ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ହେଉଛି ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ଆଜିର ଦିନକୁ ସ୍କୁଲ ଏବଂ କଲେଜ ଆଦି ବିଭିନ୍ନ ସ୍ଥାନରେ ବେଶ ଉତ୍ସାହର ସହ ପାଳନ କରାଯାଉଛି।

ଆଜିର ଶିଶୁ ଭବିଷ୍ୟତର ନାଗରିକ। ଦେଶ ନିର୍ମାଣରେ ଶିଶୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି କଥାକୁ ମର୍ମେ ହୃଦୟଙ୍ଗମ କରିଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ। 

ଛୋଟ ପିଲାଙ୍କୁ ଅଜସ୍ର ସ୍ନେହ କରୁଥିଲେ ପଣ୍ଡିତ ନେହେରୁ। ସେଥିପାଇଁ ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ଆଜି ସେହି ମହାନ ବ୍ୟକ୍ତିଙ୍କ ଜନ୍ମଦିନକୁ ସାରାଦେଶ ଶିଶୁ ଦିବସ ଭାବେ ପାଳନ କରୁଛି।

ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଉତ୍ତର ପ୍ରଦେଶର ଆଲ୍ଲାହାବାଦ ବର୍ତ୍ତମାନର ପ୍ରୟାଗରାଜ ସହରରେ ହୋଇଥିଲା। ଏକ କଶ୍ମୀରି ପଣ୍ଡିତ ପରିବାରରେ ୧୮୮୯ ମସିହା ନଭେମ୍ବର ୧୪ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଚାଚା ନେହେରୁ । ତାଙ୍କ ପିତାଙ୍କ ନାମ ମୋତିଲାଲ ନେହେରୁ ଓ ମାତାଙ୍କ ନାମ ସ୍ୱରୂପରାଣୀ ଥିଲା।

ଜବାହରଲାଲ ନେହେରୁ ତାଙ୍କର ସ୍ନାତକ କେମ୍ବ୍ରିଜର ତ୍ରିନିଟି ମହାବିଦ୍ୟାଳୟରୁ ହାସଲ କରିଥିଲେ। ଏହାପରେ ସେ ଭାରତର ସ୍ଵାଧୀନତା ସଂଗ୍ରାମରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଭାରତ ଇଂରେଜମାନଙ୍କଠାରୁ ସ୍ଵାଧୀନ ହେବାପରେ ସେ ପ୍ରଥମ ବକ୍ତବ୍ୟ ରଖି ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ତାଙ୍କର ସେହି ‘ଟ୍ରିଷ୍ଟ ୱିଥ୍ ଡେଷ୍ଟିନି’ ନାମକ ଭାଷଣ ବହୁତ ପ୍ରସିଦ୍ଧ ହୋଇଥିଲା।

ପ୍ରଧାନମନ୍ତ୍ରୀ ଥିବା ସମୟରେ ଜବାହରଲାଲ ନେହେରୁ ଦେଶ ପାଇଁ ଅନେକ ବିକାଶମୂଳକ କାମ ଆରମ୍ଭ କରିଥିଲେ। ଶେଷରେ ୧୯୬୪ ମସିହା ମେ’ ମାସ ୨୭ ତାରିଖରେ ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।

Tags: #SisuDivas #ChachaNeheru #JawaharlalNeheru #ChidrensDay

Comment