ଓଡ଼ିଶାଲାଇଭ୍ ବ୍ୟୁରୋ

କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହା ଆସନ୍ତା ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ଅକ୍ଟୋବର ୩୦ରୁ ଆରମ୍ଭ ହେବ ପ୍ଲଟ ବୁକିଂ ପ୍ରକ୍ରିୟା। ଆସନ୍ତା ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ ଚାଲିବ।
ପୃଷ୍ଟପୋଷକମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇ ପ୍ଲଟ ଆବଣ୍ଟନ କରାଯିବ। ପ୍ରିମିୟମ ପୃଷ୍ଠପୋଷକଙ୍କ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଥିବାବେଳେ ଗୋଲ୍ଡ ପୃଷ୍ଠପୋଷକଙ୍କ ଲାଗି ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରଣ କରାଯାଇଛି। ପୃଷ୍ଠପୋଷକଙ୍କ ଲାଗି ବର୍ଗଫୁଟ ୫୦୦ ଟଙ୍କା ଧାର୍ଯ୍ୟ ହୋଇଛି।

ସେହିପରି ସାଧାରଣ ବ୍ୟବସାୟୀମାନଙ୍କ ଲାଗି ପଞ୍ଜିକରଣ ଆସନ୍ତା ନଭେମ୍ବର ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ନିଲାମ ପ୍ରକ୍ରିୟା ଚାଲିବ। ସାଧାରଣ ବ୍ୟବସାୟୀଙ୍କ ପାଇଁ ବର୍ଗଫୁଟ ପ୍ରତି ସର୍ବନିମ୍ନ ୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।
ଏହା ସହ ଉଠାଦୋକାନୀମାନେ ୧ ହଜାର ଟଙ୍କା ଦେଇ ପଞ୍ଜିକରଣ ଏବଂ ବ୍ୟବସାୟ କରିପାରିବେ। ଦୋଳି ବ୍ୟବସାୟୀମାନେ ୨୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ପ୍ରଶାସନ।
Tags: #CuttackBaliYatra #PlotBooking #Business