ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ। ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ। ଓଡ଼ିଆ ଭାଷା ଉପରେ ଗବେଷଣା ଦିଗରେ ଜୀବନବ୍ୟାପୀ ସାଧନା ଲାଗି ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଭୁବନେଶ୍ଵରସ୍ଥିତ ଜନତା ମଇଦାନଠାରେ ଆସନ୍ତା ଫେବ୍ରୁଆରି ୩ରୁ ୫ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ କରିବେ।

ପୁରସ୍କାର ବାବଦକୁ ତାଙ୍କୁ ୨୦ ଲକ୍ଷ ଟଙ୍କା ଏବଂ ମାନପତ୍ର ପ୍ରଦାନ କରାଯିବ। ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଗବେଷଣା ଓଡ଼ିଆ ଭାଷାକୁ ବହୁ ମାତ୍ରାରେ ସମୃଦ୍ଧ କରିଛି। ଭାରତର ଜଣେ ବିଶିଷ୍ଟ ବିଦ୍ୱାନ ତଥା ଭାଷାବିତ୍ ଭାବରେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକ ବେଶ୍ ସୁପରିଚିତ। ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବରେ ସେ ଅନେକ ସୁନାମ ଅର୍ଜନ କରିଛନ୍ତି। ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପ୍ରାପ୍ତ କରାଇବାରେ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କର ପ୍ରମୁଖ ଭୂମିକା ରହିଛି।

ଭାରତୀୟ ଭାଷା ସମୂହର ବିକାଶ ଦିଗରେ ସମର୍ପିତ ଉଦ୍ୟମ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ପଦ୍ମଶ୍ରୀ  ସମ୍ମାନରେ ସମ୍ମାନିତ କରାଯାଇଛି।

ଭାରତୀୟ ଭାଷା ପରିଷଦର ସଭାପତି ତଥା ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଭାଷା ବିଭାଗର ପୂର୍ବତନ ପ୍ରଫେସର ଜି ଉମା ମହେଶ୍ଵର ରାଓ, ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପି କେ ସ୍ଵାଇଁ ଏବଂ କେନ୍ଦ୍ର ଶିକ୍ଷା ବିଭାଗର ଶାସ୍ତ୍ରୀୟ ଓଡ଼ିଆ ଅଧ୍ୟୟନ ଉତ୍କର୍ଷ   କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କୁ ନେଇ ଓଡ଼ିଶା ସରକାରଙ୍କ ଦ୍ୱାରା ଗଠିତ କମିଟି  ସର୍ବସମ୍ମତି କ୍ରମେ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ନାମ ଏହି ସମ୍ମାନଜନକ ପୁରସ୍କାର ପାଇଁ  ସୁପାରିଶ କରିଥିଲେ।

Tags: #PadmaSriDrDebiPrasannaPattanayak #EminentLinguistDebiPrasannaPattanayak #WorldOdiaLanguageAward #BiswoOdiaBhashaSammana

Comment