ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ
  • ପ୍ରଥମ ଦିନରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାରେ ଶୁଭାରମ୍ଭ
  • ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା
  • ସାରା ରାଜ୍ୟରେ ଖର୍ଚ୍ଚ ହେବ ୩,୩୯୭ କୋଟି ଟଙ୍କା

ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦେଶ୍ୟରେ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’। ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୯୭ଟି ଗ୍ରାମ ପଞ୍ଚାୟତର ୩୫୬୮ଟି ପ୍ରକଳ୍ପ ପାଇଁ ୧୪୮ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବାବେଳେ ଭଦ୍ରକ ଜିଲ୍ଲାର ୫ଟି ନିର୍ବାଚନମଣ୍ଡଳୀର ୨୧୮ଟି ଗ୍ରାମ ପଞ୍ଚାୟତରେ ୩,୩୩୭ଟି ପ୍ରକଳ୍ପ ପାଇଁ ୧୦୯ କୋଟି ଟଙ୍କା ମଞ୍ଜୁର ହୋଇଛି।

ସାରା ରାଜ୍ୟରେ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଯୋଜନାରେ ରାଜ୍ୟର ୬,୭୯୪ଟି ପଞ୍ଚାୟତ ସାମିଲ ହେବେ। ଏହି ଯୋଜନାରେ ରାଜ୍ୟରେ ୯୦,୭୨୩ଟି ପ୍ରକଳ୍ପ ହେବାକୁ ଥିବାବେଳେ ପ୍ରତି ଗାଁକୁ ମିଳିବ ୫୦ ଲକ୍ଷ ଟଙ୍କା।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତି ଗାଁରେ ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଶାର ସଂସ୍କୃତିର ମୂଳ ତ୍ତିକୁ ସୁଦୃଢ଼ କରାଯିବା ସହ ଡିଜିଟାଲ ଭିତ୍ତିଭୂମିର ବିକାଶ କରାଯିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, “ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପ୍ରତି ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବା ହସ ପୂଜାସ୍ଥଳୀର ବିକାଶ ହେବ। ଭବିଷ୍ୟତ ବଂଶଧରଙ୍କ ଲାଗି ଐତିହ୍ୟସ୍ଥଳୀଗୁଡ଼ିକର ସଂରକ୍ଷଣ କରାଯିବ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗାଁ ଗାଁରେ ଇଣ୍ଟରନେଟ ସଂଯୋଗ ସହ ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର, ଓ୍ଵାର୍କ ହବ ସହ ବ୍ୟାଙ୍କିଙ୍ଗ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର ପ୍ରାଥମିକ ସ୍କୁଲଗୁଡ଼ିକ ସାମିଲ ହେବ। ପ୍ରତି ଗାଁ ସଶକ୍ତ ଓଡ଼ିଶାର ପ୍ରତିଛବି ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ।

କାର୍ଯ୍ୟକ୍ରମକୁ ୫-ଟି ସଚିବ ଭି କେ ପାଣ୍ଡିଆନ ସଂଯୋଜନା କରିଥିଲେ। ପ୍ରତ୍ୟେକ ଜିଲ୍ଲା ନିର୍ବାଚନମଣ୍ଡଳୀର ବିଭିନ୍ନ ଜନପ୍ରତିନିଧି ଆଲୋଚନାରେ ଭାଗ ନେଇଥିଲେ।

Tags: #Politics #Odisha #CMOdisha #NaveenPatnaik #amaodishanabinodishascheme #kendujhar #bhadrak

Comment