ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଆଜିର ଇଣ୍ଟରନେଟ୍ ଓ ଟେକ୍ନୋଲୋଜି ଯୁଗରେ ଜଣେ ଚାହିଁଲେ ପୃଥିବୀର ଯେକୌଣସି ସ୍ଥାନରେ ଥାଇ ମୋବାଇଲ୍ ଜରିଆରେ ନିଜ ଘରର ବିଭିନ୍ନ ଉପକରଣକୁ ନିୟନ୍ତ୍ରଣ କରିପାରିବେ। ଘରର ଡିଜିଟାଲ ଲକିଂ ସିଷ୍ଟମଠାରୁ ଆରମ୍ଭ କରି ଆଲୋକ ବ୍ୟବସ୍ଥା, ଏସି ଓ ଫ୍ରିଜ୍ ପର୍ଯ୍ୟନ୍ତ ନିଜ ହାତମୁଠାରେ ସବୁକିଛି ପରିଚାଳନା କରିପାରିବେ। ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ ଏହିଭଳି ବିଭିନ୍ନ ଅତ୍ୟାଧୁନିକ ମଡେଲ ଉପସ୍ଥାପନ କରିଥିଲେ ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ।

ମିଳିତ ଜାତିସଂଘ ପକ୍ଷରୁ ପ୍ରତି ବର୍ଷ ଜୁଲାଇ ୧୫ ତାରିଖକୁ ବିଶ୍ୱ ଯୁବ ଦକ୍ଷତା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହାର ଥିମ୍ ରହିଛି ‘ଏକ ରୂପାନ୍ତରିତ ଭବିଷ୍ୟତ ପାଇଁ ଶିକ୍ଷକ, ପ୍ରଶିକ୍ଷକ ଓ ଯୁବପିଢ଼ିଙ୍କ ଦକ୍ଷତା ବିକାଶ’। ଏହି ଅବସରରେ ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଓ୍ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ୱ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନେ ବିଭିନ୍ନ ଆକର୍ଷଣୀୟ ମଡେଲ୍ ମାଧ୍ୟମରେ ସେମାନଙ୍କର ବୈଷୟିକ ଦକ୍ଷତା ଓ ଅଭିନବ ପରିକଳ୍ପନା ପ୍ରଦର୍ଶନ କରିଥିଲେ।

ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷା ତଥା ବିଶ୍ୱ ଦକ୍ଷତା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଳକା ମିଶ୍ର ଏହି ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏହାସହ ସେ ବିଭିନ୍ନ ଅଭିନବ ପ୍ରକଳ୍ପର ପରିକଳ୍ପନା କରିଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।

ଏହି କେନ୍ଦ୍ରର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଅଧୀନରେ ଥିବା ୪ଟି ବିଭାଗର ଯୁବ ପ୍ରତିଯୋଗୀମାନେ ଟ୍ରେନ୍ ସିଗନାଲିଂ ପରିଚାଳନା ଲାଗି ଅଟୋମେଟିକ୍ ଟ୍ରେନ୍ ଟ୍ରାକ୍ ଇଣ୍ଟରଲକିଂ ସିଷ୍ଟମ, ଲିଫ୍ଟ ପରିଚାଳନା ଲାଗି ପ୍ରୋଗ୍ରାମିଂ, ଅଟୋମେଟିକ ପାର୍କିଂ ସିଷ୍ଟମ, ଦୃଷ୍ଟିବାଧିତଙ୍କ ସୁବିଧା ପାଇଁ ଭିଜନ ପ୍ଲସ୍ ଡିଭାଇସ୍, ସ୍ମାର୍ଟ ହୋମ୍ ପରିଚାଳନା ପାଇଁ ଇଣ୍ଟେଲି ହୋମ୍ ଏବଂ ସ୍ମାର୍ଟ ଡେକୋରେସନ୍ ଲାଗି ଇଭାପୋରେଟର ସିଷ୍ଟମ ଆଦି ମଡେଲ୍ ପ୍ରଦର୍ଶନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ।

ସେହିପରି ସ୍କୁଲ ଅଫ୍ ସର୍ଭିସେସ୍ ଅଧୀନରେ ଥିବା ୨ଟି ବିଭାଗର ଛାତ୍ରଛାତ୍ରୀମାନେ ଆଧୁନିକ ହେୟାର ଡିଜାଇନିଂ ଷ୍ଟାଇଲ୍ ଉପସ୍ଥାପନ କରିଥିଲେ। ସେମାନେ ଛାତ୍ରୀମାନଙ୍କୁ ମଡେଲ୍ ଭାବେ ବ୍ୟବହାର କରି ଆକର୍ଷଣୀୟ ଢଙ୍ଗରେ ବିଭିନ୍ନ ସାମାଜିକ ଓ ପରିବେଶ ସମ୍ପର୍କିତ ବାର୍ତ୍ତା ଦେଇଥିଲେ।

କେନ୍ଦ୍ରର ଅଧ୍ୟକ୍ଷ ସଙ୍ଗରନ୍ ଗୋପାଲ, ଉପାଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସ, ନିର୍ଦ୍ଦେଶକ (ପ୍ରଶାସନ) କେରଓ୍ୱିନ୍ ହିଙ୍ଗ୍ ପ୍ରମୁଖ ପ୍ରଦର୍ଶନୀ ବୁଲି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ମଡେଲ ବିଷୟରେ ପଚାରି ବୁଝିଥିଲେ।

“ଆଜି ପୃଥିବୀରେ ବଢୁଥିବା ଚାହିଦା ଅନୁଯାୟୀ, ଦକ୍ଷତା ବିକାଶ କ୍ଷେତ୍ରରେ ବିଶ୍ୱସ୍ତରୀୟ ମାନବ ସମ୍ବଳ ସୃଷ୍ଟି ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଆଧୁନିକ ତାଲିମ ପାଠ୍ୟକ୍ରମ ଦିଆଯାଉଛି। ଆଜିର କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅଭିନବ ପ୍ରକଳ୍ପ ଲାଗି ଉତ୍ସାହ ଭରିଦେବ। ସେହିପରି ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ବାତାବରଣ ମଧ୍ୟ ତିଆରି କରିବ”, କହିଛନ୍ତି କେନ୍ଦ୍ରର ଉପାଧ୍ୟକ୍ଷ ଶୁଭଙ୍ଗ କିଶୋର ଦାସ।

ଏହି ପ୍ରଦର୍ଶନୀରେ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ମୋଟ ୨୪ଟି ମଡେଲ୍ ଉପସ୍ଥାପନ କରିଥିଲେ। ପ୍ରତ୍ୟେକ ମଡେଲ୍ ପଛରେ ଥିବା ପରିକଳ୍ପନା, ବିଜ୍ଞାନ ଓ ଏହାର କାର୍ଯ୍ୟଦକ୍ଷତା ବିଷୟରେ ଛାତ୍ରଛାତ୍ରୀମାନେ ଅତିଥି ଓ ସହପାଠୀମାନଙ୍କ ସାମ୍ନାରେ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରୁ ବିଜେତାମାନଙ୍କୁ ବିଶ୍ୱ ଦକ୍ଷତା କେନ୍ଦ୍ର ପକ୍ଷରୁ ପୁରସ୍କୃତ କରାଯିବ।

ଆଜିର ପରିବର୍ତ୍ତିତ ବିଶ୍ୱରେ ଦକ୍ଷତା ହିଁ ଶକ୍ତି ଭାବେ ଉଭା ହୋଇଛି। ତେଣୁ ସୁଦକ୍ଷ ଯୁବକ ଯୁବତୀମାନେ ହିଁ ଗୋଟିଏ ଦେଶର ଭବିଷ୍ୟତ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ। ବିଶ୍ୱ ଯୁବ ଦକ୍ଷତା ଦିବସ ଏହି କଥା ମନେ ପକାଇଦେଉଛି।

ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ବିଶ୍ୱସ୍ତରୀୟ ଦକ୍ଷତାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ‘ସ୍କିଲ୍ଡ ଇନ୍ ଓଡ଼ିଶା’ ଅଭିଯାନ ଅଧୀନରେ ‘ବିଶ୍ୱ ଦକ୍ଷତା କେନ୍ଦ୍ର’ ପ୍ରତିଷ୍ଠା କରାଯାଇଛି। ଦକ୍ଷତା ବିକାଶ କ୍ଷେତ୍ରରେ କ୍ୟାରିୟର ଗଢ଼ିବା ପାଇଁ ଏହା ଓଡ଼ିଶାର ଯୁବପିଢ଼ିଙ୍କ ଭିତରେ ଏକ ନୂତନ ଆକାଂକ୍ଷା ସୃଷ୍ଟି କରିପାରିଛି।

ରାଜ୍ୟର ସରକାରୀ ଓ ଘରୋଇ ଶିଳ୍ପ ତାଲିମ କେନ୍ଦ୍ରରୁ ୨ ବର୍ଷିଆ ଆଇଟିଆଇ, ୩ ବର୍ଷିଆ ଡିପ୍ଲୋମା ପାଠ୍ୟକ୍ରମ କିମ୍ବା ଯୁକ୍ତ ଦୁଇ ପାସ୍ କରିଥିବା ପ୍ରାର୍ଥୀମାନଙ୍କ ପାଇଁ ଏଠାରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ବର୍ଷିକିଆ ତାଲିମ କାର୍ଯ୍ୟକ୍ରମ ଦିଆଯାଉଛି। ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଥିବା ନୂତନ ସେସନ୍ ନିମନ୍ତେ ନାମଲେଖା ପାଇଁ ଇତିମଧ୍ୟରେ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି।

Tags: #WorldSkillCenter #SkillDevelopment #InnovativeExhibition#Careers #Education #WorldYouthSkillDay

Comment