା ରହିବ କେଉଁ କେଉଁ ସର୍ବସାଧାରଣ ସ୍ଥାନକୁ ପୋଷା କୁକୁରଙ୍କୁ ନେଇହେବ ଏଥିପାଇଁ ସବୁ ନିୟମ ରହିବ ତାହା ବି ଏସଓପିରେ ରଖାଯିବ

ରାଜଧାନୀରେ କେବଳ ୬ ପ୍ରଜାତିର ବିଦେଶୀ କୁକୁର ପାଳନ ପାଇଁ ଅନୁମତି ଦିଆଯିବ। ଅନ୍ୟ ରାଜ୍ୟ ଓ ଦେଶଗୁଡ଼ିକରେ ବ୍ୟାନ୍‍ ଥିବା କୁକୁର ପ୍ରଜାତିକୁ ରାଜଧାନୀରେ ପାଳନ ପାଇଁ ଅନୁମତି ଦିଆଯିବ ନାହିଁ। ଯେଉଁ ବିଦେଶୀ କୁକୁର ସହରରେ ରହିବ, ତାହାର ସମସ୍ତ ତଥ୍ୟ ବିଏମ୍‍ସି ନିକଟରେ ଉପଲବ୍ଧ କରାଯିବ।

ନିକଟରେ ଗୁରୁଗ୍ରାମରେ କୁକୁର କାମୁଡ଼ା ଘଟଣା ସହ ଇନ୍‍ଫୋସିଟିରେ ହୋଇଥିବା ବିବାଦ ପରେ ବିଏମ୍‍ସି ତତ୍ପର ହୋଇଛି। କୁକୁର ପାଳନ କରିବାକୁ ଚାହୁଥିବା ଲୋକଙ୍କ ସହିତ ଅନ୍ୟ ଲୋକମାନଙ୍କର ଯେମିତି କୌଣସି ସମସ୍ୟା ନ ହୁଏ ତାକୁ ଅନୁଧ୍ୟାନ କରି ଏକ ମାର୍ଗଦର୍ଶିକା ଜାରି କରାଯିବ ବୋଲି ବିଭାଗ ସୂତ୍ରରୁ ଖବର ମିଳିଛି।

ବର୍ତ୍ତମାନ ଭୁବନେଶ୍ୱରରେ ବହୁ ପ୍ରଜାତିର ବିଦେଶୀ କୁକୁର ରହିଛନ୍ତି। ଅନେକ ଲୋକ ନିଜର ଶୌଖ ସହିତ ପଶୁପ୍ରେମୀମାନେ କୁକୁର ରଖିଛନ୍ତି। ମାତ୍ର ଏହି କୁକୁର ଭୁବନେଶ୍ୱରରେ ରହିବା ପାଇଁ ଯୋଗ୍ୟ କିମ୍ବା ସମ୍ପୃକ୍ତ ପ୍ରଜାତି ଓଡ଼ିଶା ପରିବେଶ ସହିତ ଖାପ୍‍ ଖୁଆଇ ପାରୁଛି କି ନାହିଁ ତାର କୌଣସି ଅନୁଧ୍ୟାନ କରାଯାଉ ନାହିଁ।

ଏମିତି ସହରରେ କେତେ ପ୍ରଜାତିର କୁକୁରୁ ରହୁଛନ୍ତି ଓ ବିଦେଶୀ କୁକରଙ୍କ ସଂଖ୍ୟା ବାବଦରେ ମଧ୍ୟ ବିଏମ୍‍ସି ନିକଟରେ ତଥ୍ୟ ନାହିଁ। ଯାହାକି ବଡ଼ବଡ଼ ସହରର ପୌର ସଂସ୍ଥାମାନେ ବିଦେଶୀ କୁକୁର ସମ୍ପର୍କରେ ସମସ୍ତ ତଥ୍ୟ ରଖୁଛନ୍ତି। ଆନିମଲ ୱେଲଫେୟାର ବୋର୍ଡ ଅଫ୍‍ ଇଣ୍ଡିଆର ନିର୍ଦ୍ଦେଶ ଅନୁସାରେ ଦିଲ୍ଲୀ, ମୁମ୍ୱଇ, ଚଣ୍ଡିଗଡ଼, ବେଙ୍ଗାଲୁରୁ, କୋଚି ଭଳି ଅନେକ ସହରରେ ପୋଷା ପଶୁ ମାର୍ଗଦର୍ଶିକା ରହିଛି। ଏହି ଆଧାରରେ ବିଏମସି ମଧ୍ୟ ମାର୍ଗଦର୍ଶିକା ଆଣିବାକୁ ଯୋଜନା କରିଛି।

ନୂଆ ମାର୍ଗଦର୍ଶିକାରେ କୁକୁରଗୁଡ଼ିକର ପଞ୍ଜୀକରଣ ବାଧ୍ୟତାମୂଳକ କରାଯିବା ସହିତ କୁକୁରଙ୍କର ନିୟମିତ ଟିକାକରଣ ସୁନିଶ୍ଚିତ କରିବେ। ଏହାସହିତ ବିଏମ୍‍ସି ପକ୍ଷରୁ ଏକ ନିର୍ଦ୍ଦିଷ୍ଟ ସମୟ ଘୋଷଣା ହେବ ଓ ଏହି ସମୟରେ ଲୋକମାନେ କୁକୁର ବାହାରକୁ ବୁଲାଇବାକୁ ନେବେ ବୋଲି ଜଣାପଡ଼ିଛି। ଯଦି କୌଣସି ଗୃହପାଳିତ ପଶୁ ଅନ୍ୟ କାହାର କ୍ଷତି ଘଟାଏ ତେବେ ଏଥିପ୍ରତି ଆଇନ୍‍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

 

ଏହି ମାର୍ଗଦର୍ଶିକା ସହିତ କେବଳ ୬ଟି ନିର୍ଦ୍ଦିଷ୍ଟ ପ୍ରଜାତି କୁକୁର ପାଳନ ପାଇଁ ଅନୁମତି ଦିଆଯିବ ବୋଲି ସୂଚନା ମିଳିଛି। ଏଥିରେ କେଉଁ ପ୍ରଜାତି ଆପାର୍ଟମେଣ୍ଟ, କଲୋନୀ ଓ ସାଧାରଣ ସ୍ଥାନ ଆଦିରେ ରହିପାରିବେ ତାହାର ତଥ୍ୟ ଅନୁଧ୍ୟାନ ପରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

 ନିକଟରେ ଭୁବନେଶ୍ୱର ଇନ୍‍ଫୋସିଟି ଥାନା ତପସ୍ୱିନୀ କଲୋନୀରେ ୮ ବର୍ଷର ନାବାଳକ ଅର୍ଜୁନକୁ ବିଦେଶୀ କୁକୁର ସିଜର୍‍ କାମୁଡ଼ିବା ଘଟଣାକୁ ନେଇ ବିବାଦ ଦେଖାଦେଇଛି। କୁକୁରକୁ କଲୋନୀରୁ ବିଦା କରିବାକୁ କିଛି ଲୋକ ଦାବି କରୁଥିବା ବେଳେ କୁକୁରକୁ ଛାଡ଼ିବାକୁ ମାଲିକ ନାରାଜ ଥିଲେ। ମାମଲା ଥାନାରେ ପହଞ୍ଚିବା ପରେ କୁକୁରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

Tags: #AnimalAttack #BMC #Bhubaneswar #Dog #PetAnimal #Permission #Registration

Comment