ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନର ହାଙ୍ଗଝୌଉରେ ଚାଲିଥିବା ୧୯ତମ ଏସିଆନ ଗେମ୍ସର ଭାରତୀୟ ପୁରୁଷ ହକି ଦଳ ସ୍ଵର୍ଣ୍ଣ ପଦକ ଜିତିଛି। ଶୁକ୍ରବାର ଫାଇନାଲରେ ଭାରତ ଡିଫେଣ୍ଡିଂ ଚାମ୍ପିୟନ ଜାପାନକୁ ୫-୧ ଗୋଲରେ ପରାସ୍ତ କରିଛି। ଅଧିନାୟକ ହରମନପ୍ରୀତ ସିଂହ ଏହି ମ୍ୟାଚରେ ୨ଟି ଗୋଲ ଦେଇଛନ୍ତି। ଏହି ବିଜୟ ସହ ଭାରତୀୟ ଦଳ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି।

ଜାପାନ ବିପକ୍ଷ ଫାଇନାଲ ମ୍ୟାଚରେ ଭାରତ ଆରମ୍ଭରୁ ଜାପାନ ଉପରେ ନିଜର ପ୍ରଭାବ ବିସ୍ତାର କରିଥିଲା। ମ୍ୟାଚର ଦ୍ଵିତୀୟ କ୍ୱାର୍ଟରରେ ୧୦ତମ ମିନିଟରେ ଭାରତର ମନପ୍ରୀତ ସିଂହ ଦଳ ପାଇଁ ପ୍ରଥମ ଗୋଲ କରିଥିଲେ।

ଏହାପରେ ଭାରତୀୟ ଦଳ ମ୍ୟାଚରେ ଆଗୁଆ ହୋଇ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲା। ମ୍ୟାଚର ୩୨ତମ ମିନିଟରେ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଏକ ସୁନ୍ଦର ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରିଥିଲେ। ଏହାର ମାତ୍ର ୪ ମିନିଟ ପରେ ଓଡ଼ିଶାର ଅମିତ ରୋହିଦାସ ଏକ ଫିଲ୍ଡ ଗୋଲ ଦେଇଥିଲେ।

ମ୍ୟାଚର ୪୮ତମ ମିନିଟରେ ଭାରତୀୟ ଖେଳାଳି ଅଭିଷେକ ଏକ ଫିଲ୍ଡ ଗୋଲ ଦେଇ ଦଳକୁ ୪-୦ରେ ଆଗୁଆ କରିଥିଲେ। ୩ଟି କ୍ୱାର୍ଟରରେ କିଛି ଗୋଲ କରିବାରେ ବିଫଳ ହୋଇଥିବା ଜାପାନ ୫୧ ତମ ମିନିଟରେ ନିଜର ପ୍ରଥମ ଗୋଲ ଦେଇଥିଲା।

ଫାଇନାଲ ମ୍ୟାଚର ଶେଷ ମିନିଟରେ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂହ ଗୋଲରେ ପରିଣତ କରିଥିଲେ। ଏହାସହ ଏସିଆନ ଗେମ୍ସରେ ଭାରତର ଆଉ ଏକ ସ୍ଵର୍ଣ୍ଣ ପଦକ ପକ୍କା ହୋଇଯାଇଥିଲା।

ଆଜିର ବିଜୟ ସହ ଏସିଆନ ଗେମ୍ସରେ ଭାରତୀୟ ପୁରୁଷ ହକି ଦଳ ଚତୁର୍ଥ ଥର ପାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଛି। ଏହାପୂର୍ବରୁ ୧୯୬୬, ୧୯୯୮ ଓ ୨୦୧୪ ମସିହାରେ ଭାରତ ହକିରେ ସ୍ଵର୍ଣ୍ଣ ପଦକ ଜିତିଥିଲା। ୨୦୧୮ ମସିହାରେ ଇଣ୍ଡୋନେସିଆର ଜାକର୍ତ୍ତାରେ ହୋଇଥିବା ଏସିଆନ ଗେମ୍ସରେ ଭାରତ ତୃତୀୟ ସ୍ଥାନ ସହ ବ୍ରୋଞ୍ଜ ମେଡାଲ ପାଇଥିଲା।    

Tags: #AsianGames #Hockey #IndiavsJapan #GoldMedal #Sports           

LEAVE A REPLY

Please enter your comment!
Please enter your name here