ଓଡ଼ିଶାଲାଇଭ୍ ବ୍ୟୁରୋ

ଏସିଆ କପ୍‌ରେ ପୁଣି ଥରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ

ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ଆଉ ଏକ ରୋମାଞ୍ଚଭରା ମ୍ୟାଚ। ଏସିଆ କପ୍‌ରେ ଶନିବାର ମୁହାଁମୁହିଁ ହେବେ ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ। ଉଭୟ ଦିନିକିଆ ଓ ଟ୍ୱେଣ୍ଟି-୨୦ ଫର୍ମାଟରେ ହୋଇଥିବା ମ୍ୟାଚରେ ଦୁଇ ଦଳର ପ୍ରଦର୍ଶନ ଭଲ ରହିଥିଲା।

୧୯୮୪ ମସିହାରୁ ଆରମ୍ଭ ହୋଇଥିବା ଏସିଆ କପ୍‌ରେ ବର୍ତ୍ତମାନ ସୁଦ୍ଧା ଭାରତ ଦିନିକିଆ ଫର୍ମାଟରେ ୬ଥର ଏବଂ ଟ୍ୱେଣ୍ଟି-୨୦ରେ ଥରେ ବିଜୟୀ ହୋଇଛି। ସେହିଭଳି ପାକିସ୍ତାନ ଦୁଇଥର ଦିନିକିଆ ବିଜେତା ହୋଇଛି। ଏସିଆ କପ୍‌ରେ ଭାରତ ୪୯ଟି ଦିନିକିଆ ଖେଳିସାରିଛି।

ପାକିସ୍ତାନ ବିପକ୍ଷରେ ଶନିବାର ହେବାକୁ ଥିବା ମ୍ୟାଚରେ ଭାରତ ଅର୍ଦ୍ଧଶତକ ପୂରଣ କରିବ। ସେଥିମଧ୍ୟରୁ ୩୧ଟି ମ୍ୟାଚରେ ଭାରତ ବିଜୟୀ ହୋଇଛି। ଭାରତ ଆଗରୁ ଶ୍ରୀଲଙ୍କା ଏକମାତ୍ର ଦଳ ଭାବେ ୩୪ଟି ଦିନିକିଆ ଫର୍ମାଟରେ ବିଜୟୀ ହୋଇଛି। ଦିନିକିଆ ଫର୍ମାଟରେ ଏସିଆ କପ୍‌ରେ ୧୩ଟି ସଂସ୍କରଣ ଆୟୋଜିତ ହୋଇଛି। ସେଥିମଧ୍ୟରୁ ଭାରତ ୧୨ଟିରେ ଖେଳିଛି। କେବଳ ୧୯୮୬ ଏସିଆ କପ୍‌ରେ ଭାରତ ଅଂଶଗ୍ରହଣ କରିପାରିନଥିଲା।

ଭାରତ ପ୍ରଥମ ଥର ଉଦ୍‌ଘାଟନୀ ସଂସ୍କରଣରେ ବିଜେତା ହୋଇଥିଲା। ୧୯୮୪, ୧୯୮୮, ୧୯୯୦, ୧୯୯୫, ୨୦୧୦ ଓ ୨୦୧୮ରେ ଭାରତ ଟ୍ରଫି ବଜାୟ ରଖିଥିଲା।

ଏସିଆ କପ୍‌ର ଦିନିକିଆ ଫର୍ମାଟ୍‌ରେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ୧୩ଥର ମୁହାଁମୁହିଁ ହୋଇଛନ୍ତି।‌ ସେଥିମଧ୍ୟରୁ ଭାରତ ୭ଥର ବିଜୟୀ ହୋଇଥିବା ବେଳେ ପାକିସ୍ତାନ ୫ଥର ବିଜୟୀ ହୋଇଛି। ଶେଷଥର ପାଇଁ ଦିନିକଆ ଏସିଆ କପ୍‌ରେ ଦୁହିଁଙ୍କ ମଧ୍ୟରେ ଦୁବାଇ(୨୦୧୮)ରେ ମୁକାବିଲା ହୋଇଥିଲା ବେଳେ ଭାରତ ବିଜୟୀ ହୋଇଥିଲା।

Tag: #Cricket #Sports #BCCI #IndiavsPakistan #AsiaCup2023 #ICCWorldCup

Comment