ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ଗୁରୁବାର ଚାଲିଛି ଭାରତ-ଶ୍ରୀଲଙ୍କା ମୁକବିଲା। ଏଥିରେ ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି। ପ୍ରଥମ ଇନିଂସରେ ୮ଟି ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି ଟିମ୍ ଇଣ୍ଡିଆ।

ମ୍ୟାଚ ଆରମ୍ଭରେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା। ଭାରତ ପକ୍ଷରୁ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶୁଭମନ ଗିଲ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ମ୍ୟାଚର ପ୍ରଥମ ଓଭରରେ ହିଁ ରୋହିତ ୱିକେଟ ରୂପରେ ଦଳକୁ ଝଟକା ଲାଗିଥିଲା।

ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଓପନର ଶୁଭମନ ଗିଲଙ୍କ ସହ ମିଶି ରନ ସ୍କୋର କରିବା ଆରମ୍ଭ କରିଥିଲେ। ଉଭୟ ଶ୍ରୀଲଙ୍କାର ବୋଲରମାନଙ୍କ ବିରୋଧରେ ପଡ଼ିଆର ସବୁ ଦିଗରେ ସ୍କୋର କରିଥିଲେ। ଉଭୟ ପ୍ରଥମେ ନିଜ ନିଜର ଅର୍ଦ୍ଧଶତକ ପୂରା କରିବା ପରେ ଶତକ ପାଇଁ ଅଗ୍ରସର ହୋଇଥିଲେ।

ହେଲେ ମ୍ୟାଚର ୩୦ ତମ ଓଭରରେ ୯୨ ରନ କରି ଖେଳୁଥିବା ଶୁଭମନ ଗିଲଙ୍କ ୱିକେଟ ପଡ଼ିଥିଲା। ଏହାପରେ ବିରାଟ କୋହଲି ମଧ୍ୟ ୮୮ ରନରେ ଆଉଟ୍ ହୋଇ ନିଜର ୪୯ତମ ଶତକରୁ ବଞ୍ଚିତ ରହିଲେ। ହେଲେ ଉଭୟ ବ୍ୟାଟ୍ସମ୍ୟାନ ୧୮୯ ରନ ପାର୍ଟନରସିପ କରି ଭାରତକୁ ଏକ ମଜବୁତ ସ୍ଥିତିରେ ଛିଡ଼ା କରିଥିଲେ।

ଏହାପରେ ଆସିଥିବା ଶ୍ରେୟସ ଅୟର ଓ ରବୀନ୍ଦ୍ର ଜାଡେଜାଙ୍କ ଧୂଆଁଧାର ଇନିଂସ୍ ଦଳୀୟ ସ୍କୋରକୁ ୩୫୦ ପାର୍ କରାଇବାରେ ସହାୟକ ହୋଇଥିଲା। ଶ୍ରେୟସ ୮୨ ରନ କରିଥିବାବେଳେ ବେଳେ ଜାଡେଜା ରନ ୩୫ କରିଥିଲେ। ଅନ୍ୟପଟେ ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ଦିଲସାନ ମଧୂଶଙ୍କା ସର୍ବାଧିକ ୫ଟି ନେଇଥିଲେ।       

 

ଏବେ ୩୫୮ ରନ ବିଜୟ ଲକ୍ଷ୍ୟକୁ ନେଇ ଶ୍ରୀଲଙ୍କା ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଛି। ଦଳ ପକ୍ଷରୁ ପ୍ରମୁଥ ନିଶଙ୍କା ଓ ଦିମୁଥ କରୁଣାରତ୍ନେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଛନ୍ତି।  

ଏହି ବିଶ୍ଵକପରେ ଭାରତ ନିଜର ସମସ୍ତ ୬ଟି ଯାକ ମ୍ୟାଚ ଜିତିଛି। ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ସପ୍ତମ ବିଜୟ ହାସଲ କରି ସେମିଫଇନାଲରେ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ। ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଭାରତୀୟ କ୍ରିକେଟ ପ୍ରେମୀମାନେ ମ୍ୟାଚଟିକୁ ଅନେକ ଉପଭୋଗ କରିଛନ୍ତି।   

Tags: #ICCCricketWorldCup #IndiavsSriLanka #Cricket #Sports #ICC

Comment