ଓଡ଼ିଶାଲାଇଭ୍ ବ୍ୟୁରୋ

(ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ଆସନ୍ତା ଅକ୍ଟୋବର ୧୪ ମହାଳୟାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଅଭୟାରଣ୍ୟ। ଏନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଏଥର ଦୁର୍ଗାପୂଜାରେ ପର୍ଯ୍ୟଟକ ଶିମିଳିପାଳ ଭ୍ରମଣ ଓ ରାତ୍ରରହଣି ସୁବିଧା ପାଇପାରିବେ।

ପୂର୍ବଭଳି ଦୈନିକ ଚାରିଚକିଆ ଯାନ କାଳିଆଣି ତନଖି ଫାଟକ (ଯଶୀପୁର)ପଟୁ ୩୫ ଗାଡ଼ି ଓ ପିଠାବଟା (ବାରିପଦା) ତନଖି ଫାଟକ ଦେଇ ୨୫ ଗାଡ଼ି ଜଙ୍ଗଲ ଭିତରକୁ ପ୍ରବେଶ କରିବ ବୋଲି ସ୍ଥିର ହୋଇଛି। ଉକ୍ତ ଦୁଇ ତନଖି ଫାଟକରେ ପ୍ରବେଶ ଅନୁମତିପତ୍ର ସକାଳ ୬ଟାରୁ ୯ ଟା ପର୍ଯ୍ୟନ୍ତ ବୁକିଂ କାଉଣ୍ଟରରେ ଉପଲବ୍ଧ ରହିବ।

ପ୍ରତି ପର୍ଯ୍ୟଟକଙ୍କ ପିଛା ପ୍ରବେଶ ଶୁଳ୍କ ଧାର୍ଯ୍ୟ କରାଯାଇଛି। ଅଭୟାରଣ୍ୟକୁ ସ୍ୱଚ୍ଛ ରଖିବା ପାଇଁ ପର୍ଯ୍ୟଟକମାନେ ଭିତରକୁ ପ୍ରବେଶ ସମୟରେ ପ୍ଲାଷ୍ଟିକ ସାମଗ୍ରୀ, ମାଦକ ଦ୍ରବ୍ୟ, ଆମିଷ ଓ ଅଗ୍ନି ସଂଯୋଗକାରୀ ସାମଗ୍ରୀ ନେବା ଉପରେ କଟକଣା ଜାରି କରାଯାଇଛି। ଶିମିଳିପାଳରେ ଥିବା ଯାତ୍ରୀ ନିବାସଗୁଡ଼ିକରେ ରାତ୍ରୀଯାପନ ପାଇଁ www.ecotourism.com ୱେବସାଇଟରେ ଆଗୁଆ ବୁକିଂ କରିପାରିବେ।

ପ୍ରତିବର୍ଷ ବର୍ଷାଋତୁ ପାଇଁ ଜୁନ ୧୫ ତାରିଖରେ ଶିମିଳିପାଳ ବନ୍ଦ ହୋଇଥାଏ ଏବଂ ନଭେମ୍ବର ପହିଲାରେ ଖୋଲିଥାଏ। ଚଳିତବର୍ଷ ଅକ୍ଟୋବର ୧୪ରୁ ପର୍ଯ୍ୟଟକଙ୍କ ପାଇଁ ଏହା ଖୋଲାଯିବ।

ଏହି ଜୈବମଣ୍ଡଳରେ ପ୍ରାଣୀ, ପକ୍ଷୀ ଓ ସରୀସୃପଙ୍କ ପାଇଁ ଆବଶ୍ୟକୀୟ ବାତାବରଣ, ସନ୍ତୁଳିତ ପରିବେଶ, ଭୌଗୋଳିକ ସ୍ଥିତିର ଭିନ୍ନତାରେ ପର୍ଯ୍ୟାପ୍ତ ସବୁଜିମା ବୃକ୍ଷରାଜି ରହିଛି। ସେଥିପାଇଁ ଏହା ଭାରତର ବାଘ, ଏସୀୟ ହାତୀ ଓ ଗୟଳ ପରି ତିନି ପ୍ରଜାତିର ପ୍ରାଣୀଙ୍କ ବୃହତ୍ତ ବାସସ୍ଥଳୀ ହୋଇପାରିଛି। ଏଥିସହିତ ଏହି ଜୈବମଣ୍ଡଳରେ ହଜାରେ ପ୍ରଜାତିର ପୁଷ୍ପକ ଉଦ୍ଭିଦ ସହିତ ୯୪ ପ୍ରଜାତିର ଅର୍କିଡ ଓ ବରେହିପାଣି, ଯୋରନ୍ଦା, ଉସକି, ଦେବକୁଣ୍ଡ, ସୀତାକୁଣ୍ଡ ଆଦି ଜଳପ୍ରପାତ ପ୍ରକୃତିପ୍ରେମୀଙ୍କୁ ଆକୃଷ୍ଟ କରିଥାଏ।

ପର୍ଯ୍ୟଟକଙ୍କୁ ନୂଆ ଅନୁଭୂତି ଦେବା ପାଇଁ ଶିମିଳିପାଳ କର୍ତ୍ତୃପକ୍ଷ ଚଳିତବର୍ଷ ଦୁଃସାହାସିକ କ୍ରୀଡ଼ା, ଜଙ୍ଗଲ ସଫାରୀ ଓ ମାଉଣ୍ଟେନ୍‌‌ ସାଇକେଲିଂ ଭଳି କିଛି ନୂଆ ଧରଣର କ୍ରୀଡ଼ାକୁ ସାମିଲ କରିଛନ୍ତି। ତାଛଡ଼ା ଶିମିଳିପାଳ ଭିତରେ ଥିବା ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ନେଚର ଗେମିଂର ସୁବିଧା କରାଯାଇଛି। ପର୍ଯ୍ୟଟକମାନେ ପ୍ରତି ଗାଡ଼ିରେ ଜଣେ ବିଭାଗୀୟ ଗାଇଡଙ୍କୁ ନିୟମ ଅନୁଯାୟୀ ସାଙ୍ଗରେ ନେବାକୁ ପଡ଼ିବ। ସେହିପରି ବୁଲାବୁଲି ସାରି ଅପରାହ୍ନ ୩ଟା ପୂର୍ବରୁ ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ, ୪ଟା ପୂର୍ବରୁ ଚହଲା ଏବଂ ୫ଟା ସୁଦ୍ଧା ପ୍ରସ୍ଥାନ ଗେଟ ବାହାରକୁ ଆସିବାକୁ ନିର୍ଦେଶ ରହିଛି।

କୌଣସି କାରଣବଶତଃ ଅଭୟାରଣ୍ୟ ମଧ୍ୟରେ ଗାଡ଼ି ଖରାପ ହେଲେ ପର୍ଯ୍ୟଟକ ମାନଙ୍କୁ ବାରିପଦା ଓ ଯଶୀପୁର ବସଷ୍ଟାଣ୍ଡକୁ ସ୍ଥାନାନ୍ତରିତ କରାଇବା ପାଇଁ ଅଗ୍ରୀମ ୪ହଜାର ଟଙ୍କା ଜମା ଦେବାକୁ ନିୟମ ରହିଛି। ରାତ୍ରିରହଣି ପାଇଁ କୋର ଏରିଆର ଜାମୁଆଣି, କୁମାରୀ, ରାମତୀର୍ଥ, ଗୁଡ଼ଗୁଡ଼ିଆ, ବରେହିପାଣି ଆଦି ସ୍ଥାନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ କୁଆଁରୀ ଗାଁ ନିକଟରେ ବାଉଁଶ କୁଟୀର ବ୍ୟବସ୍ଥା ମଧ୍ୟ କରାଯାଇଛି।

ସୁରକ୍ଷିତ ଭାବେ ପର୍ଯ୍ୟଟକ ଜଙ୍ଗଲ ପରିବେଶରେ କିପରି ଜଙ୍ଗଲୀ ବନ୍ୟଜନ୍ତୁଙ୍କ ଚଳପ୍ରଚଳକୁ ପାଖରୁ ନିରେଖି ଦେଖିପାରିବେ ସେଥିପାଇଁ ସତନ୍ତ୍ର ରୁଟ୍ ପ୍ରସ୍ତୁତ କରାଯାଇଛି। ବିଶେଷକରି ଯୁବପିଢ଼ି ଓ ଛୋଟ ପିଲାଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ଦୁଃସାହାସିକ କ୍ରୀଡ଼ାକୁ ଏଥିରେ ସାମିଲ କରାଯାଇଛି।

ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏହାସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା ରହିଛି, ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକର୍ଷିତ କରିବ।

Tags: #Similipal #TigerReserve #PCCFOdisha #Nature #Sanctuary #Odisha #Mayurbhanj

Comment