ଓଡ଼ିଶାଲାଇଭ୍ ବ୍ୟୁରୋ

ଲଗାଣ ବର୍ଷାରେ ଉବୁଟୁବୁ ହେଉଛି ମାଲକାନଗିରି ଜିଲ୍ଲା। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ନଦୀ ଫୁଲିବାରେ ଲାଗିଛି। ଏହା ପ୍ରଭାବରେ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ସମ୍ଭାବନା ଥିବାରୁ ବନ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି।

ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ୍‌ ମୋଟୁ ଅଞ୍ଚଳରେ ସିଲେରୁ ଓ ସାବେରୀ ନଦୀରୁ ଏବେ ଜଳ ନିଷ୍କାସନ ହୋଇପାରୁନାହିଁ। ଆନ୍ଧ୍ରପ୍ରଦେଶରେ ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଏହି ଦୁଇ ନଦୀରୁ ଜଳ ନିଷ୍କାସନ ପ୍ରଭାବିତ ହୋଇଛି। ଏଥିପାଇଁ ସେହି ଅଞ୍ଚଳର ଅନେକ ସ୍ଥାନରେ ବନ୍ୟା ପାଇଁ ସତର୍କ କରାଯାଇଛି।

ଅନ୍ୟପଟେ ମାଲକାନଗିରି ଜିଲ୍ଲାର କୁଇଗୁରରେ ୩୨୮ନମ୍ବର ଜାତୀୟ ରାଜପଥରେ ଥିବା ପୋଲ ପାଣିରେ ବୁଡ଼ିଯିବାରୁ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ଉପରେ ୫ଫୁଟ୍‌ ଉଚ୍ଚରେ ବନ୍ୟାଜଳ ଚାଲିଛି। ପୋଲ ଉପରେ ଯାତାୟତ ବନ୍ଦ ଥିବାରୁ ଉଭୟ ପଟେ ଅନେକ ଗାଡ଼ି ଅଟକିଥିବା ଦେଖିବାକୁ ମିଳିଛି।

ଅନ୍ୟପଟେ କାଲିମେଳାରୁ ୧୪୦ କିଲୋମିଟର ଦୂରରେ ଥିବା ଆନ୍ଧ୍ରପ୍ରଦେଶର ଭଦ୍ରାଞ୍ଚଳମ ନିକଟରେ ଶୁକ୍ରବାର ଗୋଦାବରୀ ନଦୀ ୫୦ ଫୁଟ୍‌ ଉଚ୍ଚରେ ପ୍ରବହିତ ହେଉଛି। ଯଦି ନଦୀର ଜଳସ୍ତର ୫୫ ଫୁଟ୍‌ ଉପରକୁ ଯିବ ତେବେ ମାଲକାନଗିରି ଜିଲ୍ଲାର ସୀମାନ୍ତ ଗାଁଗୁଡ଼ିକ ଜଳମଗ୍ନ ହେବାର ଆଶଙ୍କା ରହିଛି। ତେବେ ବନ୍ୟା ପାଇଁ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି।

Tags: #Malkangiri #HeavyRainfall #Rivers #FloodSituation

 

Comment