ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ସୋମବାର ଚାଲିଛି ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମୁକାବିଲା। ଏଥିରେ ପାକିସ୍ତାନ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରୁଛି। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଉଛି।

ମ୍ୟାଚରେ ଆଫଗାନିସ୍ତାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ପାକିସ୍ତାନର ଓପନିଂ ଯୋଡ଼ି ଅବଦୁଲ୍ଲା ସାଫିକ ଏବଂ ଇମାମ ଉଲ ହକ। ଉଭୟ ଆରମ୍ଭରୁ ଦଳ ପାଇଁ ଏକ ଭଲ ଇନିଂସ୍ ଆରମ୍ଭ କରିଥିଲେ। ଦଳୀୟ ସ୍କୋର ୫୬ ହୋଇଥିବାବେଳେ ଇମାମ ଉଲ ହକ ଆଉଟ୍ ହୋଇଥିଲେ।

ମ୍ୟାଚରେ ୧୭ ଓଭର ଖେଳ ଶେଷ ସୁଦ୍ଧା ପାକିସ୍ତାନ ଗୋଟିଏ ୱିକେଟ ହରାଇ ୮୫ ରନ ସଂଗ୍ରହ କରିଛି। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ ହକ ପ୍ରଥମେ ବୋଲିଂ ଆରମ୍ଭ କରିଥିଲେ। ଏହାପରେ ଦଳ ପକ୍ଷରୁ ମୁଜିବ ଉର ରେହମାନ, ମହମ୍ମଦ ନବି ଓ ଅଜମତୁହ୍ଲା ଓମରଜାଇ ବୋଲିଂ କରିଛନ୍ତି।

ତେବେ ପାକିସ୍ତାନ ଓ ଆଫଗାନିସ୍ତାନ ବିଶ୍ଵକପରେ ନଜର ପୂର୍ବ ମ୍ୟାଚରେ ପରାଜିତ ହୋଇଥିଲେ। ଏଥିପାଇଁ ଆଜିର ମ୍ୟାଚ ଜିତିବା ପାଇଁ ଉଭୟ ଦଳ ଉପରେ ଚାପ ରହିଛି। ଚଳିତ ବିଶ୍ଵକପରେ ଏବେ ସୁଦ୍ଧା ପାକିସ୍ତାନ ୪ଟି ମ୍ୟାଚରୁ ୨ଟି ଜିତିଥିବାବେଳେ ଆଫଗାନିସ୍ତାନ କେବଳ ଗୋଟିଏ ମ୍ୟାଚ ଜିତିଛି।   

ଅନ୍ୟପଟେ ବିଶ୍ଵକପରେ ରବିବାର ନ୍ୟୁଜିଲାଣ୍ଡକୁ ୪ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ। ୨୦୦୩ ମସିହା ପରେ କୌଣସି ଆଇସିସି ଟୁର୍ଣ୍ଣାମେଣ୍ଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଏହା ଭାରତର ପ୍ରଥମ ବିଜୟ। ମ୍ୟାଚରେ ନ୍ୟୁଜିଲାଣ୍ଡ ଦେଇଥିବା ୨୭୪ ରନର ଟାର୍ଗେଟକୁ ଭାରତ ୪୮ ଓଭରରେ ପୂରା କରିଥିଲା। ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ଶାମି ୫ଟି ୱିକେଟ ନେଇଥିବାବେଳେ ବିରାଟ କୋହଲୀ ସର୍ବାଧିକ ୯୫ ରନ କରିଥିଲେ।

Tags: #ICCCricketWorldCup #PakistanvsAfghanistan #Cricket #Sports #ICC

LEAVE A REPLY

Please enter your comment!
Please enter your name here