ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ବୁଧବାର ଖେଳାଯାଉଛି ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ। ଏଥିରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଆଗରେ ୩୫୮ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି। ଦକ୍ଷିଣ ଆଫ୍ରିକା ପକ୍ଷରୁ ରାସି ଭାନଡର ଡୁସେନ ସର୍ବାଧିକ ୧୩୩ ରନ କରିଥିଲେ। ମହାରାଷ୍ଟ୍ରର ପୁଣେସ୍ଥିତ ଏମସିଏ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯାଉଛି।

ମ୍ୟାଚ ଆରମ୍ଭରେ ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ଦକ୍ଷିଣ ଆଫ୍ରିକା ପକ୍ଷରୁ ଓପନିଂ ଯୋଡ଼ି କ୍ୱିଣ୍ଟନ ଡି କକ୍ ଏବଂ ଅଧିନାୟକ ଟେମ୍ବା ବଭୁମା ଇନିଂସ୍ ଆରମ୍ଭ କରିଥିଲେ। ଆରମ୍ଭରୁ ସେମାନେ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ ମଧ୍ୟ ଦଳୀୟ ସ୍କୋର ୩୮ ହୋଇଥିବାବେଳେ ଟେମ୍ବା ବଭୁମା ଆଉଟ୍ ହୋଇଥିଲେ।

ଏହାପରେ ରାସି ଭାନଡର ଡୁସେନ ବ୍ୟାଟିଂ କରିବାକୁ ଆସିଥିଲେ। ସେ କ୍ୱିଣ୍ଟନ ଡି କକଙ୍କ ସହ ମିଶି ନ୍ୟୁଜିଲାଣ୍ଡ ବୋଲରଙ୍କ ବିପକ୍ଷରେ ଭଲ ସ୍କୋର କରିବା ଆରମ୍ଭ କରିଥିଲେ। ମ୍ୟାଚରେ ଉଭୟ ଡି କକ୍ ଓ ଭାନଡର ଡୁସେନ ଶତକୀୟ ଇନିଂସ୍ ଖେଳିଥିଲେ।

ଉଭୟ ଖେଳାଳି ଦ୍ଵିତୀୟ ୱିକେଟ ପାଇଁ ୨୦୦ ରନର ପାର୍ଟନରସିପ କରିଥିଲେ। ପଡ଼ିଆର ସବୁ ଦିଗରେ ସେମାନେ ରନ ସ୍କୋର କରିଥିଲେ। ଏହାପରେ କ୍ୱିଣ୍ଟନ ଡି କକ୍ ୧୧୪ ରନ କରି ଆଉଟ୍ ହୋଇଥିଲେ। ଏହି ମ୍ୟାଚରେ ନ୍ୟୁଜିଲାଣ୍ଡର ପକ୍ଷରୁ ବୋଲିଂ ପ୍ରଦର୍ଶନ କିଛି ଦେଖିବାକୁ ମିଳିନଥିଲା।

ମ୍ୟାଚରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୪ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିବାରେ ସକ୍ଷମ ହେଲା। ଅନ୍ୟପଟେ ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ ସାଉଦି ୨ଟି ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଜିମି ନିସମ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏବେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନମାନେ ଦ୍ଵିତୀୟ ଇନିଂସରେ ବ୍ୟାଟିଂ ଆରମ୍ଭ କରିଛନ୍ତି। ୧୦ ଓଭର ଖେଳ ସୁଦ୍ଧା ଦଳ ୨ଟି ୱିକେଟ ହରାଇ ୫୧ ରନ ସଂଗ୍ରହ କରିଛି।

ଏହି ବିଶ୍ଵକପରେ ଉଭୟ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ୬ଟି ମ୍ୟାଚ ଖେଳିଛନ୍ତି। ସେଥିରୁ ଦକ୍ଷିଣ ଆଫ୍ରିକା ୫ଟି ମ୍ୟାଚ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ ଜିତିଛି। ତେବେ ଉଭୟ ଦଳ ଆଜିର ମୁକବିଲା ଜିତି ବିଶ୍ଵକପର ସେମିଫଇନାଲରେ ନିଜର ସ୍ଥାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇଛନ୍ତି।  

Tags: #ICCCricketWorldCup #SouthAfricavsNewZealand #Cricket #Sports

Comment