ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଆନ୍ଦୋଳନ ସ୍ଥଗିତ ରଖଯାଇଛି। ଆସନ୍ତା ଲକ୍ଷ୍ମୀ ପୂଜା ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଅଧ୍ୟକ୍ଷତାରେ ଏହାକୁ ନେଇ ଏକ ବୈଠକ ବସିଥିଲା। ବୈଠକରେ ଭୁବନେଶ୍ଵର ମହାନଗର ନିଗମ (ବିଏମସି), କମିଶସନରେଟ ପୋଲିସ, ଟ୍ରାଫିକ ପୋଲିସ ଓ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ଯୋଗ ଦେଇ ଦାବିଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ।

ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା କଞ୍ଚା ପରିବା ବ୍ୟବସାୟୀ ମହାସଂଘର ସମ୍ପାଦକ କବିରାଜ ସ୍ଵାଇଁ କହିଛନ୍ତି। ବିଭିନ୍ନ ଦାବିରେ ଅକ୍ଟୋବର ୨୦ ତାରିଖରୁ ଆନ୍ଦୋଳନ କରିବାକୁ କଞ୍ଚା ପରିବା ବ୍ୟବସାୟୀ ମହାସଂଘ ପକ୍ଷରୁ ଡାକରା ଦିଆଯାଇଥିଲା।

କ’ଣ ରହିଛି କଞ୍ଚା ପରିବା ବ୍ୟବସାୟୀ ମହାସଂଘର ଦାବି?

ୟୁନିଟ-୧ ହାଟକୁ ଯାଇଥିବା ରାସ୍ତା କଡ଼ରୁ ବେଆଇନ ଅବରୋଧ ହଟାଇବା ପରିବା ବ୍ୟବସାୟୀ ମହାସଂଘର ମୁଖ୍ୟ ଦାବି ରହିଛି। ଏହା ସହ ୟୁନିଟ-୧ ହାଟରେ ୯ ମହଳା ପରିବର୍ତ୍ତେ ୨ ମହଲା ବିଶିଷ୍ଟ ମାର୍କେଟ ବିଲ୍ଡିଂ ନିର୍ମାଣ କରିବା, ଏଜିରୁ ରାଜମହଲ ପର୍ଯ୍ୟନ୍ତ ଥିବା ସମସ୍ତ ବ୍ୟବସାୟୀଙ୍କୁ ୧ ନମ୍ବର ହାଟରେ ଥଇଥାନ କରିବା, ଭଗବାନପୁରରୁ ପରିବା ଯାତାୟତ ଲାଗି ସମସସୀମା ଧାର୍ଯ୍ୟ କରିବା, ପୂଜା ସମୟରେ  ଅସ୍ଥାୟୀ ଶୀତବସ୍ତ୍ର ବଜାର ଓ ପ୍ଲାଷ୍ଟିକ୍ ବଜାର ବନ୍ଦ କରିବା ଏବଂ ବିଭିନ୍ନ ପୂଜା ସମୟରେ ମୂର୍ତ୍ତି ବିକ୍ରି ବନ୍ଦ କରିବା ଆଦି ଦାବି ରହିଛି।

ସଂଘର କହିବା କଥା ହେଲା ରାଜମହଲଠାରୁ ଷ୍ଟେଟ ବ୍ୟାଙ୍କ କଡ଼ରେ ଥିବା ଇଲେକ୍ଟିକ୍ ଅଫିସ ଗଳି ୟୁନିଟ-୧ ହୋଲସେଲ ମାର୍କେଟକୁ ଯିବାକୁ ପାଇଁ ଏକ ମାତ୍ର ରାସ୍ତା। ଏହି ରାସ୍ତାରେ ବେଆଇନ ଅବରୋଧ ସହ ବିଭିନ୍ନ ପୂଜା ପର୍ବ ସମୟରେ ଲାଇଟ ଗେଟ ଏବଂ ବଡ଼ ତୋରଣ ଲଗାଯାଇଥାଏ, ମୂର୍ତ୍ତି ବିକ୍ରି କରାଯାଇଥାଏ, ଅସ୍ଥାୟୀ ଶୀତବସ୍ତ୍ର ବଜାର ଲାଗିବା ସହ ପ୍ଲାଷ୍ଟିକ୍ ବଜାର ପଡ଼ିବା ଯୋଗୁଁ ମଣ୍ଡି ଭିତରକୁ ପରିବା ଗାଡ଼ି ଚଳାଚଳ କରିବାରେ ଅସୁବିଧା ଉପୁଜେ। ତେଣୁ ଏହି ସମସ୍ୟାର ସମାଧାନ ପାଇ ସଂଘ ପକ୍ଷରୁ ବାରମ୍ବାର ଦାବି ହେଉଥିବା ସଂଘ ପକ୍ଷରୁ କୁହାଯାଇଛି।

Tags: #bhubaneswarVegetabletradersassociation #strike #odisha #Bhubaneswar

Comment