ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ସୁପର ଲିଗ, ସାମିଲ ହେବେ ୧୨ଟି ଦଳ

ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହେବ ଇଣ୍ଡିଆନ ସୁପର ଲିଗ (ଆଇଏସଏଲ)ର ଦଶମ ସଂସ୍କରଣ। ଚଳିତ ସଂସ୍କରଣରେ ସର୍ବାଧିକ ୧୨ଟି ଦଳ ଅଂଶଗ୍ରହଣ କରିବେ। ୧୧ଟି ସହରରେ ଖେଳାଯିବ ମ୍ୟାଚ।

ଏହା ପୂର୍ବରୁ ବେଙ୍ଗାଲୁରୁ ଓ କୋଲକାତା‌ରେ ‘ମିଡିଆ ଡେ’ ଅନୁଷ୍ଠିତ ହୋଇଯାଇଛି। ବେଙ୍ଗାଲୁରୁରେ ୫ଟି ଦଳ ଏବଂ କୋଲକାତାରେ ୭ଟି ଦଳ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ଏଫସିର ‌ପ୍ରଶିକ୍ଷକ ଓ ଅଧିନାୟକମାନେ ‘ମିଡିଆ ଡେ’ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଭୁବନେଶ୍ୱର ଭିତ୍ତିକ ଦଳ ଓଡ଼ିଶା ଏଫସି ପକ୍ଷରୁ ପ୍ରଶିକ୍ଷକ ସର୍ଜିଓ ଲୋବେରା, ଅହମଦ ଜାହୋଉ, ଅମ୍ରିନ୍ଦର ସିଂହ ଓ କାର୍ଲୋସ ଡେଲ୍‌ଗାଡୋ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।“ଚଳିତ ବର୍ଷ ଆମ ପାଇଁ ଦୁଇଟି ସୁଯୋଗ ରହିଛି। ଏଏଫସି କପ ସହ ଆଇଏସଏଲ ରହିଛି। ଆମେ ଏଏଫସି କପରୁ ଚଳିତ ସିଜିନ ଆରମ୍ଭ କରିବୁ। ପ୍ରଶିକ୍ଷକ ଭାବେ ଅନେକ ଯୋଜନା ରଖିଛି ଏବଂ ଆମେ ଉତ୍ସାହିତ ଅଛୁ। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଦଳ ଭଲ ରହିଛି। ଆମେ ଯେକୌଣସି ଦଳକୁ ଟକ୍କର ଦେବାକୁ ପ୍ରସ୍ତୁତ ରହିଛୁ”, କହିଛନ୍ତି ଓଡ଼ିଶା ଏଫସିର ମୁଖ୍ୟ ପ୍ରଶିକ୍ଷକ ସର୍ଜିଓ ଲୋବେରା।

ସେହିପରି ଓଡ଼ିଶା ଏଫସି ଦଳର ଅଧିନାୟକ ଅମ୍ରିନ୍ଦର ସିଂହ କହିଛନ୍ତି,“ଏବେ ଆମ ନଜର ଉଭୟ ଏଏଫସି କପ ଓ ଆଇଏସଏଲ ଉପରେ ରହିଛି। ଘରୋଇ ପଡ଼ିଆରେ ଦୁଇଟି ମ୍ୟାଚ ଖେଳି ଆଇଏସଏଲ ସିଜିନ ଆରମ୍ଭ କରିବୁ। ଘରୋଇ ପଡ଼ିଆରେ ଅନେକ ସମର୍ଥକ ସାମିଲ ହେବେ, ଯାହା ଆମକୁ ଭଲ ପ୍ରଦର୍ଶନ କରିବା ପାଇଁ ଖୋରାକ ଯୋଗାଇବ”।

Tags: #OdishaFC #AmaTeamAmaGame #ISL10 #LetsFootball #KalingaWarriors

Comment