ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରରେ ଆରମ୍ଭ ହୋଇଛି ୧୮ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ଗୁରୁବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଥିବା ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର। ଆଇଆଇଏମ୍‌ସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ମୃଣାଳ ଚାଟାର୍ଜୀ, ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଯୋଗ ଦେଇଥିଲେ।

ଏଥିରେ ଅଞ୍ଜଳିରେ ୧୦ ବର୍ଷ ସ୍ୱେଚ୍ଛାସେବୀ ଭାବେ କାମ କରିଥିବା ଗାୟତ୍ରି କରଙ୍କୁ ସମ୍ମାନିତ କରାଯାଇଥିଲା। ଏହା ସହିତ ୩ ଜଣଙ୍କୁ ଅଞ୍ଜଳି ମେଧାବୃତ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା।ସେମାନେ ହେଲେ ସ୍ୱାଗତ ସାମଲ, ସତ୍ୟବାନ ନାୟକ ଓ ପ୍ରତିଭା ନାଥ। ପୁରସ୍କାର ସ୍ୱରୂପ ସେମାନଙ୍କୁ ୧୨ ହଜାର ଟଙ୍କା ଲେଖାଏଁ ଦିଆଯାଇଥିଲା।

ସବୁବେଳେ ନିଜ ହାତକୁ ଖୋଲାରଖ। ହୃଦୟରୁ ଭଲପାଇବା କାଢ। ଏହାଦ୍ୱାରା ସବୁବେଳେ ଖୁସିରେ ରହିବ।  ସମସ୍ତଙ୍କ ସହିତ ମିଶି ସେମାନଙ୍କଠାରୁ କିଛି ଶିଖିବାକୁ ବସନ୍ତ ମହାପାତ୍ର ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ସିଦ୍ଧାନ୍ତ ମହାପାତ୍ର କହିଥିଲେ, ‘‘ଆପଣମାନେ ଭଗବାନଙ୍କର ସନ୍ତାନ। ଏବେ ଭିନ୍ନକ୍ଷମ ଶବ୍ଦର ସ୍ଥାନ ନାହିଁ। ଆପଣଙ୍କ ପାଖରେ ଦିବ୍ୟ ଅଙ୍ଗ ଏଛି, ଯାହା ଆମ ପାଖରେ ନାହିଁ।’’

ଗୁରୁବାର ସକାଳେ ଅଞ୍ଜଳି ମହୋତ୍ସବରେ ଏକ କଳାତ୍ମକ ଚିତ୍ରାକୃତି ପ୍ରତିଯୋଗିତା ହୋଇଥିଲା। ଏଥିରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପ୍ରଥମ, ମଦର ପବ୍ଲିକ ସ୍କୁଲ ଦ୍ୱିତୀୟ, ଓଡିଏମ ସ୍କୁଲ ୩ୟ ସ୍ଥାନ ଅଧିକାର କରିଥିଲେ। ଅପରାହ୍ଣ ୩ଟା୩୦ରୁ ସୈନିକ ସ୍କୁଲଠାରୁ ଶୋଭାଯାତ୍ରା ବାହାରିଥିଲା। ସନ୍ଧ୍ୟା ୫ଟାରେ ରେଳ ସଦନ ପାଖରେ ଏହି ଶୋଭାଯାତ୍ରା ପହଞ୍ଚିଥିଲା। ଏଥିରେ ସିଦ୍ଧାନ୍ତ ମହାପାତ୍ର, ସବ୍ୟସାଚୀ ମିଶ୍ର ଓ ଡକ୍ଟର ଶ୍ରୁତି ମହାପାତ୍ର ସାମିଲ ହୋଇଥିଲେ।

Comment