ଓଡ଼ିଶାଲାଇଭ୍ ବ୍ୟୁରୋ

ରାତି ପାହିଲେ ଶିଶୁ ଦିବସ। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନକୁ ବେଶ୍‌ ଉତ୍ସାହର ସହ ପାଳନ କରିବେ ଦେଶବାସୀ। ଏହାପୂର୍ବରୁ ଶୁକ୍ରବାର ୟୁନିସେଫ୍ ଓଡ଼ିଶା ମୁଖ୍ୟ ମୋନିକା ନେଲ୍‌ସନ୍ ଶିଶୁମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।

“ଶିଶୁଦିବସ ସବୁବେଳେ ସ୍ଵତନ୍ତ୍ର। ଏହି ଦିନ ମଜା କର, ଗପ ବହି ପଢ଼, ଗୋଲକ ଧନ୍ଦା ସମାଧାନ କର, ଗୀତ ଗାଅ, ଲେଖାଲେଖି କର। ତୁମର ଯେଉଁଥିରେ ରୁଚି ରହିଛି ସେ ସବୁକିଛି କର। କିନ୍ତୁ କରୋନା ମହାମାରୀ ଜାରି ଥିବାରୁ ସାମାଜିକ ଦୂରତା ରଖି ସବୁ କାମ କର । ଏଥିସହ ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦିଅ। ନିୟମିତ ସମୟ ବ୍ୟବଧାନରେ ହାତ ଧୁଅ”, କହିଛନ୍ତି ମୋନିକା ନେଲ୍‌ସନ୍।

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ପ୍ରତ୍ୟେକ ଶିଶୁ ସ୍ଵତନ୍ତ୍ର। ସେମାନଙ୍କ ହସ ଦୁନିଆର ସବୁଠୁ ଦାମୀ ଜିନିଷ। ସେଥିପାଇଁ ଶିଶୁମାନଙ୍କ ଅଧିକାର ସୁନିଶ୍ଚିତ କରିବାକୁ ୟୁନିସେଫ୍ ସର୍ବଦା ପ୍ରତିଶ୍ରୁତିବଦ୍ଧ। ଶିଶୁଙ୍କ ଭିତରେ ଭେଦଭାବ ଦୂର କରି, ସେମାନଙ୍କ ଲାଗି ଏକ ନିରାପଦ ପୃଥିବୀ ତିଆରି କରିବା ପାଇଁ ୟୁନିସେଫ୍ କାମ କରୁଛି ବୋଲି କହିଛନ୍ତି ମୋନିକା।ପିଲାମାନଙ୍କ ଉପସ୍ଥିତି ବାପା ମା’, ଶିକ୍ଷକ ଏବଂ ୟୁନିସେଫ୍‌କୁ ବହୁତ ଖିୁସି ଦେଇଥାଏ। ପିଲାମାନେ ଆଗାମୀ କାଲିର ଆଶା ଭରସା ଓ ସ୍ଵପ୍ନ ବୋଲି କହିଛନ୍ତି ମୋନିକା।

କୋଭିଡ୍ ପରିସ୍ଥିତିରେ ଜୀବନଶୈଳୀ ଶିଶୁଙ୍କୁ ଦୟାଳୁ ମଣିଷରେ ପରିଣତ କରିବ। ନିରନ୍ତର ପ୍ରୟାସ କଲେ ସବୁକିଛି ସମ୍ଭବ ହୋଇପାରିବ। ଏଥିପାଇଁ ନିଜ ଉପରେ ଭରସା ରଖିବାକୁ ପଡ଼ିବ ବୋଲି ମୋନିକା ପିଲାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି।

Comment