ଓଡ଼ିଶାଲାଇଭ୍ ବ୍ୟୁରୋ

ଆସିଲା କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଘଟଣାର ସତ୍ୟାସତ୍ୟ। ପୁଅ ନୁହେଁ ଝିଅ ଜନ୍ମ ହୋଇଥିଲା। ଗୁରୁବାର ଦିନ ଆସିଥିବା ଡିଏନଏ ଟେଷ୍ଟ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି।

ଗତ ସେପ୍ଟେମ୍ବର ୨୬ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପତ୍ନୀ ପ୍ରସବ ପାଇଁ ଭୁବନେଶ୍ଵର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଅସ୍ତ୍ରୋପଚାର ପରେ ସେ ଏକ ସନ୍ତାନ ଜନ୍ମ ଦେଇଥିଲେ।

ପୁଅ ଜନ୍ମ ହୋଇଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟ ପ୍ରାଣକୃଷ୍ଣଙ୍କୁ ଖବର ଦେଇଥିଲେ। କିନ୍ତୁ ପରେ ତାଙ୍କୁ ଝିଅଟିଏ ଦିଆଯାଇଥିଲା। ଏହାକୁ ନେଇ ଶିଶୁ ବଦଳ ହୋଇଥିବା ଅଭିଯୋଗ କରିଥିଲେ ପ୍ରାଣକୃଷ୍ଣ ବିଶ୍ଵାଳ ଏବଂ ତାଙ୍କ ପରିବାର। ପ୍ରାଣକୃଷ୍ଣ ନବଜାତ ଝିଅକୁ ନେବାକୁ ଅରାଜି ହେବା ସହ ଡିଏନଏ ଟେଷ୍ଟ ପାଇଁ ଅଡ଼ି ବସିଥିଲେ। ଡିଏନଏ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ନବଜାତକଙ୍କୁ ଗ୍ରହଣ କରିବେ ନାହିଁ ବୋଲି ସେ ସଫା ସଫା କହିଥିଲେ।

ପ୍ରାଣକୃଷ୍ଣଙ୍କ ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ମାମଲାର ତଦନ୍ତ କରିଥିଲେ। ଭୁଲ ବୁଝାମଣା ଯୋଗୁଁ ଏହିଭଳି ତ୍ରୁଟି ସାମ୍ନାକୁ ଆସିଥିବା କହିଥିଲେ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ। ଏହି ଘଟଣାରେ ପୁଅ ହୋଇଛି ବୋଲି ସୂଚନା ଦେଇଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଥିଲା।

ପରେ ପ୍ରାଣକୃଷ୍ଣଙ୍କ ଅଭିଯୋଗ ଆଧାରରେ କ୍ୟାପିଟାଲ ହସ୍ପିଟାଲରେ ଶିଶୁ କନ୍ୟା ଏବଂ ପ୍ରାଣକୃଷ୍ଣଙ୍କ ପତ୍ନୀଙ୍କର ଡିଏନଏ ଟେଷ୍ଟ ଲାଗି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଫରେନ୍ସିକ ଲ୍ୟାବକୁ ପଠାଯାଇଥିଲା। ଗୁରୁବାର ଦିନ ଡିଏନଏ ରିପୋର୍ଟ ଆସିଛି। ପ୍ରାଣକୃଷ୍ଣଙ୍କ ପତ୍ନୀ ପୁଅ ନୁହେଁ ଝିଅ ଜନ୍ମ ଦେଇଥିବା ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି।

Tags: #CapitalHospitalBhubaneswar #Newborn #NewbornExchangeAllegation #GirlChild #DNAReport

LEAVE A REPLY

Please enter your comment!
Please enter your name here