ଓଡ଼ିଶାଲାଇଭ୍ ବ୍ୟୁରୋ

ବେଆଇନ ଭାବେ ସମ୍ପତ୍ତି ଠୁଳ କରିବା ମହଙ୍ଗା ପଡ଼ିଲା, ବନ୍ଧା ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କୁ ଶନିବାର ଦିନ ଗିରଫ କରିଛି ସୁନ୍ଦରଗଡ଼ ଭିଜିଲାନ୍ସ। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ବିଭାଗ ପ୍ରଶାନ୍ତଙ୍କ ନିକଟରୁ ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିବାବେଳେ ଏତେ ସମ୍ପତ୍ତି କୁଆଡ଼ୁ ଆସିଲା ତା’ର ଖୋଳତାଡ଼ କରୁଛି ଟିମ୍।

ଶୁକ୍ରବାର ଦିନ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ଵର ଘର, ନବରଙ୍ଗପୁରସ୍ଥିତ ସରକାରୀ ବାସଭବନ ଏବଂ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସ ବିଭାଗ। ଖୋଳତାଡ଼ ବେଳେ ନଗଦ ୩ କୋଟି ୨ ଲକ୍ଷ ଟଙ୍କା, ୫ଟି ବେନାମୀ ଆକାଉଣ୍ଟରେ ମୋଟ ୬୧ ଲକ୍ଷ ଟଙ୍କା, ଭୁବନେଶ୍ଵରରେ କୋଠା, ବିଭିନ୍ନ ସ୍ଥାନରେ ୫ଟି ପ୍ଲଟ, ୨ଟି କାର ଓ ପିଲାଙ୍କ ପାଠପଢ଼ା ବାବଦ ଖର୍ଚ୍ଚ ୮୭ ଲକ୍ଷ ଟଙ୍କା ମିଳିଛି।

ଭିଜିଲାନ୍ସ ଅଧିକାରୀ ପ୍ରଶାନ୍ତ ରାଉତଙ୍କ ଘରୁ ଠାବ କରିଥିବା ଅମାପ ସମ୍ପତ୍ତିର ହିସାବ ମାଗିଥିଲେ। କିନ୍ତୁ ଠିକ୍ ଭାବେ ତଥ୍ୟ ଦେଇପାରି ନଥିଲେ ପ୍ରଶାନ୍ତ ରାଉତ। ଫଳରେ ଶନିବାର ଦିନ ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ଭିଜିଲାନ୍ସ ସ୍ପେସାଲ ସେଲ୍ ଏସପି ଏମ ରାଧାକ୍ରିଷ୍ଣନ।

ଆଳୁ ଖୋଳୁ ଖୋଳୁ…

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିବା ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ପୂର୍ବରୁ ୨୦୧୮ ମସିହାରେ ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିଥିଲେ। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକରେ ବିଡିଓ ଥିବାବେଳେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏହି ମାମଲାରେ ପ୍ରଶାନ୍ତଙ୍କ ଘରେ ଖୋଳତାଡ଼ କରିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କୁ ମିଳିଥିଲା ପୁଳାପୁଳା ଟଙ୍କା।

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ୨୦୧୮ ମସିହାର ଏକ ମାମଲାରେ ଘର ସର୍ଚ୍ଚ ବେଳେ ପ୍ରଶାନ୍ତ ରାଉତଙ୍କର ଅମାପ ସମ୍ପତ୍ତି ଦେଖି ଜଳକା ହୋଇଯାଇଥିଲେ ଭିଜିଲାନ୍ସ ଟିମ୍।

ପଡ଼ୋଶୀଙ୍କ ଘରୁ ବାହାରିଲା ପ୍ରଶାନ୍ତଙ୍କ ଟଙ୍କା

ଶୁକ୍ରବାର ଦିନ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଖୋଳତାଡ଼ କରିବା ସମୟରେ ମିଳିଥିଲା ନଗଦ ୨ କୋଟି ୨୫ ଲକ୍ଷ ଟଙ୍କା। ଏହା ସହ ଏକ ବ୍ରିଫକେସରୁ ସୁନା ଗହଣା, ଗୋଲ୍ଡ କଏନ, ଜମିର କାଗଜପତ୍ର ଏବଂ ବ୍ୟାଙ୍କ ପାସବୁକ୍ ମିଳିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ପ୍ରଶାସନ୍ତଙ୍କର ଟଙ୍କା ତାଙ୍କ ପଡ଼ୋଶୀ ଘରୁ ଜବତ କରିଥିଲା ଭିଜିଲାନ୍ସ ଟିମ୍।

ଅସଲ କଥା ହେଲା ଭିଜିଲାନ୍ସ ଟିମ୍ ଭୁବନେଶ୍ଵର କାନନ ବିହାର ବାସଭବନ ଗେଟ୍ ନିକଟରେ ଛିଡ଼ା ହୋଇଥିବା ଖବର ପାଇ ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ନାୟକ ଟଙ୍କା ଭର୍ତ୍ତି ଥିବା ୬ଟି ପେଟିକୁ ପଡ଼ୋଶୀ ଘର ଛାତ ଉପରକୁ ଫିଙ୍ଗି ଦେଇଥିଲେ। ଛାତ ଉପରେ ଟଙ୍କା ପେଟି ଦେଖି ଉଠାଇ ନେଇଥିଲେ ପଡ଼ୋଶୀ। ପ୍ରଶାନ୍ତଙ୍କ ଘରେ ରେଡ ଚାଲିଥିବାବେଳେ ତାଙ୍କ ପଡ଼ୋଶୀଙ୍କ ଘରେ ପହଞ୍ଚିଥିଲେ ଭିଜିଲାନ୍ସ ଟିମ୍। ପଡ଼ୋଶୀଙ୍କ ଘରୁ ଟଙ୍କା ପେଟି ଜବତ କରାଯାଇଥିଲା।

ନବରଙ୍ଗପୁରଡିଆରଡିଏ କଲୋନୀର ବାସଭବନରୁ ମଧ୍ୟ ୫୬ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ପ୍ରଶାନ୍ତ ରାଉତ ଅନେକ ବେନାମୀ ଆକାଉଣ୍ଟରେ ଟଙ୍କା ଡିପୋଜିଟ କରିଥିବା ଭିଜିଲାନ୍ସ ବିଭାଗ ଜାଣିବା ପରେ ଏହାର ଖୋଳତାଡ଼ ଚାଲିଛି।

Tags: #VigilanceRaid #PrasantRout #BlackMoney #NabarangpuradditionalSubcollector #DisproportionateAssets

Comment