ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଳୟଙ୍କରୀ ବନ୍ୟାରେ ଛାରଖାର ହୋଇଛି ଉତ୍ତର ଆଫ୍ରିକୀୟ ଦେଶ ଲିବିୟାର ଅନେକ ସହର।

ଉତ୍ତର ଆଫ୍ରିକୀୟ ଦେଶ ଲିବିୟାରେ ଆସିଥିବା ପ୍ରଳୟଙ୍କରୀ ବନ୍ୟା ନାହିଁ ନଥିବା କ୍ଷୟକ୍ଷତି ଘଟାଇଛି। ଏହି ଭୟଙ୍କର ବନ୍ୟାରେ ଏ ଯାଏଁ ୬ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏବେବି ପ୍ରାୟ ୧୫ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ଏହି ବନ୍ୟା ଅନେକ ଲୋକଙ୍କୁ ବାସହରା କରିଦେଇଛି।

ଭୂମଧ୍ୟସାଗରୀୟ ଝଡ଼ ‘ଡାନିଏଲ୍‌’ ଯୋଗୁଁ ହୋଇଥିବା ବର୍ଷା ଲିବିୟାର ଉତ୍ତର ପୂର୍ବାଞ୍ଚଳରେ ଥିବା ସହରଗୁଡ଼ିକୁ ଜଳମଗ୍ନ କରିଦେଇଛି। ଏହାସହ ସୋମବାର ଦିନ ଅତି ପ୍ରବଳ ବର୍ଷାରେ ଦୁଇଟି ଡ୍ୟାମ ଭୁଶୁଡ଼ି ଯିବାରୁ ଲିବିୟାର ବନ୍ଦର ସହର ଡେର୍ନା ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା।

ଡ୍ୟାମ ଭାଙ୍ଗିବାରୁ ଜଳର ଏକ ବଡ଼ ଲହରି ଡେର୍ନା ସହରକୁ ଛାରଖାର କରିଦେଇଥିଲା। କେହି କିଛି ବୁଝିବା ଆଗରୁ ଜଳର କରାଳ ସୁଅ ସମସ୍ତଙ୍କୁ ଭସାଇ ନେଇଥିଲା। କେବଳ ଏହି ସହରରେ ହିଁ ଏ ଯାଏଁ ୩ ହଜାରରୁ ଅଧିକ ଲୋକଙ୍କୁ ମୃତ୍ୟୁ ହୋଇସାରିଲାଣି। ସେହିପରି ବନ୍ୟା ପ୍ରଭାବିତ ବୟଦା, ସୁସା, ମାର୍ଜ ଏବଂ ଶାହଟ୍ଟ ସହରରେ ମଧ୍ୟ ବହୁ ଲୋକଙ୍କ ମୃତ୍ୟୁ ଘଟିଛି।

ଏହି ବନ୍ୟା ଏତେ ଭୟଙ୍କର ଥିଲା ଯେ ଏଥିରେ ବଡ଼ ବଡ଼ କୋଠାଗୁଡ଼ିକ ଭୁଶୁଡ଼ି ଭାସି ଯାଉଥିବାର ଦେଖିବାକୁ ମିଳିଥିଲା। ଘର ଭୁଶୁଡ଼ି ଯିବାଫଳରେ ଅନେକ ଲୋକ ଏହା ତଳେ ଚାପି ହୋଇଯାଇଥିବା ଦେଖିବାକୁ ମିଳିଛି। ଏବେବି ଅନେକ ଲୋକ ନିଖୋଜ ଥିବାରୁ ମୃତକଙ୍କ ସଂଖ୍ୟା ୨୦ ହଜାରରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି।

ସେହିପରି ଏବେ ପାଣି କାମୁଥିବାବେଳେ ବନ୍ୟା ପରବର୍ତ୍ତୀ ଭୟାବହ ଚିତ୍ର ସାମ୍ନାକୁ ଆସିବାରେ ଲାଗିଛି। ଲିବିୟାର ଅନେକ ସହର ଭଳି ଡେର୍ନାରେ ମଧ୍ୟ ଯେଉଁଆଡ଼େ ଚାହିଁଲେ କୁଢ଼ କୁଢ଼ ମୃତଦେହ ଭାସୁଛି। ବିପନ୍ନଙ୍କ ଚିତ୍କାରରେ ଫାଟିପଡ଼ୁଛି ସହର। ଦେଶର ହସ୍ପିଟାଲଗୁଡ଼ିକରେ ମଧ୍ୟ ଅନେକ ମୃତଦେହ ରହିଥିବା ଦେଖିବାକୁ ମିଳୁଛି।

ଅନ୍ୟପଟେ ଏବେ ଲିବିୟାରେ ବନ୍ୟା ପରେ ଉଦ୍ଧାରକାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାର କାର୍ଯ୍ୟରେ ଲିବିୟାର ସେନା, ସରକାରୀ କର୍ମଚାରୀ ଏବଂ ସ୍ଵେଚ୍ଛାସେବୀମାନେ ନିୟୋଜିତ ହୋଇଛନ୍ତି। ହେଲେ ବନ୍ୟାର ସ୍ଥିତ ଏତେ ଗମ୍ଭୀର ହୋଇଛି ଯେ,ଉଦ୍ଧାରକାର୍ଯ୍ୟ ଧିମେଇ ଯାଇଥିବା ଦେଖାଯାଇଛି। ଏଭଳି ସ୍ଥିତିରେ ଅନ୍ତର୍ଜାତୀୟ ସହାୟତା ଲୋଡ଼ିଛି ଲିବିୟା।

ଏଭଳି ସମୟରେ ଅନେକ ଦେଶ ଏବେ ଲିବିୟାକୁ ସହାୟତାର ହାତ ବଢ଼ାଇଛନ୍ତି। ଜର୍ମାନୀ, ରୋମାନିଆ ଏବଂ ଫିନଲାଣ୍ଡରୁ ଉଦ୍ଧାରକାରୀ ଦଳ ଲିବିୟା ଯାଇଛନ୍ତି। ଏଠାରେ ଫ୍ରାନ୍ସ ପକ୍ଷରୁ ଏକ ଅସ୍ଥାୟୀ ଫିଲ୍ଡ ହସ୍ପିଟାଲ ମଧ୍ୟ କରାଯାଇଛି।

ତେବେ ଲିବିୟାରେ ଆସିଥିବା ଏହି ବନ୍ୟା ଦେଶର ଇତିହାସରେ ସବୁଠୁ ଭୟାନକ ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଥିରେ ହୋଇଥିବା କ୍ଷୟକ୍ଷତିର ଭରଣା ପାଇଁ ଅନେକ ବର୍ଷ ଲାଗିବ।

Tags: #LibyaFloods #CatastrophicDisaster #Heavyrainfall #Derna #Libya

 

Comment