ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ଗୋଟେ କଂଗ୍ରେସ ପରିବାରର ମଣିଷ। ପିଲାଟି ଦିନରୁ କଂଗ୍ରେସ ବାବଦରେ ଭଲ ଶିକ୍ଷା ପାଇଛି। ମୋ ବାପା ବସନ୍ତ କୁମାର ବିଶ୍ଵାଳଙ୍କର ଓଡ଼ିଶାରେ କଂଗ୍ରେସ ପାଇଁ ଅନେକ ଯୋଗଦାନ ରହିଛି। ମୋ ଭାଇ ମଧ୍ୟ କଂଗ୍ରେସର ଜଣେ ସଦସ୍ୟ। ଆମେ ସମସ୍ତେ କଂଗ୍ରେସକୁ ମଜବୁତ କରିବାକୁ ଚେଷ୍ଟା ଜାରି ରଖିଛୁ। ବେଇମାନି କରିବା ମୋ ରକ୍ତରେ ନାହିଁ। କଂଗ୍ରେସ ଦଳରେ ରହି ପଛରୁ ଛୁରାଘାତ କରିବା ଆମେ ଶିଖି ନାହୁଁ। ଦଳ ବିରୋଧୀ କାର୍ଯ୍ୟ ତ ଦୂର କଥା ଏ ବିଷୟରେ ସ୍ଵପ୍ନରେ ବି ଭାବିନାହିଁ”, କଂଗ୍ରେସରୁ ନିଲମ୍ବିତ ହେବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଚିରଞ୍ଜୀବ ବିଶ୍ଵାଳ।

କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳ ଏବଂ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଶନିବାର ଦିନ ଦଳରୁ ନିଲମ୍ବିତ କରିଥିଲା ଏଆଇସିସି ଶୃଙ୍ଖଳା କମିଟି। ଦଳ ବିରୋଧୀ କାର୍ଯ୍ୟ ପାଇଁ ପିସିସି ସଭାପତିଙ୍କ ଅଭିଯୋଗ କ୍ରମେ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା।

ନିଲମ୍ବନକୁ ନେଇ ଦୁଇଦିନ ଧରି ନୀରବ ରହିଥିବା ଚିରଞ୍ଜୀବ ସୋମବାର ଦିନ ଏହାକୁ ନେଇ ମୁହଁ ଖୋଲିଛନ୍ତି। ଚିରଞ୍ଜୀବ କହିଛନ୍ତି ସେ ଦଳର ଜଣେ ଶୃଙ୍ଖଳିତ କର୍ମୀ। ସେ ଦଳ ବିରୋଧୀ କୌଣସି କାର୍ଯ୍ୟ କରିନାହାନ୍ତି, କିନ୍ତୁ କାହିଁକି ତାଙ୍କୁ କାହିଁକି ନିଲମ୍ବନ ନୋଟିସ୍ ଦିଆଗଲା ତାହା ତାଙ୍କୁ ଚକିତ କରିଛି।

ଗତ ମେ’ ୮ ତାରିଖରେ ଜୟଦେବ ଭବନଠାରେ ‘ବସନ୍ତ ବାବୁ ଓ ଜାନକୀ ବାବୁଙ୍କ ଯୋଡ଼ି କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷ ସେମିନାରେ ଯୋଗ ଦେଇ ଚିରଞ୍ଜୀବ କହିଥିଲେ, ବସନ୍ତ ବାବୁ ଏବଂ ଜାନକୀ ବାବୁଙ୍କ ଯୋଡ଼ି ପାଇଁ କଂଗ୍ରେସ ଓଡ଼ିଶାରେ ତିନି ତିନି ଥର ସରକାର ଗଢ଼ିଥିଲା। ସେହିପରି ଯଦି ତୃଣମୂଳ ସ୍ତରରେ କାର୍ଯ୍ୟ କରାଯିବ ତେବେ କଂଗ୍ରେସ ପୁଣି ତା’ର ପୁରୁଣା ସ୍ଥିତି ଫେରି ପାଇବ। ୨୦୧୯ ପରଠାରୁ କଂଗ୍ରେସର ଭୋଟ ହାର କମୁଥିବା କହିବା ସହ ନିର୍ବାଚନ ସମୟରେ ପ୍ରାର୍ଥୀ ଘୋଷଣାକୁ ନେଇ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଚିରଞ୍ଜୀବଙ୍କ ଏହି ମନ୍ତବ୍ୟ ପରେ ତାଙ୍କୁ ଦଳର କିଛି ସଦସ୍ୟ ବିରୋଧ କରିଥିବା ସେ କହିଛନ୍ତି।

କଂଗ୍ରେସର ୯ରୁ ୯୦ ମିଶନ ପୂରଣ ପରିବା ପାଇଁ କଂଗ୍ରେସ ନେତାମାନେ ତୃଣମୂଳସ୍ତରକୁ ଯିବାକୁ ପଡ଼ିବ ବୋଲି କହିଥିଲେ ଚିରଞ୍ଜୀବ।

ଝାରସୁଗୁଡ଼ା ଉପନିର୍ବାଚନରେ କଂଗ୍ରେସ ଯେଉଁଭଳି ଭାବେ ଅମାନତ ହରାଇଲା ତା’ ପାଇଁ ଚିରଞ୍ଜୀବଙ୍କ ମନ୍ତବ୍ୟକୁ ଦାୟୀ କରାଯାଇଥିଲା ବୋଲି କହିଛନ୍ତି ଚିରଞ୍ଜୀବ।

“ଯଦି କଂଗ୍ରେସ ଝାରସୁଗୁଡ଼ାରେ ମୋ ପାଇଁ ୪ ହଜାର ଭୋଟ ପାଇଲା ତେବେ ଏହା ପୂର୍ବରୁ ହୋଇଥିବା ଧାମନଗର ଓ ପଦମପୁର ଉପନିର୍ବାଚନରେ କାହିଁକି ଏତେ କମ୍ ପରିମାଣର ଭୋଟ ଆସିଲା ତା’ର ତର୍ଜମା କରାଯାଇଛି?”, ପ୍ରଶ୍ନ କରିଛନ୍ତି ଚିରଞ୍ଜୀବ ବିଶ୍ଵାଳ।

୨୦୧୯ ନିର୍ବାଚନରେ କଂଗ୍ରେସ ୧୬ ପ୍ରତିଶତ ଭୋଟ ପାଇଥିଲା। ଏହାପରେ ୫ଟି ଉପନିର୍ବାଚନ ହୋଇଥିଲା। କେବଳ ତିର୍ତ୍ତୋଲ ଉପନିର୍ବାଚନକୁ ଛାଡ଼ିଦେଲେ ସବୁ ଉପନିର୍ବାଚନରେ କଂଗ୍ରେସର ଭୋଟ ହାର ୩ରୁ ୪ ପ୍ରତିଶତ ମଧ୍ୟରେ ରହିଥିଲା। କଂଗ୍ରେସର ଲୋକ ପ୍ରିୟତା କାହା ପାଇଁ କମିବାକୁ ଲାଗିଛି ବୋଲି ସେ ପ୍ରଶ୍ନ କରିଥିଲେ।

“ବସନ୍ତ ବାବୁ-ଜାନକୀ ବାବୁଙ୍କ ଯୋଡ଼ି ସୁବର୍ଣ୍ଣ ଯୁଗକୁ ଇର୍ଶା କରୁଛନ୍ତି କଂଗ୍ରେସର କିଛି ଲୋକ। ଖାଲି ପଦ ପଦବୀରେ ରହି ନିଜର ଫାଇଦା ହାସଲ କରିବା ଲାଗି ଯଦି କଂଗ୍ରେସ ଦଳରେ କାର୍ଯ୍ୟ କରିବା ତେବେ ଦଳ ଆଗକୁ ବଢ଼ି ପାରିବ ନାହିଁ। ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ। ଦଳରୁ ନିଲମ୍ବନ କରାଯିବା ମୋତେ ଅତ୍ୟନ୍ତ କଷ୍ଟ ଦେଇଛି। ମୁଁ ନିଲମ୍ବିତ ହେବା ପରେ ମଧ୍ୟ ଦଳରେ ଅଛି। କିଛି କୁଚକ୍ରୀ ଗୋଷ୍ଠୀ ମୋତେ ଦଳରୁ ଦୂରେଇ ଦେବାକୁ ଚେଷ୍ଟା କରୁଛନ୍ତି। ମୋତେ ଦଳରୁ ନିଲମ୍ବନ କରିବା ଦଳ ପାଇଁ ଶୁଭଙ୍କର କି ନାହିଁ ତାହା କଂଗ୍ରେସ କର୍ମୀ, ନେତା ଏବଂ ସମର୍ଥକ ଚିନ୍ତା କରିବା ଆବଶ୍ୟକତା ରହିଛି”, କହିଛନ୍ତି କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ।

“୨୦୧୯ ନିର୍ବାଚନ ପରଠାରୁ କ୍ରମାଗତ ଭାବେ କଂଗ୍ରେସର ଭୋଟ ହାର କମିବାକୁ ଲାଗିଛି। ସତ କହିବା ଯଦି ମୋର ଭୁଲ ତେବେ ମୁଁ ଭୁଲ କରିଛି। ଦଳର ମଙ୍ଗଳ ପାଇଁ ବିଲେଇ ବେକରେ କିଏ ନା କିଏ ଘଣ୍ଟି ତ ବାନ୍ଧିବାକୁ ପଡ଼ିବ”, କହିଛନ୍ତି ଚିରଞ୍ଜୀବ।

ରାଜ୍ୟର ଯେଉଁ ଜିଲ୍ଲାଗୁଡ଼ିକରେ କଂଗ୍ରେସର ସ୍ଥିତି ମଜବୁତ ରହିଛି ସେଠାରେ କଂଗ୍ରେସକୁ ଦୁର୍ବଳ କରିବା ଲାଗି କିଛି କୁଚକ୍ରୀ ଗୋଷ୍ଠୀ ଚକ୍ରାନ୍ତ ଚଳାଇଛନ୍ତି ବୋଲି ଚିରଞ୍ଜୀବ ଅଭିଯୋଗ କରିଛନ୍ତି। କଂଗ୍ରେସ ବିରୋଧରେ ହେଉଥିବା ଚକ୍ରାନ୍ତକୁ ପଣ୍ଡ କରିବା ଲାଗି କଂଗ୍ରେସର ନେତା, କର୍ମୀ ଏବଂ ସମର୍ଥକ ଏକଜୁଟ ହେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଚିରଞ୍ଜୀବ।

Tags: #Politics #IndianPolitics #Congress #ChiranjibaBiswal

Comment