ଓଡ଼ିଶାଲାଇଭ୍ ବ୍ୟୁରୋ

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ବଦଳ ଅଭିଯୋଗ ଘଟଣାରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଆଟେଣ୍ଡାଣ୍ଟଙ୍କୁ ବୁଧବାର ଦିନ ନିଲମ୍ବିତ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ। ଦାୟିତ୍ଵରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବିତ କରାଯାଇଛି।

କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ହୋଇଥିବା ଅଭିଯୋଗ ଆସିଛି। ମଙ୍ଗଳବାର ଦିନ କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକ ଅଞ୍ଚଳର ପ୍ରାଣକୃଷ୍ଣ ବିଶ୍ଵାଳଙ୍କ ପତ୍ନୀ ପ୍ରସବ ପାଇଁ କ୍ୟାପିଟାଲ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ୍ଵାର୍ଡରେ ଭର୍ତ୍ତି ହୋଇଥିଲେ। ଆସ୍ତ୍ରୋପଚାର ପରେ ସେ ଏକ ସନ୍ତାନ ଜନ୍ମ ଦେଇଥିଲେ।

ପୁଅ ଜନ୍ମ ହୋଇଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟ ପ୍ରାଣକୃଷ୍ଣଙ୍କୁ ଖବର ଦେଇଥିଲେ। କିନ୍ତୁ ପରେ ଝିଅଟିଏ ପ୍ରାଣକୃଷ୍ଣଙ୍କୁ ଦିଆଯାଇଥିଲା। ଏହାକୁ ନେଇ ଶିଶୁ ବଦଳ କରାଯାଇଥିବା ଅଭିଯୋଗ କରିଥିଲେ ପ୍ରାଣକୃଷ୍ଣ ବିଶ୍ଵାଳ ଏବଂ ତାଙ୍କ ପରିବାର। ପ୍ରାଣକୃଷ୍ଣ ଝିଅକୁ ନେବାକୁ ଅରାଜି ହେବା ସହ ଡିଏନଏ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ନବଜାତକଙ୍କୁ ଗ୍ରହଣ କରିବେ ନାହିଁ ବୋଲି ସଫା ସଫା କହିଥିଲେ।

ପ୍ରାଣକୃଷ୍ଣଙ୍କ ଅଭିଯୋଗ ପରେ ହସ୍ପିଟାଲ କର୍ତ୍ତୃପକ୍ଷ ଏକ କମିଟି ଗଠନ କରି ମାମଲାର ତଦନ୍ତ କରିଥିଲେ। ଭୁଲ ବୁଝାମଣା ଯୋଗୁଁ ଏହିଭଳି ତ୍ରୁଟି ସାମ୍ନାକୁ ଆସିଥିବା ବୁଧବାର ଦିନ କହିଛନ୍ତି ହସ୍ପିଟାଲ ନିର୍ଦେଶକ ଲକ୍ଷ୍ମୀଧର ସାହୁ। ସେ କହିଛନ୍ତି ପ୍ରାଣକ୍ରଷ୍ଣଙ୍କ ପତ୍ନୀ ପୁଅ ନୁହେଁ ବରଂ ଝିଅକୁ ଜନ୍ମ ଦେଇଛନ୍ତି। ଝିଅ ଜନ୍ମ ହେବା ସଙ୍ଗେ ସଙ୍ଗେ ମା’କୁ ସୂଚନା ଦିଆଯାଇଛି ଏବଂ ଝିଅ ଜନ୍ମ ହୋଇଥିବା ନେଇ ସମସ୍ତ ପ୍ରମାଣ ରହିଥିବା ସେ କହିଛନ୍ତି।

ଏପଟେ ପୁଅ ହୋଇଥିବା ସୂଚନା ଦେଇଥିବା ଓ୍ଵାର୍ଡ ଆଟେଣ୍ଡାଣ୍ଟଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଝିଅକୁ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି ପରିବାର ଲୋକ। ଫଳରେ ପୋଲିସର ସହାଯ୍ୟ ଲୋଡ଼ିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ।

Tags: #CapitalHospitalBhubaneswar #Newborn #NewbornExchangeAllegation #GirlChild

Comment