ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ପରିସରସ୍ଥ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମଠାରେ ଚାଲିଥିବା ୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପ୍ ସୋମବାର ଉଦଯାପିତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନ ଆନୁକୂଲ୍ୟରେ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨ ତାରିଖ ଯାଏଁ ୪ ଦିନ ଧରି ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ସୋମବାର ଆୟୋଜିତ ଟୁର୍ଣ୍ଣାମେଣ୍ଟର ଉଦଯାପନୀ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗରେ ବିଜେତା ଓ ଉପବିଜେତା ହୋଇଥିବା ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ସହ ଅର୍ଥରାଶି ପୁରସ୍କାର ଆକାରରେ ଦିଆଯାଇଥିଲା। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କ ପାଇଁ ମୋଟ ୨୫ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରଖାଯାଇଥିଲା। ଏହାସହ ସବୁ ବର୍ଗରେ ସେମିଫାଇନାଲକୁ ଯାଇଥିବା ଖେଳାଳିମାନଙ୍କୁ ମଧ୍ୟ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। 

ଏହି ଟୁର୍ଣ୍ଣାମେଣ୍ଟର ଉଭୟ ବାଳକ ଓ ବାଳିକା ବର୍ଗରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୨୩୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାରେ ସିନିୟର, ୧୯ ବର୍ଷରୁ କମ୍, ୧୭ ବର୍ଷରୁ କମ୍, ୧୫ ବର୍ଷରୁ କମ୍, ୧୩ ବର୍ଷରୁ କମ୍, ୧୧ ବର୍ଷରୁ କମ୍ ବୟସ ବର୍ଗରେ ୪୦୦ରୁ ଅଧିକ ଏକକ ଟେବୁଲ ଟେନିସ୍ ମ୍ୟାଚ୍ ଖେଳାଯାଇଥିଲା। 

ଭୁବନେଶ୍ଵରସ୍ଥିତ ଓଡ଼ିଶା ସ୍ପୋର୍ଟସ୍ କ୍ଲବର ଖେଳାଳି ଶ୍ଵେତପଦ୍ମା ଦଳାଇ ଟୁର୍ଣ୍ଣାମେଣ୍ଟର ୩ଟି ବର୍ଗରେ ଚାମ୍ପିୟନ ହୋଇଥିଲେ। ସେ ୧୭ ବର୍ଷରୁ କମ୍, ୧୯ ବର୍ଷରୁ କମ୍ ଏବଂ ସିନିୟର ମହିଳା ବର୍ଗରେ ଟାଇଟଲ ଜିତିଥିଲେ। ସେହିପରି ସିନିୟର ପୁରୁଷ ବର୍ଗରେ ଓଡ଼ିଶା ଆକାଉଣ୍ଟସ୍ ଜେନେରାଲ ଦଳର ସମ୍ରାଟ ଚକ୍ରବର୍ତ୍ତୀ  ଚାମ୍ପିୟନ ହୋଇଥିଲେ।

ଅନ୍ୟପଟେ ବାଳକ ବର୍ଗରେ କଟକର ଜିଜ୍ଞାସୁ ସାହୁ ୧୫ ବର୍ଷରୁ କମ୍, ୧୭ ବର୍ଷରୁ କମ୍ ଏବଂ ୧୯ ବର୍ଷରୁ କମ୍ ଆଦି ୩ଟି ବର୍ଗରେ ଟାଇଟଲ ହାସଲ କରିଥିଲେ। ଟୁର୍ଣ୍ଣାମେଣ୍ଟରେ କଟକର ଶ୍ଵେତା ବର୍ମା ୧୧ ବର୍ଷରୁ କମ୍ ଓ ୧୩ ବର୍ଷରୁ କମ୍ ବୟସର ୨ଟି ବର୍ଗରେ ବିଜୟୀ ହୋଇଥିଲେ।

ଏହାସହ ୧୧ ବର୍ଷରୁ କମ୍ ବାଳକ ବର୍ଗରେ କଟକର ଆୟୁଷ ମାଣିଆ ବିଜୟୀ ହୋଇଥିବାବେଳେ ୧୩ ବର୍ଷରୁ କମ୍ ବାଳକ ବର୍ଗରେ ପୁରୀର ସାଇ କିରନ ପ୍ରଧାନ ବିଜୟୀ ହୋଇଛନ୍ତି। ସେହିପରି ୧୫ ବର୍ଷରୁ କମ୍ ବୟସ ବାଳିକା ବର୍ଗରେ କଟକର ଉର୍ଜା ବର୍ମାଙ୍କୁ ଜିତାପଟ ମିଳିଥିବାବେଳେ ଅୟାମ ମୁସ୍ତାକ ଓ ଫରାଜ ରାଜାଙ୍କ ଯୋଡ଼ି ବାଳକ ଯୁଗଳ ବର୍ଗରେ ଚାମ୍ପିୟନ ହୋଇଥିଲେ।    

“୧୬ତମ ରାଜ୍ୟ ଟେବୁଲ ଟେନିସ ରାଙ୍କିଙ୍ଗ୍ ଚାମ୍ପିୟନସିପକୁ ଆମେ ସଫଳତାର ସହ ଆୟୋଜନ କରିଛୁ। ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରତିଯୋଗୀମାନେ ମ୍ୟାଚଗୁଡ଼ିକରେ ପରସ୍ପରକୁ କଡ଼ା ଟକ୍କର ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନଙ୍କୁ ମିଳିଥିବା ପଏଣ୍ଟ ଓ ରାଙ୍କ୍ ଅନୁସାରେ ସେମାନେ ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ସୁଯୋଗ ପାଇବେ”, କହିଛନ୍ତି ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ ଆସୋସିଏସନର ସାଧାରଣ ସଂପାଦକ ସ୍ମୃତିରଞ୍ଜନ ଦାସ।

ଏହି ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ପୂର୍ବତନ ଟେବୁଲ ଟେନିସ୍ ଖେଳାଳିମାନଙ୍କୁ ନେଇ ପୁରୁଷ ଏକକ ଓ ଯୁଗଳ ବର୍ଗର ମ୍ୟାଚ୍ ଖେଳାଯାଇଥିଲା। ସେଥିରେ ବିଜୟୀ ହୋଇଥିବା ଖେଳାଳିମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ଉଦଯାପନୀ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଟେବୁଲ ଟେନିସ୍ ଆସୋସିଏସନର ସଭାପତି ସୁରେଶ ଚନ୍ଦ୍ର ମହାରଣା ଓ ଯୁଗ୍ମ ସଚିବ ଶଶାଙ୍କ ଶେଖର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପି.କେ. ସାମନ୍ତରାୟ, ତ୍ରୈଲୋକ୍ୟ ରାଉତ, ନିରଞ୍ଜନ ସେଠୀ, ବିଜନ ଦାସମହାପାତ୍ର ଏବଂ ତପନ ଖା ଟୁର୍ଣ୍ଣାମେଣ୍ଟର ପରିଚାଳନାରେ ସହଯୋଗ କରିଥିଲେ।

Tags: #kdtta #staterankingtournament #odishasports #tabletennis #Bhubaneswar

LEAVE A REPLY

Please enter your comment!
Please enter your name here