ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ସହରକୁ ଗୋଟିଏ ଦନ୍ତାହାତୀ ପଶି ଆସିବାରୁ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଥିଲେ। ଶୁକ୍ରବାର ସନ୍ଧ୍ୟାରେ ନୟାଗଡ଼ ସହର ନିକଟସ୍ଥ ରୁକ୍ଷୀ ପାହଡ଼ରେ ଏକ ଦନ୍ତାହାତୀକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ। ଏହା ପରେ ବନ  ବିଭାଗକୁ ଖବର ଦିଆଯାଇଥିଲା।

ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀଟିକୁ ଘଡ଼ାଇବାକୁ ଚେଷ୍ଟା କରିଥିଲେ। କିଛି ସମୟ ପରେ ହାତୀଟି ନୟାଗଡ଼ ସହରରେ ଥିବା ଜିଲ୍ଲାପାଳ ଏବଂ ଏସପିଙ୍କ ବାସଭବନ ଆଡ଼କୁ ଚାଲି ଆସିଯାଇଥିଲା। ହାତୀଟିକୁ ସହର ଭିତରେ ଦେଖି ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ଜନସାଧାରଣ। ସୁରକ୍ଷା ଦୃଷ୍ଟିରୁ ଜଗନ୍ନାଥ ମନ୍ଦିର ରାସ୍ତାଠାରୁ ଡିଆରଡିଏ ରାସ୍ତାରେ ଯାତାୟତ ବନ୍ଦ କରାଯାଇଥିଲା।

ଦୀର୍ଘ ସମୟ ଚେଷ୍ଟା ପରେ ହାତୀଟିକୁ ଘଉଡ଼ାଇ ଜନବସତିଠାରୁ ୭ କିଲୋମିଟର ଦୂରରେ ଥିବା ଶୁଳିଆ ସଂରକ୍ଷିତ ଜଙ୍ଗଲରେ ଛାଡ଼ିଥିଲେ ବନ କର୍ମଚାରୀ। ୪୫ କିଲୋମିଟର ଦୂରରେ ଥିବା ନୂଆଗାଁ ଗୁମ୍ମି ସଂରକ୍ଷିତ ଜଙ୍ଗଲରୁ ପଲରୁ ହାତୀଟି ଅଲଗା ହୋଇ ନୟାଗଡ଼ ଅଭିମୁଖେ ଆସିଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

Tags: #Nayagarh #NayagarhTown #Elephant

Comment