ଓଡ଼ିଶାଲାଇଭ୍ ବ୍ୟୁରୋ

ଏସସି-ଏସଟି ସଂରକ୍ଷଣରେ କ୍ରିମି ଲେୟାରକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ବିରୋଧ କରି ବୁଧବାର ଦିନ ସଂରକ୍ଷଣ ବଚାଓ କମିଟି ପକ୍ଷରୁ ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି।

ଦେଶର ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନଗୁଡ଼ିକ ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି। ଏହି ବନ୍ଦ ଡାକରାକୁ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ ଜଣାଇଛନ୍ତି।

ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା ବନ୍ଦ ହେବ ନାହିଁ, ପରିବହନ ସେବା ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି।

ନିକଟରେ ସୁପ୍ରିମକୋର୍ଟ ସରକାରୀ ଚାକିରିରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ରହିଥିବା ସଂରକ୍ଷଣ କୋଟାର ଉପବର୍ଗୀକରଣ କରାଯାଇପାରିବ ବୋଲି ରାୟ ପ୍ରକାଶ କରିଥିଲେ। ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିରେ ଥିବା ସ୍ଵଚ୍ଛଳ ବର୍ଗଙ୍କୁ ବାଦ୍ ଦେଇ ଅବହେଳିତମାନଙ୍କୁ ଅଧିକ ସଂରକ୍ଷଣ ସୁବିଧା ପ୍ରଦାନ କରିପାରିବେ ବୋଲି ରାୟ ଶୁଣାଇଥିଲେ। ଏହାକୁ ବିରୋଧ କରି ବିଭିନ୍ନ ଅନୁସୂଚିତ ଜାତି ଓ ଜନଜାତି ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି।

ରାସ୍ତା ଘାଟରେ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଏବଂ ପିକେଟିଂ କାରଣରୁ ଗାଡ଼ି ମୋଟର ଚଳାଚଳ ଉପରେ ଏହାର ପ୍ରଭାବ ପଡ଼ିବ। ତେବେ ହସ୍ପିଟାଲ, ଆମ୍ବୁଲାନ୍ସ ସେବା, ସରକାରୀ ସେବା ଗୁଡ଼ିକ ଜାରି ରହିବ। ସରକାରୀ ଓ ଘରୋଇ ସଂସ୍ଥା, ବ୍ୟାଙ୍କ, ସ୍କୁଲ, କଲେଜ, ପେଟ୍ରୋଲ ପମ୍ପ ଖୋଲା ରହିବ।

ଭାରତ ବନ୍ଦକୁ ଦୃଷ୍ଟିରେ ରଖି ଭୁବନେଶ୍ବରରେ କମିଶନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ ଓ ଅନ୍ୟ ପ୍ରମୁଖ ବିଭାଗର କର୍ମଚାରୀଙ୍କୁ ସକାଳ ୯ଟା ୩୦ ସୁଦ୍ଧା କାର୍ଯ୍ୟାଳୟରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୁରକ୍ଷା ଦୃଷ୍ଟିରୁ ଲୋକସଭା ଭବନର ସମ୍ମୁଖ ଗେଟ ୧୦ଟା ୧୫ରେ ବନ୍ଦ ହେବ। ସମସ୍ତ ପାସ୍ ପଛ ଫାଟକ ଦେଇ ନିୟନ୍ତ୍ରିତ ହେବ। ପରିଚୟ କାର୍ଡ, କର୍ମଚାରୀ ଏବଂ ପରିଦର୍ଶକ ପାସର ଯାଞ୍ଚକୁ କଡ଼ାକଡ଼ି କରାଯିବI ଏହି ସମୟରେ ସାଧାରଣ ଜନତା ରାସ୍ତାଘାଟରେ ଯାତାୟତ କରିବା ବେଳେ ସତର୍କ ରହିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛିI

Tags: #BharatBand #Strike #SCST #India #Odisha

LEAVE A REPLY

Please enter your comment!
Please enter your name here