ଓଡ଼ିଶାଲାଇଭ୍ ବ୍ୟୁରୋ

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଏକ ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶର ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଇଥିଲା। ଏହି ଘଟଣାକୁ ନେଇ ସମଗ୍ର ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି।

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ସହ ଏହାର ଏକ ଭିଡିଓ ଉତ୍ତୋଳ କରାଯାଇଥିଲା। ଏହି ଭିଡିଓ ଗତ ଜୁଲାଇ ୧୯ ତାରିଖରେ ଭାଇରାଲ ହେବା ପରେ ଏହି ଘଟଣା ସାରା ଦେଶକୁ ଲଜ୍ଜିତ କରିଥିଲା। ଯେଉଁ ମୋବାଇଲରେ ଏହି ଭିଡିଓ ରେକର୍ଡ କରାଯାଇଥିଲା ତାକୁ ଜବତ କରିଛି ପୋଲିସ। ଜବତ ମୋବାଇଲକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏହି ମୋବାଇଲ ଆଧାରରେ ଘଟଣା ମୂଳ ପର୍ଯ୍ୟନ୍ତ ପହଞ୍ଚିବାକୁ ଚେଷ୍ଟା କରିବ ସିବିଆଇ।

ମଣିପୁରରେ ଘଟିଥିବା ଏହି ଅମାନବୀୟ କାଣ୍ଡର ଶିକାର ହୋଇଥିଲେ କୁକି ସମ୍ପ୍ରଦାୟର ଦୁଇ ଜଣ ମହିଳା। ଏହି ଘଟଣା ମେ’ ୩ ତାରିଖରେ ମଣିପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ପରର ବୋଲି କୁହାଯାଉଛି।

କୁକି ସମ୍ପ୍ରଦାୟର ଏହି ଦୁଇ ମହିଳାଙ୍କ ସହ ମୈତେଇ ସମ୍ପ୍ରଦାୟର କିଛି ବ୍ୟକ୍ତି ଅସଦାଚରଣ କରିବା ପରେ ସେମାନଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇଥିବା ଇଣ୍ଡିଜିନସ ଟ୍ରାଇବାଲ ଲିଡର୍ସ ଫୋରମ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହି ଘଟଣାର ଏକ ମାସ ପରେ ଗତ ଜୁନ ୨୧ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା। ଆଇପିସି ଧାରା ୧୫୩ ଏ, ୩୯୮, ୪୨୭, ୪୪୮, ୩୦୨, ୩୫୪, ୩୬୪, ୩୨୬, ୩୭୬, ୩୪ ସହ ୨୫(୧ସି) ଧାରାରେ ମାମଲା ରୁଜୁ ହୋଇଛି।

ଏହି ଘଟଣାକୁ ନେଇ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଏହି ଭିଡିଓ ଆଧାରରେ ଗତ ଜୁଲାଇ ୨୦ ତାରିଖରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହା ପରେ ଆଉ ୩ ଜଣ ଗିରଫ ହୋଇଥିଲେ।

ଜାତିକୁ ନେଇ ମଣିପୁରରେ ଆରମ୍ଭ ହୋଇଥିବା ହିଂସାକାଣ୍ଡ ଏବେ ବି ଥମି ନାହିଁ। ଅଶାନ୍ତ ମଣିପୁରର ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମୁତୟନ ହୋଇଛନ୍ତି ସେନା, ସିଆରପିଏଫ ଏବଂ ସିଏପିଏଫର ୩୫ ହଜାର ଅତିରିକ୍ତ ସୁରକ୍ଷାକର୍ମୀ।

ଏହାରି ମଧ୍ୟରେ ଗୁରୁବାର ଦିନ ପୁଣି ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ତୋରବୁଙ୍ଗ ଅଞ୍ଚଳରେ ଆନ୍ଦୋଳନକାରୀ ଗୁଳିବର୍ଷା କରିବା ସହ ୧୦ଟି ଘର ଓ ଗୋଟିଏ ସ୍କୁଲ ଜାଳି ଦେଇଛନ୍ତି।

Tags: #ManipurViolence #ViolenceforCaste #ManipurViralVideo #CBIInvestigation

Comment