ଶୁଭଶ୍ରୀ ନାୟକ

ଡକ୍ଟର ଶ୍ରୁତି ମହାପାତ୍ରଙ୍କ ସ୍ୱପ୍ନ, ସଂଘର୍ଷ ଓ ସାଧନାର କାହାଣୀ ଦେଖନ୍ତୁ ଓଡ଼ିଶାଲାଇଭ୍‌ର ଏହି ସ୍ୱତନ୍ତ୍ର ସାକ୍ଷାତକାରରେ।…

ଜଣେ ଭିନ୍ନ ପ୍ରତିଭା। ଦିବ୍ୟାଙ୍ଗମାନଙ୍କ ଲାଗି ସ୍ୱର। ସମସ୍ତଙ୍କ ପାଇଁ ପ୍ରେରଣା ଓ ଆତ୍ମବିଶ୍ୱାସର ଅନ୍ୟ ନାଁ ଡକ୍ଟର ଶ୍ରୁତି ମହାପାତ୍ର। ଜୀବନର ପ୍ରତିକୂଳ ପରିସ୍ଥିତିରେ ସଂଘର୍ଷ କରି ଆଜି ସେ ସଫଳ। ତାଙ୍କ ଜୀବନର କାହାଣୀ କୌଣସି ସିନେମାର କାହାଣୀଠାରୁ କିଛି କମ୍‌ ନୁହେଁ। ହସିଖେଳି ଜୀବନ ଜିଉଁଥିବା ଶ୍ରୁତିଙ୍କ ଜୀବନରେ ହଠାତ୍‌ କଳାମେଘ ଘୋଟିଗଲା। କାରଣ ଗୋଟିଏ ଦୁର୍ଘଟଣା, ତା’ ପରେ ତାଙ୍କ ଜୀବନ ହୋଇଗଲା ଭିନ୍ନ।  କିନ୍ତୁ ସେ ହାର ମାନିଲେ ନାହିଁ। ହ୍ୱିଲ୍‌ ଚେୟାର ଉପରେ ବସି ନିଜ ପାଇଁ ଲଢ଼ିଲେ ଓ ସଫଳ ବି ହେଲେ। ଏବେ ସେ ହଜାର ହଜାର ଦିବ୍ୟାଙ୍ଗଙ୍କ ସ୍ୱର ପାଲଟିଛନ୍ତି। ତାଙ୍କର ସିନା ମେରୁଦଣ୍ଡ ଭାଙ୍ଗିଯାଇଛି କିନ୍ତୁ ସେ ହଜାର ହଜାର ଦିବ୍ୟାଙ୍ଗଙ୍କ ମେରୁଦଣ୍ଡ ପାଲଟିଛନ୍ତି।

ଆଇଏଏସ୍ହେବା ଥିଲା ଶ୍ରୁତିଙ୍କ ସ୍ୱପ୍ନ

ବାପା ଓ ଜେଜେଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଡକ୍ଟର ଶ୍ରୁତି ମହାପାତ୍ର ଚାହୁଁଥିଲେ ପ୍ରଶାସନିକ ଅଧିକାରୀ ହେବେ। ସେଥିପାଇଁ ସେ ନିଜକୁ ପ୍ରସ୍ତୁତ ମଧ୍ୟ କରିଥିଲେ। ପରୀକ୍ଷାରେ ସଫଳ ମଧ୍ୟ ହେଲେ। କିନ୍ତୁ ଭାଗ୍ୟର ବିଡମ୍ବନା କିଛି ଅଲଗା ଥିଲା। ଏକ ଦୁର୍ଘଟଣାରେ ସେ ସ୍ୱାଭାବିକ ଜୀବନକୁ ହରାଇବସିଲେ। ସାରାଜୀବନ ପାଇଁ ସେ ହ୍ୱିଲ୍‌ ଚେୟାରକୁ ଚାଲି ଆସିଲେ। ତାଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା। କିନ୍ତୁ ମନ ଭିତରେ ଥିବା ଅଦମ୍ୟ ଇଚ୍ଛାଶକ୍ତି ତାଙ୍କୁ ତାଙ୍କ ଲକ୍ଷ୍ୟରୁ ହଟାଇପାରିଲା ନାହିଁ। ନିଜ ସ୍ୱପ୍ନ ପୂରା ହୋଇନଥିଲେ ବି ପରବର୍ତ୍ତୀ ସମୟରେ ଯେଉଁମାନେ ପ୍ରଶାସନିକ ସେବାରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି ସେମାନଙ୍କୁ କୋଚିଂ ଦେବା ଆରମ୍ଭ କଲେ। ଏହାସହିତ ଦିବ୍ୟାଙ୍ଗମାନଙ୍କ ପାଇଁ ଲଢ଼େଇ ଆରମ୍ଭ କଲେ। ଆଜି ସେ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ଜଣେ ପରିଚିତ ଚେହେରା।

ଶ୍ରୁତିଙ୍କ ଜୀବନ ବଦଳାଇ ଦେଲା ଗୋଟିଏ ଦୁର୍ଘଟଣା

‘‘୧୯୮୭ ମସିହା, ଏପ୍ରିଲ ୧୪ ତାରିଖ। ମୁଁ ଭାରତୀୟ ପ୍ରଶାସିନକ ସେବାରେ ଯୋଗ ଦେଇଥାନ୍ତି। ତା’ପୂର୍ବରୁ ପରିବାର ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିଲି। ହଠାତ୍‌ ଗୋଟିଏ ଗାଡ଼ି ଆମ ଗାଡ଼ିକୁ ଧକ୍କା ଦେଲା। ସେଇ ଦୁର୍ଘଟଣାରେ ମୋର ଦୁଇ ଆଈ, ଦୁଇଟି ସାନ ସାନ ପିଲା ବର୍ତ୍ତିଗଲେ। କିନ୍ତୁ ମୋ ମା’, ମାଉସୀ ଗୁରୁତର ଭାବେ ଆହତ ହୋଇଥିଲେ। ମୋ ମେରୁଦଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ଆଉ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଗଲା। ସେତେବେଳେ ମେଡିକାଲର ଏତେ ସୁବିଧା ନଥିଲା। ମୋ ପାଇଁ ବହୁ କଷ୍ଟକର ସମୟ ଥିଲା। ଆଜି ବି ସେ କଥା ମନେ ପଡ଼ିଲେ ଲୋମଟାଙ୍କୁରି ଉଠେ’’, ସେ ଦିନର ଘଟଣାକୁ ମନେ ପକାଇ ଡକ୍ଟର ଶ୍ରୁତି ମହାପାତ୍ର ଏଭଳି କହିଛନ୍ତି।

କଟକ ଏସ୍‌ସିବି ମେଡିକାଲରେ ଶ୍ରୁତି ମହାପତ୍ର ଚିକିତ୍ସିତ ହେଉଥାନ୍ତି। ଶରୀରରେ ଯନ୍ତ୍ରଣା ଯୋଗୁଁ ତାଙ୍କଠାରେ ସ୍ପିରିଟ୍‌ ଲଗାଯାଇଥାଏ। ହଠାତ୍‌ ଦିନେ ସନ୍ଧ୍ୟାରେ ତାଙ୍କ ଓ୍ୱାର୍ଡରେ କରେଣ୍ଟ ଚାଲିଯାଇଥିଲା। ଦୂରରେ କେହି ଜଣେ ମହମବତୀ ଲଗାଉ ଲଗାଉ ନିଆଁ ବ୍ୟାପିଗଲା। ସେଥିରେ ଶ୍ରୁତିଙ୍କ ଶରୀରର ଅଧା ଅଂଶ ଜଳିଗଲା। ଏହାପରେ ଅଧିକ ଚିକିତ୍ସା ପାଇଁ ଶ୍ରୁତି ଭେଲର ଗଲେ। ସେଠାରେ ଶ୍ରୁତିଙ୍କୁ ଏକ ନୂଆ ଜୀବନ ମିଳିଲା। ସେଠାକାର ଡାକ୍ତରୀ ଟିମ୍‌ ଶ୍ରୁତିଙ୍କ ଚିକିତ୍ସା କଲେ। ସେହିଠାରୁ ଶ୍ରୁତି ଜୀବନକୁ ନୂଆ କରି ଚିହ୍ନିଲେ।

‘‘ଭେଲରରେ ଜଣେ ଡାକ୍ତର ସୁରଞ୍ଜନ ଭଟ୍ଟଚାର୍ଯ୍ୟ ମୋର ଚିକିତ୍ସା କରୁଥିଲେ। ତାଙ୍କ କଥାବାର୍ତ୍ତା, ଚିକିତ୍ସା ଶୈଳୀ ମତେ ବହୁତ ପ୍ରେରଣା ଯୋଗାଇଥିଲା। ଶରୀରରେ ଯନ୍ତ୍ରଣା ତ ହେଉଥିଲା କିନ୍ତୁ ସେମାନେ ମୋ ମନକୁ ଖୁସି କରିବାକୁ ଚେଷ୍ଟା କରୁଥିଲେ’’, କହନ୍ତି ଡକ୍ଟର ଶ୍ରୁତି ମହାପାତ୍ର।

ଶ୍ରୁତିଙ୍କ ଆଦର୍ଶ ତାଙ୍କ ବାପା, ମା

ଶ୍ରୁତି ମହାପାତ୍ର ଦୁର୍ଘଟଣାର ଶିକାର ହୋଇ ସ୍ୱାଭାବିକ ଜୀବନ ହରାଇବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ସେହି ସମୟରେ ତାଙ୍କ ବାପା, ମା’ ତାଙ୍କ ପାଇଁ ସବୁଠୁ ବଡ଼ ବଳ ସାଜିଥିଲେ। ଜୀବନର ସବୁଠୁ କଠିନ ପରିସ୍ଥିତିରେ ସେ ଶ୍ରୁତିଙ୍କୁ ଏକା ନଛାଡ଼ି ତାଙ୍କ ପାଖରେ ଢାଲ ହୋଇ ରହିଥିଲେ।

‘‘ପିଲାବେଳୁ ମୁଁ ଗୋଟିଏ ଭଲ ପରିବେଶରେ ବଢ଼ିଥିଲି। ବାପା, ମା’ ସବୁବେଳେ ମୁଁ କେମିତି ଆଗକୁ ଯିବି ସେଥିପାଇଁ ଲାଗି ପଡ଼ିଥିଲେ। ତେଣୁ ଦୁର୍ଘଟଣାରେ ମୋର ଶରୀର ସିନା ଅକ୍ଷମ ହୋଇଗଲା, କିନ୍ତୁ ମୋ ମନକୁ ସେମାନେ ଅକ୍ଷମ କରିବାକୁ ଦେଲେନି। ମୁଁ ହ୍ୱିଲ ଚେୟାର ବସି ସବୁ କରିପାରିବି ବୋଲି ତାଙ୍କର ଯେଉଁ ବିଶ୍ୱାସ, ମୋ ଭିତରେ ଆତ୍ମ ବିଶ୍ୱାସ ଆଣିଲା’’, କହନ୍ତି ଶ୍ରୁତି।

‘‘ବାରମ୍ବାର ପ୍ରତ୍ୟାଖାନ ମତେ ଦୃଢ଼ କରିଦେଲା’’

‘‘ଦୁର୍ଘଟଣା ପରେ ମୁଁ ଯେତେବେଳେ ଘରକୁ ଫେରିଲି, ସେତେବେଳେ ସମାଜ ମତେ ଯେଉଁ ନଜରରେ ଦେଖିଲା ମୁଁ ସହିପାରିଲିନି। ଏମିତିବି ପରିସ୍ଥିତି ଆସିଥିଲା ମୁଁ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲି। ଚାକିରିରେ ଯୋଗ ଦେଇପାରିଲିନି, ମୋର ସବୁ ସ୍ୱପ୍ନ ଭାଙ୍ଗିଗଲା। ସେତେବେଳେ ବାପା କହିଥିଲେ, ତୋ ସହିତ ଏମିତି ହେଲା ଏହାପଛରେ କିଛି ଗୋଟିଏ କାରଣ ଅଛି। ଦେଖିବୁ ଦିନେ ନା ଦିନେ ତୁ ଅନ୍ୟମାନଙ୍କ ପାଇଁ ସ୍ୱର ହୋଇ ବାହାରିବୁ। ବାପାଙ୍କ କଥା ଶୁଣିବା ପରେ ମନରେ ବଳ ଆସିଲା। ମୁଁ ପୁଣିଥରେ ଉତ୍କଳ ବିଶ୍ୱବିଦ୍ୟାଳୟ ପାଠ ପଢ଼ିବାକୁ ଗଲି।

ଯେଉଁ ବିଶ୍ୱବିଦ୍ୟାଳୟର ମୁଁ ଗୋଲ୍ଡ ମେଡିଲିଷ୍ଟ୍‌ ଥିଲି, ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଥିଲି ସେଠାରେ ମୋ ଗୋଡ଼ ଚାଲୁନି, ହାତ ବଙ୍କା ଯୋଗୁଁ ସବୁ ପ୍ରଫେସର ମତେ ପ୍ରତ୍ୟାଖାନ କଲେ। ସେଠି ଜଣେ ପ୍ରଫେସର ପ୍ରିୟମ୍ବଦା ମହାନ୍ତି ମୋର ଦାୟିତ୍ୱ ନେଲେ। ତାଙ୍କ ଅଧୀନରେ ମୁଁ ପିଏଚ୍‌ଡି ଶେଷ କଲି। ମତେ ୟଙ୍ଗ୍‌ ସାଇଣ୍ଟିଷ୍ଟ ଆଓ୍ୱାର୍ଡ ମଧ୍ୟ ମିଳିଲା। ତା’ପରେ ମୁଁ ପୁଣି ଚାକିରି ଖୋଜିବା ଆରମ୍ଭ କଲି। ସବୁଠି ଯେତେବେଳେ ମୋ ଶାରୀରିକ ଅକ୍ଷମତାକୁ ଦେଖାଗଲା ମୁଁ ପୂରା ଭାଙ୍ଗପଡ଼ିଲି। ତା’ ପରେ ମୁଁ ପିଲାଙ୍କୁ ଟିଉସନ କରିବା ଆରମ୍ଭ କଲି। ମହିଳାମାନଙ୍କୁ ସ୍ପୋକନ ଇଂଲିସ ପଢ଼ାଇଲି। ପଇସା ପାଖକୁ ଆସିଲା, ମୋ ଆତ୍ମବିଶ୍ୱାସ ବଢ଼ିଲା’’, କହନ୍ତି ଶ୍ରୁତି ମହାପାତ୍ର।

ଶ୍ରୁତିଙ୍କଠାରୁ ଜନ୍ମ ନେଲା ‘ସ୍ୱାଭିମାନ’

 ୧୯୯୬ରେ ‘ଡିଜାବଲ୍‌ ପିପଲ୍‌ ଇଣ୍ଟରନ୍ୟାସନାଲ’ ବୋଲି ଗୋଟିଏ ସଂସ୍ଥା ଖୋଲିଲା। ସେଥିରେ ଶ୍ରୁତି ମହାପାତ୍ର ସାମିଲ ହେଲେ। ଦେଶ ବିଦେଶ ବୁଲିଲେ। ଭାରତ ଓ ଅନ୍ୟ ଦେଶକୁ ତୁଳନା କରି ଦେଖିଲେ ଯେ, ଅନ୍ୟ ସ୍ଥାନରେ ଦିବ୍ୟାଙ୍ଗମାନଙ୍କ ପାଇଁ ଭଲ ବ୍ୟବସ୍ଥା ଅଛି। ତା’ପରେ ସବୁ ସାମାଜିକ କର୍ମୀଙ୍କୁ ସେ ଭେଟି ଆଲୋଚନା କଲେ। ନିଜର ଅଧିକାର ପାଇଁ ସଂଘର୍ଷ କଲେ। ସାରାଓଡ଼ିଶା ବୁଲି ଦିବ୍ୟାଙ୍ଗମାନଙ୍କ ସ୍ଥିତି ଉପରେ ଅନୁଧ୍ୟାନ କଲେ।

‘‘ସାରା ଓଡ଼ିଶା ବୁଲିଲା ବେଳେ ମୁଁ ଗୋଟିଏ କଥା ଦେଖିଲି ଯେ, ଦିବ୍ୟାଙ୍ଗମାନଙ୍କ ପାଖରେ ସଚେତନତାର ଅଭାବ ରହିଛି। ସେମାନଙ୍କ ପାଇଁ କ’ଣ ବ୍ୟବସ୍ଥା ଅଛି, ତାଙ୍କର ଅଧିକାର କ’ଣ ସେ କଥା ସେ ଜାଣିନାହାନ୍ତି। ତାଙ୍କ ପାଖରେ ସୂଚନା ପହଁଚିପାରୁନି। ତେଣୁ ସେହି ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ଅଧିକାର ବିଷୟରେ ଜଣେଇବାକୁ ଓ ତାଙ୍କୁ ସୂଚନା ଦେବାକୁ ମୁଁ ‘ସ୍ୱାଭିମାନ’ ଭଳି ଏକ ସ୍ୱେଚ୍ଛାସେବୀ ସଙ୍ଗଠନ କଲି’’, କହନ୍ତି ଡକ୍ଟର ଶ୍ରୁତି ମହାପାତ୍ର।

ସ୍ୱାଭିମାନ ଆଜିର ଦିନରେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟ କରୁଛି। ଦିବ୍ୟାଙ୍ଗମାନଙ୍କ ପାଖରେ ସେମାନଙ୍କ ପାଇଁ ବ୍ୟବସ୍ଥା ସମ୍ପର୍କରେ ଜଣେଇବାରେ ଏହି ସଂସ୍ଥା ବଡ଼ ଭୂମିକା ନେଇଛି। କେବଳ ସେତିକି ନୁହେଁ ‘ସ୍ୱାଭିମାନ’ ପକ୍ଷରୁ ପ୍ରତିବର୍ଷ ୫ ଦିନ ଧରି ଅଞ୍ଜଳି ଅନ୍ତର୍ଜାତୀୟ ଶିଶୁ ଓ ଯୁବ ମହୋତ୍ସବ ଅନୁଷ୍ଠିତ ହେଉଛି।

ବଡ଼ ସ୍ୱପ୍ନ ଦେଖିଲେ ଜୀବନରେ ନିଶ୍ଚୟ ଆଗକୁ ଯିବେ – ଶ୍ରୁତି

‘‘ଜୀବନରେ ଧନ, ଟଙ୍କା, ପଇସା ବଡ଼ କଥା ନୁହେଁ। ବଡ଼ ସ୍ୱପ୍ନ ଦେଖିଲେ ଓ ତା’ପଛରେ ରାତି ଦିନ ଏକାଠି କରି ଦେଲେ ସ୍ୱପ୍ନ ନିଶ୍ଚୟ ପୂରଣ ହେବ। ଶାରୀରିକ ଅକ୍ଷମତା ଆମ ଦୁର୍ବଳତା ହେବା କଥା ନୁହେଁ। ଦୃଢ଼ ମନୋବଳ ରଖନ୍ତୁ, ନିଜକୁ ଭଲ ପାଆନ୍ତୁ, ନିଜ ଅଧିକାର ପାଇଁ ଲଢ଼ନ୍ତୁ। ଦେଖିବେ ସମସ୍ତେ ଆପଣଙ୍କ ଭିତରେ ଥିବା ପ୍ରତିଭାକୁ ଦେଖିପାରିବେ’’, କହନ୍ତି ଶ୍ରୁତି ମହାପାତ୍ର।

ଭାରତରେ ଦିବ୍ୟାଙ୍ଗମାନଙ୍କ ସୁରକ୍ଷା ଓ ଅଧିକାର ପାଇଁ ଯେଉଁ ଆଇନ ଆସିଛି ସେଥିରେ ଡକ୍ଟର ଶ୍ରୁତି ମହାପାତ୍ରଙ୍କ ବଡ଼ ଭୂମିକା ରହିଛି। ଆଜି ଦେଶରେ ୧୯୯୫ ଭିନ୍ନକ୍ଷମ ଆଇନ, ୨୦୦୯ ମସିହା ଶିକ୍ଷା ଆଇନ, ୨୦୧୬ ଭିନ୍ନକ୍ଷମ ଅଧିକାର ଆଇନ କାର୍ଯ୍ୟ କରୁଛି।

Tag: #DrSrutiMohapatra #Swabhiman #AnjaliInternationalFestival #ଡକ୍ଟରଶ୍ରୁତିମହାପାତ୍ର #ସ୍ୱାଭିମାନ #ଅଞ୍ଜଳିଅନ୍ତର୍ଜାତୀୟଶିଶୁଓଯୁବମହୋତ୍ସବ ଅଞ୍ଜଳି

Comment