ଭାସ୍କର ପରିଚ୍ଛା

ବସନ୍ତ ଋତୁକୁ କୁହାଯାଏ ‘ଋତୁରାଜ’। ଏହା ସୌନ୍ଦର୍ଯ୍ୟର ଋତୁ। ଋତୁଚକ୍ର ଭିତରେ ବସନ୍ତ ଋତୁ ଏକ ନିର୍ବିବାଦୀୟ ସମ୍ରାଟ। ଫାଲଗୁନ- ଚୈତ୍ର ମାସ ବସନ୍ତ ଋତୁର ସମୟ। ବସନ୍ତକୁ ମୂଳତଃ ଫୁଲର ଋତୁ କୁହାଯାଏ। କେବଳ ଓଡ଼ିଶାରେ ବସନ୍ତ ଋତୁରେ ତିରିଶ ପ୍ରକାର ଫୁଲ ଫୁଟେ। ବସନ୍ତ ଠାରୁ ପୁଷ୍ପ ଚେତନାକୁ ପୃଥକ କରିଦିଅନ୍ତୁ, ଦେଖିବେ ପୁଷ୍ପ ପୁଷ୍ପ ନୁହେଁ କି ବସନ୍ତ ବସନ୍ତ ନୁହେଁ।

ବସନ୍ତର ରଙ୍ଗକୁ ସମସ୍ତେ ଫିକା ହଳଦିଆ ଭାବେ ବର୍ଣ୍ଣନା କରନ୍ତି। ହେଲେ ଏହାର ଶବ୍ଦାକାଶ ଅତି ବ୍ୟାପ୍ତ। ‘ରାଗ ବସନ୍ତ’ହେଉଛି ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ଏକ ପ୍ରମୁଖ ରାଗ। ବସନ୍ତ ଯଦି ଋତୁରାଜ, କୋଇଲିର ଆଧିପତ୍ୟ କିଛି କମ ନୁହେଁ। କୋଇଲିର ଅନ୍ୟ ନାମ ବସନ୍ତ ଘୋଷ (ବସନ୍ତ ଘୋଷୀ – ଲିଙ୍ଗ ଭେଦରେ)।

ଗଛଲତାରେ ମଧ୍ୟ ବସନ୍ତର ପରିବ୍ୟାପ୍ତ ଚେହେରା ଆଖିରେ ପଡ଼େ। ମାଧବୀ ଲତାର ଅନ୍ୟ ନାମ ବସନ୍ତ ଦୂତ। ବସନ୍ତ ପଞ୍ଚମୀରୁ ହିଁ ବସନ୍ତର କ୍ରମଶଃ ଆଗମନ ହୁଏ। ଓଡ଼ିଶାର ଏକ ଅନନ୍ୟ ପରମ୍ପରା ହେଉଛି ‘ବସନ୍ତରା।’ ପଣା ସଂକ୍ରାନ୍ତି ଠାରୁ ଏକ ମାସ ପର୍ଯ୍ୟନ୍ତ ତୁଳସୀ ଗଛ ଓ ଦେବ ମୂର୍ତ୍ତି ଉପରେ ମାଟି ନିର୍ମିତ ହାଣ୍ଡିରୁ କ୍ଷୀଣ ଧାରରେ ଯେଉଁ ପାଣି ଦିଆଯାଏ ତାହାକୁ କୁହାଯାଏ ବସନ୍ତରା।

ବସନ୍ତର ସମୟ ଉତ୍ସବର ସମୟ। ଶ୍ରୀକୃଷ୍ଣଙ୍କ ରାସ ଉତ୍ସବକୁ କୁହାଯାଏ ବସନ୍ତ ରାସ। ଶରତ ଋତୁରେ ମଧ୍ୟ ରାସ ହୁଏ। ତାହାକୁ ଶରତ ରାସ କୁହାଯାଏ। ଓଡ଼ିଶାରେ ବସନ୍ତ ଉତ୍ସବକୁ ତିନିଟି ମୁଖ୍ୟ ପର୍ବ ରହିଥାଏ ଯଥା: ମଦନପୂଜା, ଦୋଳଯାତ୍ରା ଓ ହୋଲି।

ଭାରତୀୟ ସାହିତ୍ୟରେ ବସନ୍ତକୁ ନେଇ କେତେ ଯେ କାବ୍ୟ କବିତା ରଚିତ ହୋଇଛି ତାହାର ହିସାବ ଖୋଜି ପାଇବା କଷ୍ଟ। ସଂସ୍କୃତ ସାହିତ୍ୟରେ ବସନ୍ତ ଋତୁକୁ ନେଇ ମହାକବି କାଳିଦାସଙ୍କ ଠାରୁ ଆରମ୍ଭ କରି ଜୟଦେବ ଓ ଭାରବୀଙ୍କ ପର୍ଯ୍ୟନ୍ତ କବିମାନେ ଯାହା ସୃଷ୍ଟି କରିଯାଇଛନ୍ତି ତାହା ଅନନ୍ୟ।

ବସନ୍ତ ଋତୁରେ ହିଁ ସଚରାଚର ପ୍ରାଣୀ ଜଗତରେ ଦେଖାଦିଏ ନବ ଉନ୍ମାଦନା। ଯେହେତୁ ବସନ୍ତର ରୂପରଙ୍ଗ ନିଆରା, ସେଥିପାଇଁ ବସନ୍ତକୁ ନେଇ କାବ୍ୟ କବିତାରେ ଏକ ପ୍ରକାର ‘ବିନ୍ଦାସ’ ଭାବ ଲକ୍ଷ୍ୟ କରାଯାଏ। ଅନ୍ୟ ଋତୁ ଅପେକ୍ଷା ବସନ୍ତରେ ସ୍ଵଭାବୋକ୍ତିର ଉଚ୍ଛଳ ତରଙ୍ଗ ଅଧିକ ଦେଖିବାକୁ ମିଳେ।

ଓଡ଼ିଆ କାବ୍ୟ କବିତାରେ ବସନ୍ତର ବର୍ଣ୍ଣନା କିଛି କମ ନୁହେଁ। ବସନ୍ତକୁ ନେଇ ଓଡ଼ିଆ କବିତାରେ ଯୁଗଭେଦ ଅନୁସାରେ ବହୁ କବିତା ଲେଖା ହୋଇଛି:

  • ବସନ୍ତ ସମୟ ଅତି ରସମୟ

ରଭସ ପ୍ରବେଶ ଆସି ଯେ

ବିଦ୍ରୁମ ଛବି ସଦ୍ରୁମ ଲତା ଭାବି

ପଲ୍ଲବେ ବିକଶି ଦିଶି ଯେ

ବିକଶି-ବିଳାସି କୁସୁମ ମାନ (ଉପେନ୍ଦ୍ରଭଞ୍ଜ)

  • ବସନ୍ତ ବିଜୟ ବାରତା ପ୍ରସରିଲା ଭୁବନେ

ପଦବ ଆନୀତ ପତର ପରଭୃତ ପଠନେ (ଗଙ୍ଗାଧର ମେହେର)

  • ବସନ୍ତ ଆସେ ଯେ ଠେଲି

ଧକ୍କା ଖାଇ କୁକୁଡ଼ା ଦିହେ 

ଭାଙ୍ଗି ବହୁ ମହୁର ସୋରାଇ

ମାଟିରେ ଗଡ଼ାଇ ଅବା

ଫୁଲବଣ ସଞ୍ଜେ (ସଚ୍ଚି ରାଉତରାୟ)

ଗୀତିକବିତା, ଚଳଚ୍ଚିତ୍ର ଓ ରାଜନୀତିରେ ମଧ୍ୟ ବସନ୍ତର ବହୁ ପ୍ରୟୋଗ ରହିଛି। ଅକ୍ଷୟ ମହାନ୍ତିଙ୍କ ‘ହେ ଫଗୁଣ ତୁମେ ଗଲା ପରେ ଅନେକ ଯାତନା ଏଠି’ ସମସ୍ତଙ୍କ ମନକୁ ଛୁଇଁ ଥିଲା।  ଏକଦା ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ଵାଳଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସମ୍ବୋଧନ କରି କହୁଥିଲେ ‘ଋତୁରାଜ ବସନ୍ତ’। ବସନ୍ତ ସହିତ ନବ ଯୌବନର ସମ୍ପର୍କ ଅତି ନିବିଡ଼। ବସନ୍ତ ଓ ଭାଲେନଟାଇନ ଡେ’ର ସମୟ ବି ପାଖାପାଖି ରହିଥାଏ।

ଆଜି ଅବଶ୍ୟ ଋତୁଚକ୍ରର ସେହି ବୈଶିଷ୍ଟ୍ୟ ନାହିଁ କି ବସନ୍ତର ସେହି ଆକର୍ଷଣ ବି ନାହିଁ। ନାହିଁ ମଧ୍ୟ ବସନ୍ତ ଲକ୍ଷ୍ମୀର ନୈସର୍ଗିକ ଶୋଭା। ଅଛି କେବଳ ରସହୀନ ଜୀବନ, ଛଳନାମୟ ପ୍ରକୃତି। ସେ ସବୁକିଛି ଆଜି ନିରୁଦ୍ଦିଷ୍ଟ, ଦୁଷ୍ପ୍ରାପ୍ୟ!

Tags: #SpringSeason #Nature #SeasonCycle #Environment #ବସନ୍ତ #ଋତୁରାଜ

Comment