ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କଳିଙ୍ଗ ଷ୍ଟାଡିୟମର ଟେନିସ ସେଣ୍ଟରଠାରେ ବିଶିଷ୍ଟ କ୍ରୀଡ଼ା ସାମ୍ବାଦିକ ଡକ୍ଟର ଅଶୋକ ପଟ୍ଟନାୟକ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଠାରେ ଭାରତୀୟ ମହିଳା ହକି ତାରକା ରାନୀ ରାମପାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର କ୍ରୀଡ଼ାର ବିକାଶ ପାଇଁ କରୁଥିବା କାର୍ଯ୍ୟଗୁଡ଼ିକୁ ପ୍ରଶଂସା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗର ନିର୍ଦେଶକ ସିଦ୍ଧାର୍ଥ ଦାସ, ରାଜ୍ୟ ହକି ଆସୋସିଏସନର ନିର୍ଦେଶକ ଡେଭିଡ୍ ଜନ ଏବଂ ଓଡ଼ିଶା ନାଭାଲ ଟାଟା ହକି ଉତ୍କର୍ଷ କେନ୍ଦ୍ରର ମୁଖ୍ୟ ରାଜୀବ ସେଠ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଡକ୍ଟର ଅଶୋକ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାସହ କାର୍ଯ୍ୟକ୍ରମରେ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ଆସୋସିଏସନର (ଓସଜା) ବାର୍ଷିକ ସ୍ମରଣିକା ଲୋକାର୍ପିତ ହୋଇଥିଲା।

“କ୍ରୀଡ଼ା ଓ କ୍ରୀଡାବିତଙ୍କ ବିକାଶ ପାଇଁ ଓଡ଼ିଶାର ଅବଦାନ ଅତି ପ୍ରଶଂସନୀୟ। ଓଡ଼ିଶାରେ କେବଳ ହକି ନୁହେଁ, ଅନ୍ୟ ସବୁ କ୍ରୀଡ଼ାକୁ ସମାନ ଗୁରୁତ୍ଵ ଦିଆଯାଉଛି। କ୍ରୀଡ଼ାର ବିକାଶ ଏବଂ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହନ ଦେବାରେ ଓଡ଼ିଶା ଆଜି ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି”, କହିଛନ୍ତି ରାନୀ ରାମପାଲ।

ସେ ଆହୁରି ମଧ୍ୟ କହିଛନ୍ତି, “ଖେଳାଳି ନିଜ ଜୀବନରେ କେବେ ହାର ମାନିବା କଥା ନୁହେଁ। କଠିନ ପରିଶ୍ରମ କଲେ ନିଶ୍ଚିତ ସଫଳତା ମିଳିବ। ଅସଫଳତାକୁ ନିଜ ମନରେ ଘର କରିବାକୁ ଦିଅନାହିଁ। ତାକୁ ଏଡ଼ାଇ ଜୀବନରେ ଆଗକୁ ବଢ଼ିବାକୁ ଚେଷ୍ଟା କର।”

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ସମ୍ମାନୀତ ଅତିଥିଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଜାତୀୟ କ୍ରୀଡ଼ା ସାମ୍ବାଦିକ ଆସୋସିଏସନର ପରିଚାଳନା କମିଟିକୁ ନିର୍ବ।ଚିତ ହୋଇଥିବା ଓସଜାର ଯୁଗ୍ମ ସମ୍ପାଦକ ସୁରେଶ ସ୍ଵାଇଁ ଏବଂ ଓସଜାର ଅନ୍ୟ ସଦସ୍ୟ ସନ୍ଦୀପ ମିଶ୍ରଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଓସଜାର କାର୍ଯ୍ୟକାରୀ ସଭାପତି କେ.ରବି ଯୋଗ ଦେଇଥିଲେ। ସେହିପରି ଏଠାରେ ସନାତନ ପାଣି, ତପନ କୁମାର ସ୍ଵାଇଁ, ଦେବାଶିଷ ସୁନ୍ଦରାୟ, ସମୀକ୍ଷା ପଟ୍ଟନାୟକ, ଶକ୍ତି ପ୍ରକାଶ ନନ୍ଦ, ଶୁଭଲକ୍ଷ୍ମୀ ବଳ ଏବଂ ଓସଜାର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

Tags: #RaniRampal #OdishaSportsJournalistAssociation #DrAshokPattanaik #Sports #Odisha

Comment