ଓଡ଼ିଶାଲାଇଭ୍ ବ୍ୟୁରୋ

ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ ସମ୍ପନ୍ନ।

ବିଶିଷ୍ଟ ଲେଖିକା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ଲୀନ ହୋଇଛି। ସୋମବାର ନୂଆଦିଲ୍ଲୀର ଲୋଧି ରୋଡ୍ ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ଗୀତା ମେହେଟ୍ଟାଙ୍କ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ତାଙ୍କୁ ମୁଖାଗ୍ନି ଦେଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୀତା ମେହେଟ୍ଟାଙ୍କ ଅନ୍ତିମ ସଂସ୍କାର ବେଳେ ଶ୍ମଶାନରେ ଉପସ୍ଥିତ ରହିଥିଲେ। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସେହିପରି ଅନେକ ବିଶିଷ୍ଟ ବ୍ୟକ୍ତି ଗୀତା ମେହେଟ୍ଟାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ, ସାଂସଦ ପିନାକୀ ମିଶ୍ର, ସାଂସଦ ମାନସ ମଙ୍ଗରାଜ, ୫-ଟି ସଚିବ ଭି କେ ପାଣ୍ଡିଆନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେଡିର ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂଦେଓ ପ୍ରମୁଖ ଅନ୍ତିମ ଯାତ୍ରା ବେଳେ ଉପସ୍ଥିତ ଥିଲେ।

ଶନିବାର ରାତିରେ ଗୀତା ମେହେଟ୍ଟାଙ୍କର ପରଲୋକ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ରବିବାର ଗୀତା ମେହେଟ୍ଟାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତ କରିଥିଲେ। ୨୦୧୯ ମସିହାରେ ତାଙ୍କ ସ୍ୱାମୀ ସୋନୀ ମେହେଟ୍ଟାଙ୍କର ପରଲୋକ ଘଟିଥିଲା।

ସ୍ଵର୍ଗତ ବିଜୁ ପଟ୍ଟନାୟକଙ୍କ ଏକମାତ୍ର ଝିଅ ଗୀତା ମେହେଟ୍ଟା ଏକଧାରାରେ ଜଣେ ଲେଖିକା, ବୃତ୍ତଚିତ୍ର ନିର୍ମାତା ତଥା ସାମ୍ବାଦିକା ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ। ନିଜର ଦୀର୍ଘ ୪୦ ବର୍ଷର ସାହିତ୍ୟ ଜୀବନରେ ସେ ଅନେକ ଉଲ୍ଲେଖନୀୟ ପୁସ୍ତକ ରଚନା କରିଛନ୍ତି। କର୍ମା କୋଲା, ସ୍ନେକ ଆଣ୍ଡ ଲ୍ୟାଡର୍ସ, ଏ ରିଭର ସୂତ୍ର, ଦ ଇଟରନାଲ ଗଣେଶ ଇତ୍ୟାଦି ତାଙ୍କର ପୁସ୍ତକ ପାଠକଙ୍କ ଦ୍ଵାରା ବେଶ୍ ଆଦୃତ ହୋଇଥିଲା।

Tags: #GeetaMehta #LastRites #EminentWriter #NewDelhi #CMNaveenPatnaik

LEAVE A REPLY

Please enter your comment!
Please enter your name here