ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି କ୍ରିକେଟ ବିଶ୍ଵକପରେ ମଙ୍ଗଳବାର ଖେଳାଯାଉଛି ଅଷ୍ଟ୍ରେଲିଆ-ଆଫଗାନିସ୍ତାନ ମ୍ୟାଚ। ଏଥିରେ ଆଫଗାନିସ୍ତାନ ପ୍ରଥମ ଇନିଂସରେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଆଗରେ ୨୯୨ ରନର ବିଜୟ ଲକ୍ଷ୍ୟ ରଖିଛି। ମ୍ୟାଚରେ ଆଫଗାନିସ୍ତାନର ଇବ୍ରାହିମ ଜାଦରାନ ଦେଶ ପାଇଁ ପ୍ରଥମ ବିଶ୍ୱକପ ଶତକ ହାସଲ କରିଛନ୍ତି।  

ମଙ୍ଗଳବାର ମ୍ୟାଚ ଆରମ୍ଭରେ ଆଫଗାନିସ୍ତାନ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ରହମାନୁହ୍ଲା ଗୁର୍ବାଜ ଓ ଇବ୍ରାହିମ ଜାଦରାନ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲେ। ଆରମ୍ଭରୁ ଉଭୟ ସ୍କୋର କରିବା ଆରମ୍ଭ କରିଥିଲେ। ଏହାପରେ ଦଳୀୟ ସ୍କୋର ୩୮ ହୋଇଥିବାବେଳେ ରହମାନୁହ୍ଲା ଗୁର୍ବାଜ ଆଉଟ୍ ହୋଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉଡ୍ ପ୍ରଥମ ୱିକେଟ ନେଇଥିଲେ।

ଏହାପରେ ଇବ୍ରାହିମ ଜାଦରାନ ଅନ୍ୟ ଖେଳାଳିମାନଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇ ଥିଲେ। ଏହା ମଧ୍ୟରେ ସେ ନିଜର ଶତକ ହାସଲ କରିଥିଲେ। ଆଫଗାନିସ୍ତାନର ୨୩୩ ରନରେ ୫ଟି ୱିକେଟ ପଡ଼ିବା ପରେ ମଇଦାନକୁ ଆସିଥିବା ରସିଦ ଖାନ ଧୂଆଁଧାର ବ୍ୟାଟିଂ କରିଥିଲେ। ପ୍ରଥମ ଇନିଂସର ଶେଷ ଯାଏଁ ଉଭୟ ଜାଦରାନ ଓ ରସିଦ ବ୍ୟାଟିଂ କରି ଦଳ ପାଇଁ ମୂଲ୍ୟବାନ ରନ ସଂଗ୍ରହ କରିଥିଲେ।

ଏହି ଇନିଂସରେ ଆଫଗାନିସ୍ତାନ ୫ ୱିକେଟ ହରାଇ ୨୯୧ ରନ କରିବାରେ ସକ୍ଷମ ହେଲା। ଏଥିରେ ଇବ୍ରାହିମ ଜାଦରାନ ୧୪୩ ବଲରୁ ୧୨୯ ରନ କରିଥିବା ବେଳେ ରସିଦ ଖାନ ୧୮ଟି ବଲରୁ ୩୫ ରନ କରିଥିଲେ। ସେହିପରି ଅଷ୍ଟ୍ରେଲିଆ ପକ୍ଷରୁ ଜୋସ ହେଜେଲଉଡ୍ ୨ଟି ୱିକେଟ ନେଇଥିବାବେଳେ ମିଚଲ୍ ଷ୍ଟାର୍କ, ଗ୍ଲେନ ମ୍ୟାକ୍ସୱେଲ ଓ ଆଡମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଏବେ ଅଷ୍ଟ୍ରେଲିଆ ଆଗରେ ମ୍ୟାଚ ଜିତିବା ପାଇଁ ୨୯୨ ରନର ଲକ୍ଷ୍ୟ ରହିଛି। ଦଳ ପକ୍ଷରୁ ଅଧିନାୟକ ଡେଭିଡ୍ ୱାର୍ଣ୍ଣର ଓ ଟ୍ରାଭରିସ ହେଡ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।

ଚଳିତ ବିଶ୍ୱକପରେ ଉଭୟ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ୭ଟି ମ୍ୟାଚ ଖେଲିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୫ଟି ଜିତିଥିବା ବେଳେ ଆଫଗାନିସ୍ତାନ ୪ଟି ଜିତିଛି। ତେବେ ଆଜିର ମ୍ୟାଚକୁ ଜିତି ନିଜର ସେମିଫଇନାଲ ଯିବା ଆଶାକୁ ଉଜ୍ଜୀବିତ ରଖିବା ଲକ୍ଷ୍ୟରେ ରହିଛି ଆଫଗାନିସ୍ତାନ। ଅନ୍ୟପଟେ ଅଷ୍ଟ୍ରେଲିଆ ଏହି ମ୍ୟାଚ ଜିତିଲେ ସିଧାସଳଖ ସେମିଫଇନାଲକୁ ଯିବ।

 Tags: #ICCCricketWorldCup #AustraliavsAfghanistan #Cricket #WankhedeStadium #Sports

Comment