ଓଡ଼ିଶାଲାଇଭ୍ ବ୍ୟୁରୋ

  • ଗଣଶିକ୍ଷା ବିଭାଗର ‘ଜିରୋ ଏଫ୍ ମିଶନ’
  • ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ
  • ଦିନକୁ ୧୦ରୁ ୧୪ ଘଣ୍ଟା ପଢ଼ିବା ସହ ୬ରୁ ୭ ଘଣ୍ଟା ଶୋଇବାକୁ ପରାମର୍ଶ
  • ଏକାଗ୍ରତା ବଢ଼ାଇବା ପାଇଁ ଯୋଗ ବ୍ୟାୟାମ କରିବାକୁ କୁହାଯାଇଛି
  • ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢ଼ନ୍ତୁ
  • ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ନଖ ଉଷୁମ ଲେମ୍ବୁ ପାଣି ପିଅନ୍ତୁ
  • ପରୀକ୍ଷା ସମୟରେ ବାହାର ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ


ଆଗକୁ ମାଟ୍ରିକ ପରୀକ୍ଷା। ପରୀକ୍ଷାରେ ଭଲ ପ୍ରଦର୍ଶନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଦୈନିକ କିପରି ପ୍ରସ୍ତୁତ ହେଲେ ଛାତ୍ରଛାତ୍ରୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ ସେଥିପାଇଁ ଏକ ନିୟମାବଳୀ ଜାରି କରିଛି ବିଭାଗ। ଏହି ଟିପ୍ସ ଦ୍ୱାରା ପିଲାମାନେ ନିଜକୁ ଫିଟ୍‌ ରଖିବା ସହ ମନ ଦେଇ ପାଠପଢ଼ିବେ ବୋଲି କୁହାଯାଇଛି।

ରାଜ୍ୟର ସମସ୍ତ ହାଇସ୍କୁଲ ଯେପରି ‘ଜିରୋ ଏଫ୍ ମିଶନ’ ବା ଶତ ପ୍ରତିଶତ ରେଜଲ୍ଟ କରିବେ ତା’ଉପରେ ଗୁରୁତ୍ୱ ଦିଆଯାଇଛି। ସ୍କୁଲର ୫ ପ୍ରତିଶତ ପିଲା ଯେପରି ଏ-୧ ଗ୍ରେଡ୍ ହାସଲ କରିବେ ସେଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି।

ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଥିବା ‘ସୁନିଶ୍ଚିତ’ କାର୍ଯ୍ୟକ୍ରମକୁ ସମସ୍ତ ଜିଲ୍ଲାରେ ଲାଗୁ କରିବାକୁ ଓସେପା ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଯାଇଛି। ଏଥିସହ ଆସନ୍ତା ୪ ତାରିଖରେ ସବୁ ହାଇସ୍କୁଲରେ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକମାନେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗଣଶିକ୍ଷା ବିଭାଗର ଟିପ୍ସ ଅନୁସାରେ, ପରୀକ୍ଷାର୍ଥୀ ଦୈନିକ ୧୦ ଘଣ୍ଟାରୁ ୧୪ ଘଣ୍ଟା ପଢ଼ନ୍ତୁ ଏବଂ ୬ରୁ ୭ ଘଣ୍ଟା ଶୋଇବା ଆବଶ୍ୟକ। ଆଉ ବାକି ସମୟରେ ଅନ୍ୟ କାର୍ଯ୍ୟକ୍ରମ କରନ୍ତୁ। ରାତି ୧୦ଟାରୁ ସକାଳ ୪ଟା କିମ୍ବା ରାତି ୧୧ଟାରୁ ସକାଳ ୫ଟାଯାଏଁ ଶୋଇବାକୁ ପରାମର୍ଶ ଦିଆଯାଇଛି।  

ସକାଳୁ ଉଠିବା ପରେ ନିତ୍ୟକର୍ମ ସାରି ବ୍ୟାୟାମ ଓ ଯୋଗ କରନ୍ତୁ। ଏହାଦ୍ୱାରା ଦିନସାରା ଫୂର୍ତ୍ତି ରହିବେ ତଥା ଏକାଗ୍ରତା ବଢ଼ାଇବାରେ ସାହାଯ୍ୟ କରିବ। ବାହାର ତେଲଯୁକ୍ତ ଖାଦ୍ୟ ଖାଇବାକୁ ମନା କରାଯାଇଛି। ସର୍ବଦା ସନ୍ତୁଳିତ ଓ ସୁଷମ ଖାଦ୍ୟ ଖାଇବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି।

ଦିନକୁ ୫ଟି ଅଧିବେଶନରେ ବିଭକ୍ତ କରି ପାଠ ପଢ଼ନ୍ତୁ। ପ୍ରତି ଅଧିବେଶନ ଆରମ୍ଭରେ ପୂର୍ବ ପାଠର ରିଭିଜନ କରନ୍ତୁ। ଶୋଇବା ପୂର୍ବରୁ ଗରମ କ୍ଷୀର କିମ୍ବା ଉଷୁମ ଲେମ୍ବୁପାଣି ପିଅନ୍ତୁ। ଦିନକୁ ୬ରୁ ୮ ଗ୍ଲାସ ଉଷୁମ ପାଣି ପିଇବାକୁ କୁହାଯାଇଛି। ବିଷୟର ଗୁରୁତ୍ୱ ଦେଖି ପ୍ରତ୍ୟେକ ବିଷୟ ପାଇଁ ଦେଢ଼ ଘଣ୍ଟାରୁ ୨ଘଣ୍ଟା ସମୟ ରଖିବାକୁ ଟିପ୍ସରେ ଉଲ୍ଲେଖ କରାଯାଇଛି।

Tags: #matricexam #matrictips #mass&educationdepartment #osepa

LEAVE A REPLY

Please enter your comment!
Please enter your name here