ଓଡ଼ିଶାଲାଇଭ୍ ବ୍ୟୁରୋ

ଉତ୍ତରପ୍ରଦେଶର ବାରଣାସୀସ୍ଥିତ ଜ୍ଞାନବାପୀ ମସଜିଦ ମାମଲାରେ ହିନ୍ଦୁ ପକ୍ଷଙ୍କ ସପକ୍ଷରେ ବଡ଼ ରାୟ ଦେଇଛନ୍ତି ବାରଣାସୀ କୋର୍ଟ। ଜ୍ଞାନବାପୀ ପରିସରରେ ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସାତ ଦିନ ମଧ୍ୟରେ ପୂଜାର୍ଚ୍ଚନା ପାଇଁ ବ୍ୟବସ୍ଥା କରିବା ଲାଗି କୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି ମୁସଲିମ ପକ୍ଷ।

ଦୀର୍ଘ ୩୦ ବର୍ଷ ପରେ ଜ୍ଞାନବାପୀ ପରିସରରେ ପୂଜା ପାଇଁ ଅନୁମତି ପାଇଥିବା ହିନ୍ଦୁ ପକ୍ଷଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କାଶୀ ବିଶ୍ଵନାଥ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜ୍ଞାନବାପୀ ପରିସରରେ ପୂଜାର୍ଚ୍ଚନା କରାଯିବ। ୧୯୯୩ ମସିହା ନଭେମ୍ବର ମାସ ପର୍ଯ୍ୟନ୍ତ ଏଠାରେ ପୂଜାର୍ଚ୍ଚନା କରାଯାଉଥିଲା। ଜ୍ଞାନବାପୀକୁ ନେଇ ଆରମ୍ଭ ହୋଇଥିବା ବିବାଦ ଯୋଗୁଁ ଏଠାରେ ପୂଜାର୍ଚ୍ଚନା ବନ୍ଦ କରାଯାଇଥିଲା।

ଜ୍ଞାନବାପୀ ମସଜିଦ ପରିସରରେ ଥିବା ଶୃଙ୍ଗାର ଗୌରୀ ମନ୍ଦିରରେ ୧୯୯୧ ମସିହା ପୂର୍ବରୁ ଯେପରି ପୂଜାର୍ଚ୍ଚନା ହେଉଥିଲା। ବର୍ତ୍ତମାନ ସେପରି ପୂଜାର୍ଚ୍ଚନା କରିବା ପାଇଁ ୫ ଜଣ ମହିଳା ୨୦୨୧ ମସିହା ଅଗଷ୍ଟ ୧୮ ତାରିଖରେ ବାରଣାସୀ ଜିଲ୍ଲା କୋର୍ଟରେ ଆବେଦନ କରିଥିଲେ। ଏପରି କି ମସଜିଦ ବାହ୍ୟ କାନ୍ଥରେ ଶୋଭା ପାଉଥିବା ହିନ୍ଦୁ ଦେବଦେବୀଙ୍କ ନିୟମିତ ପୂଜାର୍ଚ୍ଚନା ପାଇଁ ମଧ୍ୟ ଅନୁମତି ଦେବାକୁ ସେମାନେ ଦାବି କରିଥିଲେ।

ଜ୍ଞାନବାପୀ ମସଜିଦ ଥିବା ସ୍ଥାନରେ ପୂର୍ବରୁ ମନ୍ଦିର ଥିବା ଦାବି କରି ଆସୁଛନ୍ତି ହିନ୍ଦୁ ପକ୍ଷ। ଏନେଇ ମାମଲା ମଧ୍ୟ ହୋଇଛି। ବାରାଣସୀ କୋର୍ଟ ଏହାର ଶୁଣାଣି କରି ସର୍ଭେ ଦାୟିତ୍ୱ ଏଏସଆଇକୁ ହସ୍ତାନ୍ତର କରିଥିଲେ। କିନ୍ତୁ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ୍ କମିଟି ଏହାକୁ ଚ୍ୟାଲେଞ୍ଜ କରି ଉତ୍ତରପ୍ରଦେଶ ହାଇକୋର୍ଟରେ ଆବେଦନ କରିଥିଲା। ଏହାପରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମିଟି।

ସୁପ୍ରିମକୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ବାସ୍ତବତାକୁ ଜାଣିବା ପାଇଁ ଏଏସଆଇର ସାଇଣ୍ଟଫିକ୍ ସର୍ଭେ ଆବଶ୍ୟକ ବୋଲି କହିଥିଲେ। ଏହାସହ ଜ୍ଞାନବାପୀ ପରିସରକୁ ପରିସରକୁ ସିଲ କରି ସର୍ଭେ ପାଇଁ ଅନୁମତି ଦେଇଥିଲେ।

Tags: #VaranasiCourt #ASIScientificSurvey #GyanvapiMasjid #ASISurvey

Comment