ଓଡ଼ିଶାଲାଇଭ୍ ବ୍ୟୁରୋ

ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଉତ୍ତେଜନା ମଧ୍ୟରେ ଇରାନ୍ ଉପରେ ଆକ୍ରମଣ କରିଛି ଇସ୍ରାଏଲ୍। ଶୁକ୍ରବାର ଇରାନର ଇସାଫାହାନ ସହରର ଏକ ଏୟାରବେସ୍ ଉପରେ ଇସ୍ରାଏଲ୍ କ୍ଷେପଣାସ୍ତ୍ର ମାରିଥିବା ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରସାରିତ ହୋଇଛି। ଇସ୍ରାଏଲ ଏହି ଆକ୍ରମଣ ଦ୍ଵାରା ଇରାନ କରିଥିବା ଡ୍ରୋନ୍ ଆକ୍ରମଣର ଜବାବ ଦେଇଛି ବୋଲି କୁହାଯାଉଛି।
ଇସାଫାହାନ ସହରର ଏହି ଏୟାରବେସରେ ବିସ୍ଫୋରଣ ହୋଇଥିବା ଦେଖିବାକୁ ମିଳିଥିଲା। ଏହି ସହର ନିକଟରେ ଇରାନର ପରମାଣୁ କାର୍ଯ୍ୟକ୍ରମ ଚାଲୁଥିବାରୁ ଏହାକୁ ଇସ୍ରାଏଲ ଆକ୍ରମଣ କରିଥିବା କୁହାଯାଉଛି। ସେହିପରି ସିରିୟାରେ ମଧ୍ୟ ଇରାନର ଏକାଧିକ ଠିକଣା ଉପରେ ଇସ୍ରାଏଲ କ୍ଷେପଣାସ୍ତ୍ର ମାରିଥିବା କୁହାଯାଉଛି।
ଅନ୍ୟପଟେ ଇସ୍ରାଏଲର ଆକ୍ରମଣରେ କିଛି ବିଶେଷ କ୍ଷତି ହୋଇନଥିବା ଇରାନ ସରକାରଙ୍କ ପକ୍ଷରୁ କୁହାଯାଇଛି। ଇସ୍ରାଏଲର ଅଧିକାଂଶ ମିସାଇଲ ଓ ଡ୍ରୋନକୁ ଇରାନ ମାରି ଖସେଇ ଦେଇଥିବା କହିଛି।
ଇରାନ ରବିବାର ରାତିରେ ଇସ୍ରାଏଲ ଉପରେ ଘନ ଘନ କ୍ଷେପଣାସ୍ତ୍ର ଓ ଡ୍ରୋନ ମାଡ଼ କରିଥିଲା। ଏହି ଆକ୍ରମଣରେ ୩୦୦ରୁ ଅଧିକ ଅସ୍ତ୍ରବାହକ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ପ୍ରୟୋଗ କରାଯାଇଥିଲା।
ଏପ୍ରିଲ ୧ ତାରିଖରେ ସିରିୟାରେ ଥିବା ଇରାନୀୟ ଦୂତାବାସ ଉପରେ ଇସ୍ରାଏଲ ଦ୍ଵାରା ହୋଇଥିବା ଏୟାର ଷ୍ଟ୍ରାଇକର ପ୍ରତିଶୋଧ ନେବା ପାଇଁ ଇରାନ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା। ତେବେ ଇରାନର ଏହି ଆକ୍ରମଣର ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତି କରୁଥିଲା।
ଏବେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିବା ଦ୍ଵାରା ପରିସ୍ଥିତି ଅସମ୍ଭାଳ ହୋଇପଡ଼ିବ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଲାଗି ରହିଲେ ଏହାର ପ୍ରଭାବ ସମଗ୍ର ବିଶ୍ଵ ଅର୍ଥନୀତି ପଡ଼ିବା ସହ ସବୁ ଦେଶ ଏହାଦ୍ଵାରା ପ୍ରଭାବିତ ହେବେ ବୋଲି ସେମାନେ କହିଛନ୍ତି।
Tags: #Iran-IsraelWar #MiddleEast #Conflict #WorldEconomy