ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଶୁକ୍ରବାର ଖେଳାଯାଉଛି ଅଷ୍ଟ୍ରେଲିଆ-ପାକିସ୍ତାନ ମଧ୍ୟରେ ମ୍ୟାଚ। ଏଥିରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଆଗରେ ୩୬୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ସର୍ବାଧିକ ୧୬୩ ରନ କରିଥିଲେ। ବେଙ୍ଗାଳୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଉଛି।

ମ୍ୟାଚ ଆରମ୍ଭରେ ପାକିସ୍ତାନ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ଓ ମିଚଲ୍ ମାର୍ଶ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ। ଆରମ୍ଭରୁ ସେମାନେ ଆକ୍ରମଣାତ୍ମକ ଖେଳି ପାକିସ୍ତାନୀ ବୋଲରଙ୍କ ବିପକ୍ଷରେ ଭଲ ସ୍କୋର କରିବା ଆରମ୍ଭ କରିଥିଲେ।

ମ୍ୟାଚରେ ଉଭୟ ୱାର୍ଣ୍ଣର ଓ ମାର୍ଶ ଶତକୀୟ ଇନିଂସ୍ ଖେଳିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୨୫୯ ରନର ପାର୍ଟନରସିପ କରିଥିଲେ। ପଡ଼ିଆର ସବୁ ଦିଗରେ ସେମାନେ ରନ ସ୍କୋର କରିଥିଲେ। ଏହାପରେ ମିଚଲ୍ ମାର୍ଶ ୧୨୧ ରନ କରି ଆଉଟ୍ ହୋଇଥିଲେ।

ଏହି ମ୍ୟାଚରେ ପ୍ରଥମରୁ ପାକିସ୍ତାନ ପକ୍ଷରୁ ଉଭୟ ବୋଲିଂ ଓ ଫିଲ୍ଡିଂରେ ଭଲ ପ୍ରଦର୍ଶନ ଦେଖିବାକୁ ମିଳିନଥିଲା। ହେଲେ ୩୫ ଓଭର ପରେ ଦଳର ବୋଲରମାନେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇଥିଲେ। ପାକିସ୍ତାନର ଶାହୀନ ଆଫ୍ରିଦୀଙ୍କ ବୋଲିଂ ଅଷ୍ଟ୍ରେଲିଆ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ମ୍ୟାଚରେ ସେ ୫ଟି ୱିକେଟ ନେଇଥିଲେ।

ମ୍ୟାଚରେ ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୩୬୭ ରନ ସଂଗ୍ରହ କରିବାରେ ସକ୍ଷମ ହେଲା। ଅନ୍ୟପଟେ ପାକିସ୍ତାନ ପକ୍ଷରୁ ଅନ୍ୟ ବୋଲରଙ୍କ ମଧ୍ୟରେ ହାରିସ୍ ରୌଫ ୩ଟି ଓ ଉସମା ମୀର ଗୋଟିଏ ୱିକେଟ ହାସଲ କରିଛନ୍ତି।

ଏହି ବିଶ୍ଵକପରେ ଅଷ୍ଟ୍ରେଲିଆ ୩ଟି ମ୍ୟାଚ ଖେଳି କେବଳ ଗୋଟିଏ ମ୍ୟାଚ ଜିତିଛି। ଅନ୍ୟପଟେ ପାକିସ୍ତାନ ୩ଟିରୁ ୨ଟି ମ୍ୟାଚ ଜିତିଥିବାବେଳେ ଶେଷ ମ୍ୟାଚରେ ଭାରତ ନିକଟରୁ ପରାଜିତ ହୋଇଥିଲା। ତେବେ ଉଭୟ ଦଳ ଆଜିର ମୁକବିଲା ଜିତି ବିଶ୍ଵକପରେ ନିଜର ପ୍ରଦର୍ଶନକୁ ଉନ୍ନତ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛନ୍ତି।  

Tags: #ICCCricketWorldCup #AustraliavsPakistan #Cricket #Sports

Comment