ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନଆଇ ପକ୍ଷରୁ ଉଇକିପିଡ଼ିଆ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମାନହାନି ମୋକଦ୍ଦମା ଦାଏର କରାଯାଇଛି। ଉଇକିପିଡ଼ିଆ ନିଜ ପେଜରେ ଏଏନଆଇ ବିଷୟରେ ଅପମାନଜନକ କଥା ପ୍ରକାଶ କରିବା ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଛି। ଏଏନଆଇ ଉଇକିପିଡ଼ିଆଠାରୁ କ୍ଷତିପୂରଣ ବାବଦରେ ୨ କୋଟି ଟଙ୍କା ଦାବି କରିଛି।
ଦିଲ୍ଲୀ ହାଇକୋର୍ଟରେ ଏଏନଆଇ ପକ୍ଷରୁ ଆଇନଜୀବୀ ସିଦ୍ଧାନ୍ତ କୁମାର ଏହି ମାନହାନି ମାମଲା ଦାଏର କରିଥିଲେ। ମଙ୍ଗଳବାର ହାଇକୋର୍ଟ ବିଚାରପତି ଜଷ୍ଟିସ ନବୀନ ଚାୱଲା ଏହି ମାମଲାରେ ଶୁଣାଣି କରି ଉଇକିପିଡ଼ିଆକୁ ସମନ ଜାରି କରିଛନ୍ତି। ଅଗଷ୍ଟ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ସମୟ ଧାର୍ଯ୍ୟ ହୋଇଛି।
ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରେ ଶୁଣାଣିବେଳେ ଆଇନଜୀବୀ ସିଦ୍ଧାନ୍ତ କୁମାର ଅଦାଲତଙ୍କୁ କହିଛନ୍ତି, “ଉଇକିପିଡ଼ିଆ ନିଜ ପେଜରେ ଏଏନଆଇ ବିଷୟରେ ଦର୍ଶାଇଥିବା କଥା ଅପମାନଜନକ। ଉଇକିପିଡ଼ିଆ ବର୍ତ୍ତମାନ ସାର୍ବଜନୀନ ତଥ୍ୟ ହାସଲ ପାଇଁ ମାଧ୍ୟମ ହେଉଛି। ଏହାକୁ ବ୍ୟକ୍ତିଗତ ସମାଲୋଚନା ପାଇଁ ବ୍ୟବହାର କରାଯାଇପାରିବ ନାହିଁ।”
ସେ ଆହୁରି ମଧ୍ୟ କହିଥିଲେ, “ଉଇକିପିଡ଼ିଆରେ ଥିବା ଏଏନଆଇର ପୃଷ୍ଠାକୁ କେବଳ ଉଇକିପିଡ଼ିଆର ଏଡିଟର ମାନେ ପରିଚାଳନା କରନ୍ତି। ତେଣୁ ଏଏନଆଇ ବିଷୟରେ ଅପମାନଜନକ ଲେଖା ପାଇଁ ଉଇକିପିଡ଼ିଆ ଦାୟୀ।”
ଉଇକିପିଡ଼ିଆର ପୃଷ୍ଠାରେ ଏଏନଆଇ ବିଷୟରେ କୁହାଯାଇଛି ଯେ “ଏଏନଆଇ ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ପାଇଁ ଏକ ପ୍ରଚାର ଉପକରଣ ଭାବରେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଫେକ୍ ନ୍ୟୁଜ୍ ୱେବସାଇଟରୁ ଖବର ଆଣିବା ଏବଂ ଘଟଣାଗୁଡ଼ିକର ଭୁଲ ରିପୋର୍ଟିଂ ପାଇଁ ସମାଲୋଚନାର ଶିକାର ହୋଇଛି।”
ଏଏନଆଇ ପକ୍ଷରୁ ଉଇକିପିଡ଼ିଆକୁ ଏହାର ପ୍ଲାଟଫର୍ମରେ ନ୍ୟୁଜ୍ ଏଜେନ୍ସିର ପୃଷ୍ଠାରେ ଅପମାନଜନକ ବିଷୟବସ୍ତୁକୁ ପ୍ରକାଶ ନକରିବାକୁ କୁହାଯାଇଛି। ଏଥିସହିତ ଉକ୍ତ ଲେଖାକୁ ହଟାଇବାକୁ ଦାବି କରାଯାଇଛି।
Tags: #ANI #Wikipedia #DefamationCase #DelhiHighCourt