ଓଡ଼ିଶାଲାଇଭ୍ ବ୍ୟୁରୋ

ପୋଖରୀରେ ବୁଡ଼ି ଏକା ସାଙ୍ଗରେ ଆଖି ବୁଜିଲେ ଭାଇ ଭଉଣୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଲାଲବାଗ କୁଳସାହି ଗାଁରେ। ମୃତ ଭାଇ ଭଉଣୀ ହେଉଛନ୍ତି ମାନସ ଜେନାଙ୍କ ୩ ବର୍ଷର ପୁଅ କାହ୍ନା ଏବଂ ମିଥୁନ ଜେନାଙ୍କ ୨ ବର୍ଷର ଝିଅ ରୂପା। ଉଭୟ ଗୋଟିଏ ପରିବାରର।

ଶନିବାର ଦିନ କାହ୍ନା ଏବଂ ରୂପା ଘର ପାଖରେ ଖେଳୁଥିଲେ। ଖେଳୁ ଖେଳୁ ଉଭୟ ନିକଟରେ ଥିବା ଏକ ପୋଖରୀ ଭିତରକୁ ଖସି ପଡ଼ିଥିଲେ। କାହ୍ନା ଏବଂ ରୂପା ପୋଖରୀରେ ବୁଡ଼ି ଯାଉଥିବା ଦେଖି ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିବାକୁ ପାଣିକୁ ଡେଇଁ ପଡ଼ିଥିଲେ।

ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ମଙ୍ଗଳପୁର ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ କାହ୍ନା ଏବଂ ମିଥୁନଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ମଙ୍ଗଳପୁର ଥାନା ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏପଟେ ଏକା ସାଙ୍ଗରେ ଗୋଟିଏ ପରିବାରର ଦୁଇ ଦୁଇଟି କଅଁଳ ଜୀବନ ଅକାଳରେ ଚାଲିଯାଇଥିବାରୁ କାନ୍ଦ ବୋବାଳିରେ ଫାଟି ପଡ଼ୁଛି କୁଳସାହି ଗାଁ।

Tags: #TwoDead #BrotherSisterDeath #Jajpur #MangalpurVillage #Accident

Comment