ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ରିକେଟ ବିଶ୍ୱକପ ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ।

ଆଜିଠୁ ଆରମ୍ଭ ହେବ ଦିନିକିଆ କ୍ରିକେଟ ବିଶ୍ୱକପ। ୧୦ଟି ଟିମ ଭିତରେ ହେବ କଡ଼ା ମୁକାବିଲା। ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ ଏବଂ ନେଦରଲାଣ୍ଡ ଏଥିରେ ଅଂଶଗ୍ରହଣ କରିଛନ୍ତି।

ପ୍ରଥମ ଥର ପାଇଁ ଭାରତ ନିଜସ୍ୱ ଉଦ୍ୟମରେ ଆୟୋଜନ କରୁଛି କ୍ରିକେଟ ବିଶ୍ୱକପ। ୧୦ଟି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଏଥିପାଇଁ ପ୍ରସ୍ତୁତ ରହିଛି ଅହମ୍ମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ହାଇଦ୍ରାବାଦ, କୋଲକାତା ଇଡେନ ଗାର୍ଡେନ, ଲକ୍ଷ୍ନୌ, ମୁମ୍ବାଇର ୱାଙ୍ଖଡେ ଏବଂ ପୁଣେ ଷ୍ଟାଡିୟମ। ହାଇଦ୍ରାବାଦକୁ ବାଦ୍ ଦେଲେ ବାକି ଷ୍ଟାଡିୟମରେ ୫ଟି ଲେଖାଏଁ ମ୍ୟାଚ ‌ଖେଳାଯିବ। ହାଇଦ୍ରାବାଦରେ ଖେଳାଯିବ ୩ଟି ମ୍ୟାଚ।

ଗୁରୁବାର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡକୁ ଭେଟିବ ନ୍ୟୁଜିଲାଣ୍ଡ। ଅକ୍ଟୋବର ୮ରୁ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ ଇଣ୍ଡିଆ। ଏଥର ବିଶ୍ୱକପ ଭାରତରେ ହେଉଥିବାରୁ ୨୦୧୧ ସଫଳତାର ପୁନରାବୃତ୍ତି କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ଏଥର ବିଶ୍ୱକପ ଜିତିଲେ, ତାହା ହେବ ଭାରତର ତୃତୀୟ ବିଶ୍ୱକପ ବିଜୟ।

ତେବେ ସମସ୍ତଙ୍କ ନଜର ରହିଛି ଅକ୍ଟୋବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ ଉପରେ। ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ। ପ୍ରାୟ ଦେଢ଼ ମାସ ଧରି ଚାଲିବ ବିଶ୍ୱକପ।

ନଭେମ୍ବର ୧୯ରେ ହେବ ଫାଇନାଲ ଫାଇଟ। ଏଥର ପ୍ରତି ଦଳ ଅନ୍ୟ ୯ଟି ଦଳ ସହ ଖେଳିବ ଲିଗ ମ୍ୟାଚ। ପଏଣ୍ଟ ତାଲିକାର ଶ୍ରେଷ୍ଠ ୪ଟି ଦଳ ସେମିଫାଇନାଲକୁ ଯିବେ। ସେଥିରୁ ଶ୍ରେଷ୍ଠ ଦୁଇଟି ଦଳ ମଧ୍ୟରେ ଖେଳାଯିବ ଫାଇନାଲ ମ୍ୟାଚ। ପ୍ରଥମ ସେମିଫାଇନାଲ ମୁମ୍ୱାଇର ୱାଙ୍ଖଡେ ଏବଂ ଦ୍ୱିତୀୟ ସେମିଫାଇନାଲ କୋଲକାତାର ଇଡେନ ଗାର୍ଡେନରେ ଖେଳାଯିବ।

Tags: #icc #cricketworldcup #sachintendulkar #brandambassador #sports #cricket

Comment