ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ ମାମଲାରେ ଶିଶୁ ଓ ମା’ଙ୍କର ଡିଏନଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି

କ୍ୟାପିଟାଲ ହସ୍ପିଟାଲରେ ନବଜାତ ଶିଶୁ ବଦଳ ମାମଲାରେ ଶିଶୁ ଓ ମା’ଙ୍କର ଡିଏନଏ ପରୀକ୍ଷା ପାଇଁ ନମୁନା ସଂଗ୍ରହ କରାଯାଇଛି। ହସ୍ପିଟାଲର ଡାକ୍ତର ଏମ.ଏମ. ଗିରି ଏହି ନମୁନା ସଂଗ୍ରହ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ତାକୁ ରାଜ୍ୟ ଫରେନ୍ସିକ ଲ୍ୟାବକୁ ପଠାଇଥିବା ବେଳେ ୧୦ ଦିନ ମଧ୍ୟରେ ରିପୋର୍ଟ ଆସିବ ବୋଲି ଜଣାପଡ଼ିଛି।

ରିପୋର୍ଟ ଆସିବା ପରେ ଭୁବନେଶ୍ୱର କୋର୍ଟରେ ଦାଖଲ କରାଯିବ। ଯଦି ଉଭୟ ମା’ ଓ ଶିଶୁର ଡିଏନଏ ସମାନ ଆସିବ, ତେବେ ସ୍ପଷ୍ଟ ହୋଇଯିବ ସେ ଶିଶୁଟି ପ୍ରାଣକୃଷ୍ଣ ବିଶ୍ୱାଳଙ୍କର। ରିପୋର୍ଟ ନେଗେଟିଭ ଆସିଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲର ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ଧନଞ୍ଜୟ ଦାଶ କହିଛନ୍ତି।

ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ପତ୍ନୀ ମଙ୍ଗଳବାର ସକାଳ ୧୦ଟା ୧୫ରେ ଏକ ଶିଶୁ ଜନ୍ମ ଦେଇଥିଲେ। ପୁଅ ଜନ୍ମ ହୋଇଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟ ତାଙ୍କୁ ଖବର ଦେଇଥିଲେ। କିନ୍ତୁ ପରେ ଝିଅଟିଏ ପ୍ରାଣକୃଷ୍ଣଙ୍କୁ ଦିଆଯାଇଥିଲା। ଏହାକୁ ନେଇ ଶିଶୁ ବଦଳ କରାଯାଇଥିବା ଅଭିଯୋଗ କରିଥିଲେ ପ୍ରାଣକୃଷ୍ଣ ବିଶ୍ଵାଳ ଏବଂ ତାଙ୍କ ପରିବାର।

ପ୍ରାଣକୃଷ୍ଣଙ୍କ ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ମାମଲାର ତଦନ୍ତ କରିଥିଲେ। ଭୁଲ ବୁଝାମଣା ଯୋଗୁଁ ଏହିଭଳି ତ୍ରୁଟି ସାମ୍ନାକୁ ଆସିଥିବା କହିଥିଲେ ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ। ଅନ୍ୟପଟେ ପୁଅ ହୋଇଥିବା ସୂଚନା ଦେଇଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବନ କରାଯାଇଛି।  

Tags: #CapitalHospitalBhubaneswar #Newborn #NewbornExchangeAllegation #GirlChild

Comment