ଓଡ଼ିଶାଲାଇଭ୍ ବ୍ୟୁରୋ

ଜ୍ଞାନବାପୀ ମସଜିଦ ମାମଲାରେ ଶୁକ୍ରବାର ଦିନ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି ବାରାଣାସୀ କୋର୍ଟ। ଜ୍ଞାନବାପୀ ମସଜିଦ ପରିସରରେ ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ (ଏଏସଆଇ) ସର୍ଭେ କରିବାକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କେବଳ ବିବାଦୀୟ ସ୍ଥାନକୁ ଛାଡ଼ି ଏଏସଆଇ ଜ୍ଞାନବାପୀ ପରିସରରେ ସର୍ଭେ କରିବାକୁ କୋର୍ଟଙ୍କ ମଞ୍ଜୁରୀ ମିଳିଛି।

ଏହି ମାମଲାରେ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଜୁଲାଇ ୧୪ ତାରିଖରେ ନିଷ୍ପତ୍ତିକୁ ସଂରକ୍ଷିତ ରଖାଯାଇ ଜୁଲାଇ ୨୧ ତାରିଖରେ ଫଇସଲା ଶୁଣାଯିବ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଥିଲା। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ୪ ତାରିଖରେ କରାଯିବ।

ଏଏସଆଇ ଏକ ସ୍ଵତନ୍ତ୍ର କମିଟି ଗଠନ କରି ବିବାଦୀୟ ସ୍ଥାନକୁ ଛାଡ଼ି ଜ୍ଞାନବାପୀ ପରିସରରେ ଥିବା ସବୁ ଅଞ୍ଚଳର ସର୍ଭେ କରିବ। ସର୍ଭେ ରିପୋର୍ଟ କୋର୍ଟଙ୍କୁ ଦେବା ପରେ ଏହା ଉପରେ ବିଚାର କରି କୋର୍ଟ ପରବର୍ତ୍ତୀ ଶୁଣାଣି କରିବେ।

କ’ଣ ଏହି ଜ୍ଞାନବାପୀ ମାମଲା?

ଗତ ୨୦୨୧ ମସିହା ଅଗଷ୍ଟ ମାସରେ ପାଞ୍ଚଜଣ ମହିଳା ବାରାଣାସୀ ସିଭିଲ ଜଜଙ୍କ ନିକଟରେ ଜ୍ଞାନବାପୀ ମସଜିଦକୁ ଲାଗି ନିର୍ମିତ ଶୃଙ୍ଗାର ଗୌରୀ ମନ୍ଦିରରେ ପ୍ରତ୍ୟହ ପୂଜାର୍ଚ୍ଚନା ଏବଂ ଦର୍ଶନ ନିମନ୍ତେ ଅନୁମତି ଦେବାକୁ ଆବେଦନ କରିଥିଲେ। ମହିଳାମାନଙ୍କ ଆବେଦନ ଆଧାରରେ ବିଚାରପତି ରବି କୁମାର ଦିବାକର ମସଜିଦ ମରିସରର ଏଡଭୋକେଟ ସର୍ଭେ କରିବାକୁ ନିର୍ଦେଶ ଦେଇଥିଲେ।

କୋର୍ଟଙ୍କ ନିର୍ଦେଶ ଅନୁସାରେ ଗତ ବର୍ଷ ୩ଦିନ ଧରି ସର୍ଭେ କରାଯାଇଥିଲା। ସର୍ବେ ପରେ ଏଠାରେ ଶିବଲିଙ୍ଗ ମିଳିଥିବା ହିନ୍ଦୁ ପକ୍ଷ ଦାବି କରିଥିଲେ। ଏପରିକି ମସଜିଦର ବଜୁଖାନାରେ ଶିବଲିଙ୍ଗ ଥିବା ଦାବି ହୋଇଥିଲା। କିନ୍ତୁ ମୁସଲିମ ପକ୍ଷ ଏହା ଶିବଲଙ୍ଗ ନୁହେଁ ବୋଲି ଯୁକ୍ତି ବାଢ଼ିଥିଲେ।

ଏହା ପରେ ସମ୍ପୃକ୍ତ ମହିଳାମାନେ ବିବାଦୀୟ ସ୍ଥାନକୁ ଛାଡ଼ି ଜ୍ଞାନବାପୀ ପରିସରରେ ଏଏସଆଇ ସର୍ଭେ କରିବାକୁ ଆବେଦନ କରିଥିଲେ। ଏହା ଉପରେ ଶୁକ୍ରବାର ଦିନ ବାରାଣାସୀ କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି।

Tags: #VaranasiCourt #GyanvapiMasjid #ASISurvey

Comment