ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଜିଲ୍ଲାସ୍ତରୀୟ ଅମଲା କର୍ମଚାରୀମାନେ ବେତନ ବୃଦ୍ଧି ଦାବିରେ ଗୁରୁବାରଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରି ସାମୂହିକ ଛୁଟିରେ ଯାଇଛନ୍ତି। ଏହାଫଳରେ ଜିଲ୍ଲା ଓ ବ୍ଲକସ୍ତରରେ ଥିବା ସରକାରୀ କାର୍ଯ୍ୟାଳୟଗୁଡ଼ିକର କାମ ଠପ୍ ପଡ଼ିଯାଇଛି। ଏବେ ବିଭିନ୍ନ ଜରୁରୀ କାମ ପାଇଁ ଅଫିସ ଆସୁଥିବା ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଗୁରୁବାର ଦିନ ସବୁ ଜିଲ୍ଲାର ଅମଲାମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ କାର୍ଯ୍ୟବନ୍ଦ ଘୋଷଣା କରିଥିଲେ। ଏଥିସହ ସେମାନେ ସାମୂହିକ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ। ଅମଲାଙ୍କ ବେତନ ବୃଦ୍ଧି କରିବାର ଅନେକ ଦିନର ଦାବିକୁ ରାଜ୍ୟ ସରକାର ଶୁଣୁନଥିବା, ସେମାନେ ଅଭିଯୋଗ କରିଥିଲେ।

ଷଷ୍ଠ ବେତନ କମିଶନ ଆଧାରରେ ସେମାନଙ୍କ ଗ୍ରେଡ୍ ପେ’ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କା କରାଯାଉ ବୋଲି ଅମଲାମାନେ ଦାବି କରୁଛନ୍ତି। ଜିଲ୍ଲାସ୍ତରରେ ସେମାନେ ସରକାରଙ୍କ ବିଭିନ୍ନ ଯୋଜନାକୁ ସଫଳ ଭାବେ ରୂପାୟନ କରୁଥିବାବେଳେ ସେମାନଙ୍କ ବେତନରେ ବ୍ୟାପକ ଅନିୟମିତତା ଥିବା ଆମଲାମାନେ ଅଭିଯୋଗ କରିଛନ୍ତି। ସରକାର ରାଜ୍ୟର ଅମଲା କର୍ମୀଙ୍କ ପ୍ରତି ଅବହେଳା କରୁଥିବା ସେମାନେ କହିଛନ୍ତି।

ଅନ୍ୟପଟେ ଏହି ଆନ୍ଦୋଳନକୁ ନେଇ ଶୁକ୍ରବାର ଦିନ ଓଡ଼ିଶା ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ଅମଲା ସଂଘ ପ୍ରତିନିଧିଙ୍କ ସହ ଅଲୋଚନା ହୋଇଥିଲା। ଏଥିରେ ରାଜ୍ୟ ସରକାର ଦାବି ପୂରଣ କରିବାକୁ କହିଥିଲେ ମଧ୍ୟ କୌଣସି ଲିଖତ ପ୍ରତିଶ୍ରୁତି ଦେଇନଥିବା ଅମଲା ସଂଘ ପକ୍ଷରୁ କୁହାଯାଇଛି। ଏବେ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ସହ ଅଲୋଚନା ପରେ ଆଗକୁ ଆନ୍ଦୋଳନ କିଭଳି ରହିବ, ସେନେଇ ଅମଲା ସଂଘ ନିଷ୍ପତ୍ତି ନେବ।

ପୂର୍ବେ ଗ୍ରେଡ୍ ପେ’ ବଢ଼ାଇବାକୁ ନେଇ ଏପ୍ରିଲ ୨୧ ତାରିଖରେ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର ଦିଆଯାଇଥିଲା। ଏହାପରେ ମେ’ ୧ ତାରିଖରେ ସେମାନେ ମୁଖ୍ୟ ଶାସନ ସଚିବଙ୍କୁ ଦାବି ପତ୍ର ଦେଇଥିଲେ। ସରକାର ଅମଲାଙ୍କ ଦାବିକୁ ନ ଶୁଣିବାରୁ ମେ’ ୨୨ ତାରିଖରୁ ୩୧ ତାରିଖ ଯାଏଁ ସେମାନେ କଳା ବ୍ୟାଜ୍ ପିନ୍ଧି କାମ କରିଥିଲେ। ଏବେ ଦାବି ପୂରଣ ପାଇଁ ସେମାନେ ସମସ୍ତେ ସାମୂହିକ ଛୁଟିରେ ଯାଇଛନ୍ତି।

Tags: #StateGovtEmployees #Strike #MassLeave #Odisha

 

Comment