ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବରାଡ଼ି ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗୁରୁବାର ରାତିରେ ଏଠାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ମିଳିଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲା ଅସୁରବନ୍ଧ ଗାଁର ଶ୍ରୀକାନ୍ତ ଗୌଡ଼, ମନୋଜ ଡାକୁଆ। ସେହିପରି ଗୋପାଳପୁରଶାସନର ମହେନ୍ଦ୍ର ନାୟକ, ସୋରଡ଼ାର ଜୟନ୍ତ ବାତତ୍ୟା ଓ ରଜନୀ ଗୌଡ଼ଙ୍କ ମୃତ୍ୟୁ ହୋଇଛି। ଏହି ୩ ଜଣ ବ୍ୟକ୍ତି ସୋରଡ଼ା ବିଦ୍ୟୁତ ବିଭାଗରେ କାର୍ଯ୍ୟ କରୁଥିଲେ।  

ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ୩ ଜଣ ବ୍ୟକ୍ତି ବାଇକ ଯୋଗେ ଅସୁରବନ୍ଧରୁ ସୋରଡ଼ା ଯାଉଥିଲେ। ସେହି ସମୟରେ ମହେନ୍ଦ୍ର ନାୟକ, ଜୟନ୍ତ ବାତତ୍ୟା ଓ ରଜନୀ ଗୌଡ଼ ସ୍କୁଟିରେ ବିପରୀତ ଦିଗରୁ ଆସୁଥିଲେ। ବରାଡ଼ି ଛକ ନିକଟରେ ଉଭୟ ବାଇକ ଓ ସ୍କୁଟିର ମୁହାଁମୁହିଁ ଧକ୍କା ହୋଇଥିଲା।

ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା, ଯେଉଁଥିରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପୋଲିସ ଓ ଅଗ୍ନିଶମ ବାହିନୀ ଅନ୍ୟ ୩ ଜଣ ଗୁରୁତରଙ୍କୁ ଉଦ୍ଧାର କରି ସୋରଡ଼ା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା।

ଅନ୍ୟପଟେ ପୋଲିସ ଏହି ଘଟଣାରେ ଏବେ ତଦନ୍ତ ଜାରି ରଖିଛି। ତେବେ ଘନ କୁହୁଡ଼ି ଯୋଗୁଁ ରାସ୍ତାରେ ଦେଖାନଯିବାରୁ ଏହି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ସେହିପରି ଘଟଣା ପରେ ମୃତକଙ୍କ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Tags: #RoadAccident #Bike-ScootyCollision #Sorada #Ganjam   

  

Comment