ଓଡ଼ିଶାଲାଇଭ୍ ବ୍ୟୁରୋ

ଉପଯୁକ୍ତ ଶିକ୍ଷା ଆହରଣ ପାଇଁ ଆପଣଙ୍କୁ ସକରାତ୍ମକ ଶୈକ୍ଷିକ ବାତାବରଣ ଆବଶ୍ୟକ ଏଥିସହିତ ବ୍ୟବହାରିକ ଜ୍ଞାନ ବା ପ୍ରାକ୍ଟିକାଲ ନଲେଜର ମଧ୍ୟ ଆବଶ୍ୟକତା ରହିଛି ୟୁନିସେଫରମୀନାଆନିମେସନ ସିରିଜରମୁଁ ସ୍କୁଲ ଭଲ ପାଏଅଧ୍ୟାୟରେ ଶିକ୍ଷକ ତଥା ପିଲାମାନଙ୍କୁ ଏହି ବାର୍ତ୍ତା ଦିଆଯାଇଛି

ପାଠ ପଢ଼ିବା ପାଇଁ ଦରକାର ଉପଯୁକ୍ତ ଶୈକ୍ଷିକ ବାତାବରଣ। ପିଲାମାନଙ୍କ ଶିକ୍ଷା ଗ୍ରହଣ ପାଇଁ ଏବଂ ଶିକ୍ଷକଙ୍କ ଶିକ୍ଷାଦାନ ପାଇଁ ଏହା ନିଶ୍ଚୟ ଜରୁରୀ। ସେହିପରି ପିଲାଙ୍କୁ ପାଠ ପଢ଼ିବା ସହିତ ପ୍ରାକ୍ଟିକାଲ ଜ୍ଞାନ ରହିବା ଉଚିତ। ଫଳରେ ସେମାନ ପାଠକୁ ସଠିକ ଢଙ୍ଗରେ ବୁଝିପାରିବେ। ଏହାସହିତ ପିଲାଙ୍କୁ ସ୍ନେହର ସହିତ ପାଠ ପଢ଼ାଇଲେ ସ୍କୁଲ ପ୍ରତି ମଧ୍ୟ ସେମାନଙ୍କ ଭଲପାଇବା ରହିବ। ଏଥିପାଇଁ ଶିକ୍ଷକଙ୍କୁ ସ୍ୱତନ୍ତ୍ର ତାଲିମ ନେବା ଦରକାର।ୟୁନିସେଫ ‘ମୀନା’ ଆନିମେସନ ସିରିଜର ଏହି ଅଧ୍ୟାୟରେ ଶିକ୍ଷକଙ୍କ ଶିକ୍ଷାଦାନଶୈଳୀ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ଅଧ୍ୟାୟରେ ମୀନାର ସ୍କୁଲର ନୂଆ ଶିକ୍ଷୟତ୍ରୀଙ୍କ ପାଠ ପଢ଼ାଇବାର ଢଙ୍ଗ ଠିକ୍ ନଥିଲା। ଫଳରେ ପିଲାମାନେ ପାଠକୁ ଠିକ ଭାବରେ ବୁଝିପାରୁନଥିଲେ। ଏହାସହ ପିଲାମାନଙ୍କ ପ୍ରତି ଶିକ୍ଷୟତ୍ରୀଙ୍କ ବ୍ୟବହାର ମଧ୍ୟ ଖରାପ ଥିଲା, ଯାହା ମୀନାକୁ ବହୁତ ଦୁଃଖ ଦେଇଥିଲା।

ତେଣୁ ପିଲାମାନଙ୍କୁ ପାଠ ପଢ଼ାଇବା ବେଳେ ବିଶେଷ ସାବଧାନତା ଅବଲମ୍ବନ କରିବା। ସେମାନଙ୍କୁ ବିଭିନ୍ନ ଉଦାହରଣ ଦେଇ ସ୍ନେହର ସହିତ ପାଠ ପଢ଼ାଇବା। ଫଳରେ ସ୍କୁଲରେ ସେମାନଙ୍କ ମନ ଲାଗିବା ସହିତ ପାଠ ପଢ଼ିବା ପ୍ରତି ଇଚ୍ଛା ଆହୁରି ବଢ଼ିବ। ‘ମୁଁ ସ୍କୁଲ ଭଲ ପାଏ’ ଅଧ୍ୟାୟରେ ଏହି ବିଷୟ ଉପରେ ସମାଜକୁ ବାର୍ତ୍ତା ଦିଆଯାଇଛି।

ମୀନାକେମିତି କାହିଁକି ଆରମ୍ଭ ହୋଇଥିଲା?

ୟୁନିସେଫ ଦ୍ୱାରା ପ୍ରଯୋଜିତ “ମୀନା’ ଏକ ଲୋକପ୍ରିୟ ଆନିମେସନ ସିରିଜ ଯାହା ନବେ ଦଶକରେ ପ୍ରସାରିତ ହୋଇଥିଲା। ଶିଶୁକନ୍ୟାକୁ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସମାନ ସୁଯୋଗ ପ୍ରଦାନ କରିବା ଲାଗି ସଚେତନତା ସୃଷ୍ଟି କରିବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଏହି କାର୍ଟୁନ ସିରିଜର ନାୟିକା ମୀନା, ତା’ର ଭାଇ ରାଜୁ ଓ ଶୁଆ ମିଠୁ ସହିତ ନିଜର ସାହସିକ କାର୍ଯ୍ୟକଳାପ ଜରିଆରେ ସେମାନଙ୍କ ଗାଁ ଓ ବାହାରେ ଥିବା ପିଲାମାନଙ୍କ ଜୀବନ ବିଷୟରେ ଆଲୋଚନା କରିଥାଏ।

ବାସ୍ତବରେ, ମୀନା ଜଣେ ୯ ବର୍ଷୀୟା ସାହସୀ ବାଳିକା ଯିଏକି ଦକ୍ଷିଣ ଏସିଆର ଶିଶୁମାନଙ୍କର ଜୀବନକୁ ପ୍ରତିଫଳିତ କରିଥାଏ। ଶିଶୁମାନଙ୍କ ଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗର ଖୁବ ଚତୁର ଭାବେ ମୁକାବିଲା କରିବା ସହିତ ଶିଶୁକନ୍ୟାମାନଙ୍କର ସୁରକ୍ଷା ଏବଂ ଅଧିକାରକୁ ନେଇ ସେ ଲୋକଙ୍କୁ ସଚେତନ କରିଥାଏ। ଏହି ସିରିଜରେ ସ୍ୱଚ୍ଛତା ଓ ପରିମଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଶିଶୁ ଅଧିକାର ଭଳି ଗୁରୁତ୍ୱପୂର୍ଣ୍ଣ ସାମାଜିକ ପ୍ରସଙ୍ଗ ଉପସ୍ଥାପନ କରାଯିବା ସହିତ ସମାଜର ପ୍ରମୁଖ ଅଂଶୀଦାରମାନଙ୍କ ଧ୍ୟାନ ଆକର୍ଷଣ କରିଯାଇଛି।

୧୯୯୦-୨୦୦୦ ସମୟକୁ ଶିଶୁକନ୍ୟାଙ୍କ ଦଶନ୍ଧି ଭାବେ ପାଳନ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଦକ୍ଷିଣ ଏସିଆରେ ଶିଶୁକନ୍ୟା, ସେମାନଙ୍କ ପରିବାର ଓ ଜନସମୁଦାୟକୁ ସଚେତନ କରିବା ଉଦ୍ଦେଶ୍ୟରେ ୟୁନିସେଫ ପକ୍ଷରୁ ଏକ ଭିଡିଓ ସିରିଜ ପ୍ରସାରଣ କରିବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ମୀନା କାର୍ଟୁନ ସିରିଜ ଜରିଆରେ ୟୁନିସେଫ ବେଶ ପ୍ରଭାବୀ ଢଙ୍ଗରେ ଏହି ବିଚାରକୁ ଉପସ୍ଥାପନ କରିଥିଲା।

କାର୍ଟୁନ ଓ ଆନିମେସନ ହେଉଛି ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ। ତେଣୁ ୟୁନିସେଫ ଦ୍ୱାରା ବିଭିନ୍ନ ଭାଷାରେ ପ୍ରସାରିତ ହୋଇଥିବା ମୀନା ଏକ ସଫଳ କାର୍ଯ୍ୟକ୍ରମ ଭାବେ ପ୍ରମାଣିତ ହୋଇଥିଲା। ଭାରତ, ବାଂଲାଦେଶ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ ଓ ଭୂଟାନ ଆଦି ଦକ୍ଷିଣ ଏସିଆର ବିଭିନ୍ନ ଦେଶରେ ଏହା ପ୍ରସାରିତ ହୋଇଥିଲା।

ବାସ୍ତବରେ, ମୀନା ଏକ ଏପରି କାର୍ଯ୍ୟକ୍ରମ ଯାହା ଦର୍ଶକଙ୍କ ନିକଟରେ ଗଣମାଧ୍ୟମର ମୌଳିକ ଉପାଦାନ ଯଥା ସୂଚନା, ଶିକ୍ଷା ଓ ମନୋରଞ୍ଜନ ଆଦିକୁ ଚମତ୍କାର ଭାବେ ପହଞ୍ଚାଇପାରିଛି।

Comment