ଓଡ଼ିଶାଲାଇଭ୍ ବ୍ୟୁରୋ

ମାହାଙ୍ଗା ନାବାଳିକା ସନ୍ଦେହଜନକ ମୃତ୍ୟୁ ମାମଲାରେ ମଙ୍ଗଳବାର ଦିନ ଗିରଫ ହୋଇଛନ୍ତି ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଶରତ ନାୟକ ଏବଂ ଖେଳ ଶିକ୍ଷକ ଅନୁପମ ରାୟ। ମାହାଙ୍ଗା ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡା।

ନାବାଳିକାଙ୍କ ମୃତ୍ୟୁ ପରେ ପ୍ରମାଣ ନଷ୍ଟ କରିବା, ମାମଲାକୁ ରଫା ଦଫା କରିବା ପାଇଁ ଟଙ୍କା ମାଗିବା ଅଭିଯୋଗରେ ଶରତ ନାୟକଙ୍କୁ ଗିରଫ କରାଯାଇଛି। ସେହିପରି ଆତ୍ମହତ୍ୟା ଭଳି ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଖେଳ ଶିକ୍ଷକ ଅନୁପମ ରାୟଙ୍କୁ ଗିରଫ କରାଯାଇଥିବା ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି।

କଟକ ଗ୍ରାମାଞ୍ଚଳ ଏସପି ମିହିର ପଣ୍ଡାଙ୍କ ସୂଚନା ଅନୁସାରେ, ନାବାଳିକା ମୃତ୍ୟୁ ମାମଲାର ତଦନ୍ତ ରିପୋର୍ଟକୁ ଆଧାର କରି ମାହାଙ୍ଗା ପୋଲିସ ମଙ୍ଗଳବାର ଦିନ ନିଜ ଆଡୁ ମାମଲା ରୁଜୁ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଦଶମ ଶ୍ରେଣୀ ଛାତ୍ରୀ ନାବାଳିକାଙ୍କର ମୃତ୍ୟୁ ପରେ ବ୍ୟବଚ୍ଛେଦ କରାନଯାଇ ଅତି ତରବରିଆ ଭାବେ ମୃତଦେହକୁ ପୋଡ଼ି ଦିଆଯାଇଥିଲା। ଏହା ପରେ ପାଉଁଶକୁ ନଦୀରେ ପକାଇ ପ୍ରମାଣ ନଷ୍ଟ କରିବା ପାଇଁ ଉଦ୍ୟମ କରାଯାଇଥିଲା। ଏହାକୁ ନେଇ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିଥିଲା।

ଅନ୍ୟ ପଟେ ଅଭିଯୁକ୍ତ ଶରତ ନାୟକ ଏବଂ ଖେଳ ଶିକ୍ଷକଙ୍କ ମା’ଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହେବା ପରେ ଅଡ଼ୁଆରେ ପଡ଼ିଥିଲେ ଶରତ ନାୟକ। ମାମଲା ରଫା ଦଫା ପାଇଁ ସେ ୭୦ ହଜାର ଟଙ୍କା ଦାବି କରୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା।

ଏହି ଘଟଣା ପରେ ଗତ ଅଗଷ୍ଟ ୧୭ ତାରିଖରେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଶରତ ନାୟକଙ୍କୁ ନିଲମ୍ବିତ କରାଯାଇଥିଲା। କଟକ ଜିଲ୍ଲା ବିଜେଡି ସଭାପତି ତାଙ୍କୁ ନିଲମ୍ବନ କରିଥିଲେ।

ଏହି ଘଟଣାରେ ମୃତ ନାବାଳିକାଙ୍କ ପରିବାର ଲୋକଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଝିଅର ବାତ ଥିବାରୁ ତା’ର ମୃତ୍ୟୁ ହୋଇଥିବା ମୃତକଙ୍କ ବାପା ସ୍ପଷ୍ଟ ଭାବେ କହିବା ସହ ତାଙ୍କ ପରିବାରକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଥିବା କହିଥିଲେ।

ଗତ ଜୁନ ୧୮ ତାରିଖରେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଶୁଖୁଆପଡ଼ା ଗାଁର ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ହାତ ଲେଖା ଚିଠି ଭାଇରାଲ ହେବା ପରେ ନାବାଳିକାଙ୍କ ମୃତ୍ୟୁକୁ ନେଇଖୋଳତାଡ଼ ଆରମ୍ଭ ହୋଇଥିଲା।

Tags: #Mahanga #SwornalataDasDeathCase #PoliceInvestigation

LEAVE A REPLY

Please enter your comment!
Please enter your name here