ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଜାରି ରହିଛି ଦକ୍ଷିଣ ଆଫ୍ରିକା ଓ ନେଦରଲାଣ୍ଡସ୍ ମଧ୍ୟରେ ମୁକାବିଲା। ଏଥିରେ ଦକ୍ଷିଣ ଆଫ୍ରିକା ପ୍ରଥମେ ଟସ୍ ଜିତି ବୋଲିଂ କରୁଛି। ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାଚଟି ଖେଳାଯାଉଛି।

ମ୍ୟାଚରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଛି ନେଦରଲାଣ୍ଡସ୍। ଦଳ ପକ୍ଷରୁ ବିକ୍ରମଜିତ ସିଂହ ଓ ମ୍ୟାକ୍ସ ଓଡୌଡଙ୍କ ଓପନିଂ ଯୋଡ଼ି ଇନିଂସ୍ ଆରମ୍ଭ କରିଥିଲେ। ସେହିପରି ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗୀ ଏଁଗିଡି ବୋଲିଂ ଆଟକ ଆରମ୍ଭ କରିଥିଲେ।

ତେବେ ବର୍ଷା ଯୋଗୁଁ ମ୍ୟାଚଟି ପ୍ରାୟ ୨ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏବେ ମ୍ୟାଚରେ ୫୦ ଓଭର ବଦଳରେ ୪୩ ଓଭର ଖେଳାଯିବ। ମ୍ୟାଚରେ ୧୮ ଓଭର ଖେଳ ଶେଷ ସୁଦ୍ଧା ନେଦରଲାଣ୍ଡସ୍ ଦଳ ୪ଟି ୱିକେଟ ହରାଇ  ୭୨ ରନ ସଂଗ୍ରହ କରିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ କଗିସୋ ରାବାଡା ୨ଟି ୱିକେଟ ନେଇଛନ୍ତି।

ଚଳିତ ବିଶ୍ଵକପରେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଦୁଇଟି ମ୍ୟାଚ ଜିତି ଭଲ ଫର୍ମରେ ରହିଛି। ଦଳ ନିଜର ପ୍ରଥମ ମ୍ୟାଚରେ ଶ୍ରୀଲଙ୍କାକୁ ଏବଂ ଦ୍ଵିତୀୟ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ମଙ୍ଗଳବାର ନେଦରଲାଣ୍ଡସ୍ ବିପକ୍ଷରେ ଦଳ ହାଟ୍ରିକ ବିଜୟ ଲକ୍ଷ୍ୟରେ ରହିଛି। ସେହିପରି ନେଦରଲାଣ୍ଡସ୍ ବିଶ୍ଵକପରେ ନିଜର ପ୍ରଥମ ଦୁଇଟି ମ୍ୟାଚରେ ପରାଜିତ ହୋଇଥିଲା।

ଅନ୍ୟପଟେ ବିଶ୍ଵକପରେ ସୋମବାର ଅଷ୍ଟ୍ରେଲିଆ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ ଜିତି ନିଜର ପ୍ରଥମ ବିଜୟ ହାସଲ କରିଥିଲା। ମ୍ୟାଚରେ ଶ୍ରୀଲଙ୍କା ଦେଇଥିବା ୨୧୦ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୩୫.୨ ଓଭରରେ ୫ ୱିକେଟ ବିନିମୟରେ ହାସଲ କରିନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ଇଂଲିସ ୫୮ ଓ ମିଚଲ୍ ମାର୍ଶ ୫୨ ରନ କରିଥିବାବେଳେ ଆଡମ ଜାମ୍ପା ୪ଟି ୱିକେଟ ନେଇଥିଲେ।

Tags: #ICCCricketWorldCup #SouthAfricavsNetherlands #Cricket #Sports #ICC

Comment