ଅଭିଷେକ ରାୟ

ଆଜିର ସମୟରେ ସାରା ବିଶ୍ଵରେ ମଦ ଜନିତ ମୃତ୍ୟୁ ମାମଲା ବଢ଼ିବାରେ ଲାଗିଛି। ସବୁଠାରୁ ଦୁଃଖର କଥା ହେଲା ପ୍ରତିବର୍ଷ ବିଶ୍ଵବ୍ୟାପି ଅଣ ସଂକ୍ରାମକ ରୋଗରେ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା’ଠାରୁ ବେଶ୍ ଅଧିକ ମଦ ଜନିତ ମୃତ୍ୟୁ ଘଟଣା ଦେଖିବାକୁ ମିଳୁଛି। ଯାହା ସମାଜ ପାଇଁ ଚିନ୍ତାର କାରଣ ପାଲଟିଛି।

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର(ଡବ୍ଲୁଏଚଓ) ତଥ୍ୟ ଅନୁସାରେ ୨୦୧୯ ମସିହାରେ ମଦ୍ୟପାନ ଯୋଗୁଁ ପ୍ରାୟ ୨୬ ଲକ୍ଷ ଲୋକଙ୍କ ଜୀବନହାନୀ ହୋଇଥିଲା। ସେମାନଙ୍କ ମଧ୍ୟରେ ୨୦ ଲକ୍ଷ ପୁରୁଷ ଥିବାବେଳେ ୬ ଲକ୍ଷ ମହିଳା ରହିଥିଲେ। ହେଲେ ସେହିବର୍ଷ ଅଣ ସଂକ୍ରାମକ ରୋଗରେ ପ୍ରାୟ ୧୬ ଲକ୍ଷ ଲୋକେ ପ୍ରାଣ ହରାଇଥିଲେ।

ସେହିପରି ୨୦୧୯ରେ ମଦ ପିଇ ଗାଡ଼ି ଚଳାଇବା ଯୋଗୁଁ ହୋଇଥିବା ଦୁର୍ଘଟଣାରେ ପ୍ରାୟ ୩ ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ଏହି ସବୁ ଦୁର୍ଘଟଣାରେ ୧ ଲକ୍ଷ ୫୬ ହଜାର ଅନ୍ୟ ଲୋକଙ୍କ ମୃତ୍ୟୁ ହୋଇଥିଲା।

ସାରା ବିଶ୍ଵରେ ୟୁରୋପ ଓ ଆଫ୍ରିକୀୟ ଦେଶ ମାନଙ୍କରେ ମଦ ଜନିତ ମୃତ୍ୟୁ ମାମଲା ଅଧିକ ଦେଖିବାକୁ ମିଳେ ବୋଲି ଡବ୍ଲୁଏଚଓ ରିପୋର୍ଟରେ ପ୍ରକାଶିତ। ମୃତକଙ୍କ ମଧ୍ୟରେ ମଧ୍ୟରେ ୨୦ରୁ ୩୯ ବର୍ଷ ବୟସର ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ରହୁଛି।

ପ୍ରତିବର୍ଷ ବିଶ୍ଵରେ ହେଉଥିବା ମୋଟ ମୃତ୍ୟୁ ମଧ୍ୟରେ ପ୍ରାୟ ୫ ପ୍ରତିଶତ ମୃତ୍ୟୁ ମଦ ଓ ଅନ୍ୟ ନିଶା ଦ୍ରବ୍ୟ ସେବନ କାରଣରୁ ହୋଇଥାଏ। ତେବେ ଆସନ୍ତୁ ଜାଣିବା ମଦ କିଭଳି ଭାବେ ଲୋକଙ୍କ ଜୀବନ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

  • ମଦ ତଥା ବିଭିନ୍ନ ମାଦକ ଦ୍ରବ୍ୟରେ ଇଥାନଲ ଥାଏ, ଯାହା ଏକ ସାଇକୋଆକ୍ଟିଭ୍ ଏବଂ ବିଷାକ୍ତ ପଦାର୍ଥ। ମଦ ଅଧିକ ମାତ୍ରରେ ସେବନ କରିବା ଦ୍ଵାରା ଏହା ଅଭ୍ୟାସରେ ପରିଣତ ହୋଇ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ।
  • ପ୍ରାୟ ୨୦୦ରୁ ଅଧିକ ରୋଗ ମଦ ପିଇବା କାରଣରୁ ହୋଇଥାଏ, ସେଗୁଡ଼ିକୁ ୩୧ଟି ଭାଗରେ ବିଭକ୍ତ କରାଯାଇଛି।        
  • ମଦ ଏକ କାର୍ସିନୋଜେନିକ୍ ଦ୍ରବ୍ୟ। ଅର୍ଥାତ ଅତ୍ୟଧିକ ମଦ୍ୟପାନ କର୍କଟ ରୋଗର ଆଶଙ୍କା ମଧ୍ୟ ବଢ଼ାଇଥାଏ।
  • ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ଏବେ ବିଶ୍ଵ ସାରା ପ୍ରାୟ ୪ କୋଟି ଲୋକ ମଦ୍ୟପାନ ଯୋଗୁଁ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି। ଏହାସହ ପ୍ରାୟ ୨ କୋଟିରୁ ଅଧିକ ଲୋକ ଅଭ୍ୟାସଗତ ଭାବେ ମଦ ପିଇଥାନ୍ତି।
  • ମଦ କେବଳ ସେବନ କରୁଥିବା ବ୍ୟକ୍ତିଙ୍କୁ ନୁହେଁ ବରଂ ଅନ୍ୟ ଲୋକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାଏ। ମଦ ଜନିତ ଦୁର୍ଘଟଣାରେ ମଦ ପିଇ ନଥିବା ବ୍ୟକ୍ତି ମଧ୍ୟ ପ୍ରାଣ ହରାଇଥାନ୍ତି।
  • ମଦ୍ୟପାନ ପାରିବାରିକ କଳହ, ଯୌନ ନିର୍ଯାତନା ତଥା ଆତ୍ମହତ୍ୟାର କାରଣ ମଧ୍ୟ ପାଲଟିଥାଏ।   
  • ଏହାସହ ଅତ୍ୟଧିକ ମଦ୍ୟପାନ ଲୋକଙ୍କ ପାଇଁ ଅର୍ଥନୈତିକ, ପାରିବାରିକ ଓ କର୍ମ କ୍ଷେତ୍ରରେ ସମସ୍ୟା ସୃଷ୍ଟି କରିଥାଏ।  

ମଦ ଜନିତ ମୃତ୍ୟୁକୁ କମ୍ କରିବା ପାଇଁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ୨୦୨୨ରୁ ୨୦୩୦ ମସିହା ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି। ଏହାକୁ ବିଭିନ୍ନ ଦେଶ ସହ ମିଶି କାର୍ଯ୍ୟକାରୀ କରିବା ଦିଗରେ ଆଲୋଚନା କରାଯାଉଛି। ଏଥିରେ ଲୋକଙ୍କ ପାଇଁ ମଦ ବାବଦରେ ନିୟମ ପ୍ରଣୟନ ଓ ଏହାର କୁପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।       

Tags: #LiquorConsumption #Deaths #HealthIssues #WHO

LEAVE A REPLY

Please enter your comment!
Please enter your name here